ନୂଆଦିଲ୍ଲୀ: ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ହିନ୍ଦୀ ହାର୍ଟଲାଣ୍ଡରେ କଂଗ୍ରେସର ବିପର୍ଯ୍ୟୟ ପରେ ଇଣ୍ଡିଆ ମେଣ୍ଟର ପ୍ରଥମ ବୈଠକ ଡିସେମ୍ବର ୧୯ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି। ମେଣ୍ଟ ଗଠନ ହେବା ପରଠାରୁ ଏ ପର୍ଯ୍ୟନ୍ତ ୩ଟି ବୈଠକ ଅନୁଷ୍ଠିତ ହୋଇସାରିଛି ଏବଂ ଚତୁର୍ଥ ବୈଠକରେ ଆସନ ବୁଝାମଣା ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଛତିଶଗଡ଼ ଓ ରାଜସ୍ଥାନରେ କଂଗ୍ରେସ ପୁଣି ଥରେ କ୍ଷମତାକୁ ଆସିବ ବୋଲି ଯେଉଁ ଆଶା ରଖିଥିଲା ତାହା ଧୂଳିସାତ ହୋଇଥିବାରୁ ଇଣ୍ଡିଆ ମେଣ୍ଟକୁ ବଡ଼ ଝଟ୍‌କା ଲାଗିଛି। କଂଗ୍ରେସର ପରାଜୟକୁ ନେଇ ଜେଡିୟୁ, ଟିଏମ୍‌ସି ଏବଂ ସପା କଡ଼ା ମନ୍ତବ୍ୟ ଦେଇଥିବା ବେଳେ ମେଣ୍ଟର ନେତୃତ୍ବ ପ୍ରସଙ୍ଗ ଉଠାଇ କଂଗ୍ରେସକୁ ଘେରିଥିଲେ। ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ, ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ଏବଂ ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ଇଣ୍ଡିଆ ମେଣ୍ଟର ନେତୃତ୍ବ ନେବାକୁ ସେମାନଙ୍କ ଦଳ ଦାବି କରିଥିବାରୁ ଏହାକୁ ନେଇ ଅଡ଼ୁଆ ସ୍ଥିତି ଉପୁଜିଛି। ତେଣୁ ଆଗାମୀ ବୈଠକରେ ଏହି ତିନି ନେତାଙ୍କ ଆଭିମୁଖ୍ୟ କ’ଣ ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଡିସେମ୍ବର ୬ରେ କଂଗ୍ରେସ ଡକାଇଥିବା ବୈଠକରେ ଏହି ତିନି ନେତା ଯୋଗଦେବାକୁ ନିଜର ଅସମର୍ଥତା ଜଣାଇବା ପରେ ବୈଠକ ବାତିଲ ହୋଇଥିଲା।

Advertisment

୧୯ ତାରିଖ ବୈଠକରେ ୨୦୨୪ ଲୋକସଭା ନିର୍ବାଚନରେ ମିଳିତ ପ୍ରଚାର ପାଇଁ ଆଲୋଚନା ହେବ ବୋଲି ମଧ୍ୟ ଜଣାପଡ଼ିଛି। ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ କଂଗ୍ରେସ-ସପା ମଧ୍ୟରେ ତିକ୍ତତା ବଢ଼ିଥିବାରୁ ଏବେ ମତଭେଦ ଦୂର ପାଇଁ ପ୍ରୟାସ ଚାଲିଛି। ମଧ୍ୟପ୍ରଦେଶରେ ସମାଜବାଦୀ ପାର୍ଟି ୬୯ ଆସନରେ ପ୍ରାର୍ଥୀ ଦେଇଥିଲା । କଂଗ୍ରେସ ସହ ମେଣ୍ଟ ପାଇଁ ଅଖିଳେଶ ଦେଇଥିବା ପ୍ରସ୍ତାବକୁ କଂଗ୍ରେସ ପ୍ରତ୍ୟାଖ୍ୟାନ କରିବା ପରେ ବିବାଦ ବଢ଼ିଥିଲା। ମଧ୍ୟପ୍ରଦେଶରେ ସପା ଗୋଟିଏ ମଧ୍ୟ ଆସନ ହାସଲ କରିପାରିନଥିବା ବେଳେ ୪୩ଟି ଆସନରେ ଏହାର ପ୍ରାର୍ଥୀମାନେ ୧ ହଜାରରୁ କମ୍‌ ଭୋଟ୍‌ ପାଇଥିଲେ।