୪ ବର୍ଷରେ ୧୧ କାର୍‌-ଟ୍ରକ୍‌ ଆକ୍ରମଣ

ନ୍ୟୁୟର୍କ: ସାରା ବିଶ୍ୱକୁ ଆତଙ୍କରେ ଥରହର କରୁଥିବା ଆତଙ୍କବାଦୀ ସଂଗଠନ ଇସ୍‌ଲାମିକ ଷ୍ଟେଟ୍‌ ଏବଂ ଅଲ୍‌ କାଏଦା ଆତଙ୍କବାଦୀମାନେ ଏବେ ଚଳନ୍ତା କାର୍‌ ଓ ଟ୍ରକ୍‌କୁ ସେମାନଙ୍କ ପ୍ରମୁଖ ଅସ୍ତ୍ର ଭାବେ ବାଛିନେଇଛନ୍ତି। ଆତଙ୍କବାଦୀମାନେ ଏକାକୀ ଆକ୍ରମଣ କରିବା ପାଇଁ ଟ୍ରକ୍‌ ଏବଂ କାର୍‌କୁ ଅସ୍ତ୍ର ଭାବେ ଗ୍ରହଣ କରିବାକୁ ଆଇଏସ୍‌ କମାଣ୍ଡର ଅବୁ ମହମ୍ମଦ ଅଲ ଆଦ୍‌ନାନି ଏବଂ ଅଲ୍‌କାଏଦା ୟେମେନ୍‌ ଶାଖା ଆହ୍ଵାନ ଦେବାପରେ ଏଭଳି ଆକ୍ରମଣ ବଢ଼ିଚାଲିଛି। ବିଗତ ୪ ବର୍ଷ ଭିତରେ ଏଭଳି ଆକ୍ରମଣ ୧୧ ଥର ହୋଇସାରିଥିବାରୁ ପୁଲିସ ଓ ଗୁଇନ୍ଦା ବାହିନୀ ପାଇଁ ଏହା ବିଶ୍ୱବ୍ୟାପୀ ଚିନ୍ତାର କାରଣ ହୋଇଛି। ଏଭଳି ଆକ୍ରମଣକୁ ଅଟକାଇବା ସମ୍ଭବ ନଥିବାରୁ କେବଳ ତତ୍କାଳ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱ ଦିଆଯାଉଛି।
ଅକ୍ଟୋବର ୨୨, ୨୦୧୪: ଆତଙ୍କବାଦୀ କାର୍‌କୁ ଅସ୍ତ୍ର ରୂପେ ପ୍ରଥମେ ଜେରୁଜେଲମରେ ବ୍ୟବହାର କରିଥିବା ଦେଖିବାକୁ ମିଳିଥିଲା। ଜେରୁଜେଲଢ଼ ରେଳ ଷ୍ଟେସନ ନିକଟରେ ଜଣେ ହମାସ୍‌ ଆତଙ୍କବାଦୀ ଲୋକଙ୍କ ଉପରେ କାର୍‌ ଚଢ଼ାଇ ଆତଙ୍କ ସୃଷ୍ଟି କରିଥିଲା। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ଅନେକ ଆହତ ହୋଇଥିଲେ। ଇସ୍ରାଏଲ ସରକାର ଏହାକୁ ଏକ ଆତଙ୍କବାଦୀ କାଣ୍ଡ ବୋଲି ସ୍ପଷ୍ଟ କରିଥିଲେ।

ଜୁଲାଇ ୧୪, ୨୦୧୬: ଫ୍ରାନ୍‌ସର ନାଇସ୍‌ ସହରରେ ବାସ୍ତିଲ ଡେ ଉତ୍ସବ ପାଳନ ଚାଲିଥିବା ବେଳେ ଜଣେ ଆଇଏସ୍‌ ଆତଙ୍କବାଦୀ ବର୍ବର କାଣ୍ଡ ଘଟାଇଥିଲା। ଆତଙ୍କବାଦୀ ୨୦ ଟନ୍‌ର ଏକ ଟ୍ରକ୍‌କୁ ଉତ୍ସବ ପାଳୁଥିବା ଲୋକଙ୍କ ଉପରେ ଚଢ଼ାଇ ଚାଲିବାରୁ ଏଥିରେ ୮୫ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ଶତାଧିକ ଆହତ ହୋଇଥିଲେ। ଆକ୍ରମଣକାରୀ ମହମ୍ମଦ ବୋହଲେଲ (୩୧)କୁ ପୁଲିସ ଗୁଳି କରି ନିପାତ କରିବା ପର୍ଯ୍ୟନ୍ତ ସେ ତା’ର ବର୍ବରକାଣ୍ଡ ଜାରି ରଖିଥିଲା।

ନଭେମ୍ବର ୨୮, ୨୦୧୬: ଓହିଓ ବିଶ୍ୱବିଦ୍ୟାଳୟରେ ଅବଦୁଲ ରଜାକ ଅଲ୍ଲୀ ନାମକ ଜଣେ ଛାତ୍ର ଆଇଏସ୍‌ ଆତଙ୍କବାଦୀ ସଂଗଠନକୁ ସମର୍ଥନ କରି ବିଶ୍ୱବିଦ୍ୟାଳୟ ପରିସରରେ କାର୍‌ ଏବଂ ଚାକୁରେ ଆକ୍ରମଣ ଆରମ୍ଭ କରିଥିଲା। ତେବେ କ୍ୟାମ୍ପ୍‌ସ ସୁରକ୍ଷା କର୍ମୀମାନେ ତାକୁ ତତ୍‌କ୍ଷଣାତ ଗୁଳି କରି ନିପାତ କରିଥିଲେ।

ଡିସେମ୍ବର ୧୯, ୨୦୧୬: ଜଣେ ଟ୍ୟୁନିସିଆ ନାଗରିକ ତଥା ଆଇଏସ୍‌ ଆତଙ୍କବାଦୀ ବର୍ଲିନର ଖ୍ରୀଷ୍ଟମାସ ବଜାରରେ ଲୋକଙ୍କ ଉପରେ ଟ୍ରାକ୍ଟର ଚଢ଼ାଇ ଦେଇଥିଲା। ଏଥିରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଥିଲ। ଘଟଣାର ୪ ଦିନ ପରେ ଏହି ଆତଙ୍କବାଦୀ ଇଟାଲିରେ ମିଲାନ ପୁଲିସ ଗୁଳିରେ ନିହତ ହୋଇଥିଲା।

ମାର୍ଚ୍ଚ ୨୨ ୨୦୧୭: ଲଣ୍ଡନର ଓ୍ଵଷ୍ଟମିନିଷ୍ଟର ବ୍ରିଜ୍‌ ରାସ୍ତାରେ ଖାଲିଦ ମାସୁଦ (୫୨) ନାମ ଜଣେ ଆତଙ୍କବାଦୀ ଲୋକଙ୍କ ଉପରେ ଏସ୍‌ୟୁଭି ଚଢ଼ାଇ ଦେବାରୁ ୪ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୯ ଜଣ ଆହତ ହୋଇଥିଲେ। ଏହାପରେ ଆତଙ୍କବାଦୀ ଏସ୍‌ୟୁଭିରୁ ଓହ୍ଲାଇ ପୁଲିସ ଅଫିସରଙ୍କୁ ଛୁରିରେ ଆକ୍ରମଣ କରିଥିଲା ଏବଂ ପୁଲିସ ତାକୁ ତତ୍‌୍‌କ୍ଷଣାତ ଗୁଳିକରି ନିପାତ କରିଥିଲା।

ଏପ୍ରିଲ୍‌ ୭, ୨୦୧୭: ସ୍ୱିଡେନର ଷ୍ଟକ୍‌ହୋମ ଏକ ଜନଗହଳିପୂର୍ଣ୍ଣ ଅଂଚଳରେ ଜଣେ ଆତଙ୍କବାଦୀ ଲୋକଙ୍କ ଉପରେ କାର୍‌ ଚଢ଼ାଇ ଦେବାରୁ ୪ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୨୦ରୁ ଅଧିକ ଗୁରୁତର ଆହତ ହୋଇଥିଲେ।

ଜୁନ୍‌ ୩, ୨୦୧୭: କେନ୍ଦ୍ରୀୟ ଲଣ୍ଡନରେ ୨ଟି ଆତଙ୍କବାଦୀ ଆକ୍ରମଣରେ ୭ ଜଣଙ୍କ ମୃତ୍ୟୁ ଘଟିଥିଲା। ଲଣ୍ଡନ ବ୍ରିଜ୍‌ ନିକଟରେ ଜଣେ ଆତଙ୍କବାଦୀ ଲୋକଙ୍କ ଉପରେ ଭ୍ୟାନ୍‌ ଚଢ଼ାଇ ଦେଇଥିବା ବେଳେ ଆଉ ଏକ ଘଟଣାରେ ଆତଙ୍କବାଦୀ ଛୁରିରେ ଆକ୍ରମଣ କରିଥିଲା।

ଜୁନ୍‌ ୧୯, ୨୦୧୭: ଲଣ୍ଡନର ଫିନ୍‌ସବରି ଅଂଚଳରେ ଜଣେ ଆତଙ୍କବାଦୀ ଲୋକଙ୍କ ଉପରେ ଭ୍ୟାନ୍‌ ଚଢ଼ାଇ ଦେବାରୁ ଏଥିରେ ଜଣେ ପ୍ରାଣ ହରାଇଥିବା ବେଳେ ୧୧ ଜଣ ଗୁରୁତର ଆହତ ହୋଇଥିଲେ। ପୁଲିସ ବାହିନୀ ଆକ୍ରମଣକାରୀକୁ ଗିରଫ କରିବାରେ ସକ୍ଷମ ହୋଇଥିଲେ।

ଅଗଷ୍ଟ ୧୬-୧୮, ୨୦୧୭: ବାର୍ସିଲୋନାର ଏକ ଲେକପ୍ରିୟ ପର୍ଯ୍ୟଟନସ୍ଥଳରେ ଜଣେ ଆଇଏସ୍‌ ଆତଙ୍କବାଦୀ ପର୍ଯ୍ୟଟକଙ୍କ ଉପରେ ଏକ ଭ୍ୟାନ୍‌ ଚଢ଼ାଇ ଚାଲିବାରୁ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା।ଅଗଷ୍ଟ ୧୮ ତାରିକରେ ବାର୍ସିଲୋନାଠାରୁ ୧୦୦ କିମି ଦୂର କ୍ୟାମ୍‌ବ୍ରିଲ୍‌ରେ ଜଣେ ଆତଙ୍କବାଦୀ ଲୋକଙ୍କ ଉପରେ କାର୍‌ ଚଢ଼ାଇବାରୁ ଜଣେ ନିହତ ହୋଇଥିବା ବେଳେ ୨୦ରୁ ଅଧିକ ଗୁରୁତର ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର