କର୍ଣ୍ଣାଟକ, ଗୁଜରାଟ ପରେ ମହାରାଷ୍ଟ୍ରରେ ଓମିକ୍ରନ୍, ଦକ୍ଷିଣ ଆଫ୍ରିକା ଫେରନ୍ତା ୩୩ବର୍ଷୀୟ ସଂକ୍ରମିତ

ମୁମ୍ବାଇ:  ମହାରାଷ୍ଟ୍ରରେ ଚିହ୍ନଟ ହେଲେ ଓମିକ୍ରନ୍ ସଂକ୍ରମିତ । ମହାରାଷ୍ଟ୍ରର ଜଣେ ୩୩ ବର୍ଷୀୟ ବ୍ୟକ୍ତି ଓମିକ୍ରନରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଏ ନେଇ ମହାରାଷ୍ଟ୍ରର ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଛି । ତେବେ ମହାରାଷ୍ଟ୍ରରେ ପ୍ରଥମ କରି ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାଫଳରେ ଦେଶରେ ଚିହ୍ନଟ ହୋଇଥିବା ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୪ରେ ପହଞ୍ଚିଛି।

ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗ ତରଫରୁ ମିଳିଥିବା ସୂଚନା ମୁତାବକ, ଏହି ବ୍ୟକ୍ତି ଜଣକ ଗତ ନଭେମ୍ବର ୨୪ ତାରିଖରେ ଦକ୍ଷିଣ ଆଫ୍ରିକାର କେପଟାଉନରୁ ଦୁବାଇ ଓ ଦିଲ୍ଲୀ ଦେଇ ମୁମ୍ବାଇରେ ପହଞ୍ଚିଥିଲେ । ସେ କୌଣସି ଟିକା ନେଇନାହାନ୍ତି । ତେବେ ୧୨ ଜଣ ହାଇରିସ୍କ କଣ୍ଟାକ୍ଟ ଓ ୨୩ ଜଣ ବୟସ୍କ ତାଙ୍କ ସହିତ ଲୋ-ରିସ୍କ କଣ୍ଟାକ୍ଟ ହୋଇଛନ୍ତି । ହେଲେ ସେମାନଙ୍କର ସମସ୍ତଙ୍କର ରିପୋର୍ଟ ନେଗେଟିଭ୍ ଆସିଛି । ସେହିପରି ତାଙ୍କ ସହିତ ଯାତ୍ରା କରିଥିବା ଦିଲ୍ଲୀ-ମୁମ୍ବାଇ ଫ୍ଲାଇଟର ସମସ୍ତ ଯାତ୍ରୀ ମଧ୍ୟ ନେଗେଟିଭ ଚିହ୍ନଟ ହୋଇଛନ୍ତି ।

ଏହାପୂର୍ବରୁ କର୍ଣ୍ଣାଟକ, ଗୁଜରାଟରୁ ଚିହ୍ନଟ ହୋଇଛନ୍ତି ଓମିକ୍ରନ ଆକ୍ରାନ୍ତ  । ଜିମ୍ବାୱେରୁ ଜାମନଗରକୁ ଦୁଇ ଦିନ ତଳେ ଫେରିଥିବା ଜଣେ ୭୨ ବର୍ଷୀୟ ବ୍ୟକ୍ତିଙ୍କ ଠାରେ ଓମିକ୍ରନ ଭାରିଏଣ୍ଟ ଦେଖାଯାଇଛି । ତାଙ୍କୁ ପ୍ରଥମେ ଜ୍ୱର ହେବା ପରେ ସେ ଆରଟିପିସିଆର ଟେଷ୍ଟ କରାଇଥିଲେ, ଏଥିରେ ପଜିଟିଭ୍ ରିପୋର୍ଟ ଆସିଥିଲା  । ଏହାପରେ ନମୁନାର ଜିନୋମ ସିକ୍ୱେନ୍ସିଂ କରାଯିବାରୁ ଜଣାପଡ଼ିଲା ଯେ, ସେ ଓମିକ୍ରନରେ ଆକ୍ରାନ୍ତ  । ତାଙ୍କର ଏବେ ଚିକିତ୍ସା ଚାଲିଥିବା ବେଳେ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି  । ପୂର୍ବରୁ କର୍ଣ୍ଣାଟକରୁ ୨ଜଣ ଓମିକ୍ରନ ପଜିଟିଭ ଚିହ୍ନଟ ହୋଇଥିଲେ ।

ସମ୍ବନ୍ଧିତ ଖବର