ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ହୁ ହୁ ହୋଇ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଏବେ ପୁଣି ଗୁଜୁରାଟରୁ ଚତୁର୍ଥ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛି। ଭାରତରେ ଓମିକ୍ରନର ପ୍ରଥମ ଦୁଇଟି ମାମଲା ଚିହ୍ନଟ ହେବାର ଦୁଇଦିନ ପରେ ଗୁଜୁୁରାଟରେ ୩ୟ ମାମଲା ଚିହ୍ନଟ ହୋଇଥିଲା। ଗୁଜୁରାଟର ଜଣେ ୪୨ବର୍ଷ ବୟସ୍କ ବ୍ୟକ୍ତି କିଛି ଦିନ ତଳେ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ବେଳେ କରୋନାଭାଇରସର ଓମିକ୍ରନ୍ ଭାରିଆଣ୍ଟ ଦ୍ବାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହାକୁ ମିଶାଇ ଭାରତରେ ୪୧ପହଞ୍ଚିଛି ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା।
ଏହି ବ୍ୟକ୍ତି ଜଣକ ଡିସେମ୍ବର ୩ରେ ଦକ୍ଷିଣ ଆଫ୍ରିକାରୁ କେନିଆ ଏବଂ ଆବୁଧାବି ଦେଇ ଦିଲ୍ଲୀରେ ପହଞ୍ଚିବା ପରେ କରୋନା ପରୀକ୍ଷା କରାଇଥିଲେ। ରିପୋର୍ଟ ନେଗେଟିଭ ଆସିବା ପରେ ତାଙ୍କୁ ଏକ ହସ୍ପିଟାଲରେ ସଙ୍ଗରୋଧରେ ରଖାଯାଇଥିଲା। ଡିସେମ୍ବର ୮ରେ ପୁଣି ଥରେ ପରୀକ୍ଷା କରାଯିବା ପରେ ସେ କରୋନା ପଜିଟିଭ ବୋଲି ଜଣାପଡ଼ିଥିଲା। ପରେ ତାଙ୍କ ନମୁନାକୁ ଜିନୋମ ସିକ୍ୟୁଏନସିଂ ପଠାଯିବା ପରେ ସେ ଓମିକ୍ରନ ଦ୍ବାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।