କିରାଣିରୁ ଚତୁର୍ଥ ଥର ମୁଖ୍ୟମନ୍ତ୍ରୀ, ୧୫ ବର୍ଷ ବୟସରେ ଆର୍‌ଏସ୍‌ଏସ୍‌ରେ ସାମିଲ ହୋଇଥିଲେ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଜେପି ରାଜ୍ୟ ସଭାପତି ବିଏସ୍‌ ୟେଦୁରପ୍ପା ଆଜି ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଜୁଲାଇ ୩୧ ତାରିଖ ସୁଦ୍ଧା ତାଙ୍କୁ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାକୁ ହେବ। କର୍ଣ୍ଣାଟକରେ ଏବେ ବିଧାନସଭା ସଦସ୍ୟ ସଂଖ୍ୟା ୨୨୨ ରହିଛି ଏବଂ ୧୪ ଜଣ ବିଦ୍ରୋହୀ ବିଧାୟକଙ୍କ ସଂପର୍କରେ ବାଚସ୍ପତି ରମେଶ କୁମାର କୌଣସି ନିଷ୍ପତ୍ତି ନେଇନାହନ୍ତି। ଯଦି ଗୃହରେ ବର୍ତ୍ତମାନର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଭୋଟ୍‌ ହେବ ତା’ହେଲେ ୟେଦୁରପ୍ପାଙ୍କୁ ୧୧୨ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ବିଦ୍ରୋହୀ ବିଧାୟକମାନେ ସମର୍ଥନ କଲେ କିମ୍ବା ଅନୁପସ୍ଥିତ ରହିଲେ ୟେଦୁରପ୍ପା ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେଇପାରିବେ। ଲିଙ୍ଗାୟତ ସଂପ୍ରଦାୟର ଟାଣୁଆ ନେତା ୭୫ ବର୍ଷୀୟ ୟେଦୁରପ୍ପା ମାତ୍ର ୧୫ ବର୍ଷ ବୟସରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ରେ ସାମିଲ ହୋଇଥିଲେ। ଜନସଂଘରୁ ସେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ ଏବଂ ନିଜର ଗୃହ ସହର ସିମୋଗା ଜିଲ୍ଲାର ଶିକାରିପୁରାରୁ ନେତୃତ୍ବ ନେଉଥିଲେ। ଦେଶରେ ଜରୁରୀ ପରିସ୍ଥିତି ସମୟରେ ୟେଦୁରପ୍ପା ଜେଲ୍‌ ଯାଇଥିଲେ। ସେ ସମାଜ କଲ୍ୟାଣ ବିଭାଗରେ କିରାଣୀ ଭାବେ କାର୍ଯ୍ୟ କରୁଥିଲେ। ପରେ ସେ ଚାକିରି ଛାଡ଼ି ଶିକାରପୁରରେ ଏକ ଚାଉଳ ମିଲ୍‌ରେ ପରିଚାଳକ ଭାବେ କାମ କରୁଥିଲେ।

୧୯୮୩ରେ ୟେଦୁରପ୍ପା ପ୍ରଥମ ଥର ପାଇଁ ସିମୋଗା ବିଧାନସଭା ଆସନରୁ ବିଧାୟକ ନିର୍ବାଚିତ ହୋଇଥିଲେ। ଏହି ଆସନରୁ ସେ ୫ ଥର ପ୍ରତିନିଧିତ୍ବ କରିଛନ୍ତି। ଗତ ବିଧାନସଭା ନିର୍ବାଚନରେ ୟେଦୁରପ୍ପା ମାତ୍ର ୨ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଗତ ବର୍ଷ ମେ ମାସରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି ୧୦୪ ଆସନ ହାସଲ କରି ସବୁଠାରୁ ବଡ଼ ଦଳର ମାନ୍ୟତା ହାସଲ କରିଥିଲା। ୟେଦୁରପ୍ପା ୧୭ ମେ, ୨୦୧୮ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। କିନ୍ତୁ ୧୯ ମେ’ରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବା ପୂର୍ବରୁ ଇସ୍ତଫା ଦେଇଥିଲେ। ବେଆଇନ ଖଣି ଖନନ ଦୁର୍ନୀତି ମାମଲାରେ ୟେଦୁରପ୍ପାଙ୍କ ବିରୋଧରେ ଲୋକାୟୁକ୍ତ ଅଭିଯୋଗ ଆଣିଥିଲେ ଏବଂ ୩୧ ଜୁଲାଇ ୨୦୧୧ରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

ନାମର ବନାନ ବଦଳାଇଲେ
ଆଜି ୟେଦୁରପ୍ପା ତାଙ୍କ ନାମର ଇଂରାଜି ବନାନକୁ ବଦଳାଇଛନ୍ତି। ଗଣନା ବିଷାରଦଙ୍କ ପରାମର୍ଶ ଅନୁଯାୟୀ ୟେଦୁରପ୍ପା ଏଭଳି କରିଥିବା କୁହାଯାଉଛି। ୟେଦୁରପ୍ପା ତାଙ୍କ ନାମକୁ ଆଜି ପର୍ଯ୍ୟନ୍ତ yeddyurappa ଲେଖି ଆସୁଥିଲେ। ଏବେ ଏହାକୁ ବଦଳାଇ ବନାନରୁ ଗୋଟିଏ ‘ଡି’କୁ ହଟାଇ ସେଥିରେ ‘ଆଇ’ ଯୋଡ଼ିଛନ୍ତି। ଏବେ ତାଙ୍କର ନାମ ସେ yediyurappa ଲେଖୁଛନ୍ତି।

ସମ୍ବନ୍ଧିତ ଖବର