ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ଚତୁର୍ଥ ପର୍ଯ୍ୟାୟ ଭୋଟ୍‌ ସରିଲା

ରାଞ୍ଚି: ଝାଡ଼ଖଣ୍ଡରେ ଆଜି ଚତୁର୍ଥ ପର୍ଯ୍ୟାୟରେ ୧୫ଟି ବିଧାନସଭା ଆସନରେ ଭୋଟ୍‌ ଗ୍ରହଣ ଶେଷ ହୋଇଛି। ନିର୍ବାଚନ କମିସନଙ୍ ଅନୁଯାୟୀ ଆଜି ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ ହୋଇଛି। ସକାଳ ୭ଟାରେ ମତଦାନ ଆରମ୍ଭ ହୋଇ କିଛି ଆସନରେ ଅପରାହ୍ନ ୩ଟାରେ ସରିଥିଲା ଏବଂ ଅନ୍ୟ କିଛି ଆସନରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ପ୍ରକ୍ରିୟା ଚାଳିଥିଲା। ଝାଡ଼ଖଣ୍ଡରେ ଚତୁର୍ଥ ପର୍ଯ୍ୟାୟରେ ଥିବା ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ଅଛନ୍ତି ମନ୍ତ୍ରୀ ରାଜ ପଲିୱାର, ଅମର କୁମାର ବୌରୀ, ରାଗିଣୀ ସିଂହ, ରାଜ କିଶୋର ମାହତୋ ଏବଂ ଧୁଲ୍ଲୁ ମାହତୋ। ୨୨ ମହିଳା ପ୍ରାର୍ଥୀଙ୍କ ସମେତ ସମୁଦାୟ ୨୨୧ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ବନ୍ଦ ହୋଇଯାଇଛି। ଆଜି ନିର୍ବାଚନ ହୋଇଥିବା ୧୫ଟି ଆସନରୁ ୩ଟି ଆସନ- ଦେଓଘର, ଜାମୁଆ ଏବଂ ଚନ୍ଦନକିୟାରୀ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରହିଥିବାବେଳେ ଅନ୍ୟ ୧୨ଟି ଆସନ ସାଧାରଣ ବର୍ଗଙ୍କ ପାଇଁ ରହିଥିଲା। ଝାଡ଼ଖଣ୍ଡରେ ଗତ ନଭେମ୍ବର ୩୦ ତାରିଖରୁ ନିର୍ବାଚନ ଆରମ୍ଭ ହୋଇଛି। ଡିସେମ୍ବର ୨୦ରେ ପଞ୍ଚମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଅଛି। ଡିସେମ୍ବର ୨୩ରେ ନିର୍ବାଚନ ଫଳାଫଳ ‌ଘୋଷଣା ହେବ।

ସମ୍ବନ୍ଧିତ ଖବର