ନୂଆଦିଲ୍ଲୀ: ପ୍ରାୟ ସାଢ଼େ ଚାରି ବର୍ଷ ପୂର୍ବେ ବିହାରର ସିୱାନରୁ ଜଣେ ବାଳକ ନିଖୋଜ ହୋଇଯାଇଥିଲେ। ଯାହାଙ୍କୁ ଏବେ ମହାକୁମ୍ଭରୁ ପରିବାରଲୋକ ଖୋଜି ପାଇ ପାରିଛନ୍ତି ।

Advertisment

ହୁସେନଗଞ୍ଜ ଥାନା ଅଞ୍ଚଳର ଉତ୍ତର ମୋହଲ୍ଲାର କୁମ୍ଭାର ଟୋଲିର ବାସିନ୍ଦା ପରମେଶ୍ୱର ମହାକୁମ୍ଭରେ ଭିକ୍ଷା ମାଗୁଥିଲେ। କୁମ୍ଭାର ଟୋଲି ଗାଁର ଚାରି ଜଣ ବନ୍ଧୁ ମହାକୁମ୍ଭକୁ ପବିତ୍ର ସ୍ନାନ ପାଇ ଯାଇଥିଲେ। ସ୍ନାନ ସାରି କୁମ୍ଭମେଳା ବୁଲୁଥିବା ବେଳେ  ଗାଁର ହଜି ଯାଇଥିବା ପୁଅକୁ ସେମାନେ ସେଠାରେ ବସି ଭିକ୍ଷାବୃତ୍ତି କରୁଥିବା ଦେଖିବାକୁ ପାଇଥିଲେ। ଏହାପରେ ତୁରନ୍ତ ସେମାନେ ପୁଲିସର ସାହାଯ୍ୟ ନେଇ ନିଖୋଜ ବାଳକଙ୍କ ପରିବାରଲୋକଙ୍କୁ ‌ଯୋଗଯୋଗ କରି ଘଟଣା ବିଷୟରେ ଜଣାଇଥି‌ଲେ।

ଯୁବକ ପରମେଶ୍ୱରଙ୍କ ମାଆ ରେଖା ଦେବୀ ଏହି ଘଟଣାକୁ ନେଇ କହିଛନ୍ତି,  ମୁଁ ମଧ୍ୟ ମହାକୁମ୍ଭ ଯାଇଥିଲି। ସେଠାରେ ଗଙ୍ଗାମା’ଙ୍କୁ ପ୍ରାର୍ଥନା କରି ଆସିଥିଲି କି ସେ ଖୁବଶୀଘ୍ର ମୋ ହଜିଲା ପୁଅକୁ କୋଳକୁ ଫେରାଇ ଦିଅନ୍ତୁ। ମୁଁ ବିଶ୍ବାସ କରି ପାରୁ ନାହିଁ ଗଙ୍ଗା ମା’ ଏତେ ଶୀଘ୍ର ମୋ ପ୍ରାର୍ଥନା ଶୁଣି ଦେଇଛନ୍ତି। 

ଫେବୃଆରି ୧୧ ତାରିଖରେ ହୁସେନଗଞ୍ଜ ବଜାରର ଚାରିଜଣ ବନ୍ଧୁ କରଣ କୁମାର, ଅମରଜିତ କୁମାର, ଗୋଲୁ କୁମାର ଏବଂ ବିକାଶ କୁମାର ମହାକୁମ୍ଭ ସ୍ନାନ ପାଇଁ ପ୍ରୟାଗରାଜ ଯାଇଥିଲେ। ସେମାନେ ସେଠାରେ ଗଙ୍ଗା ସ୍ନାନ କରି ଫେରୁଥିବା ବେଳେ ପରମେଶ୍ୱର ପଣ୍ଡିତ ଉପରେ ନଜର ପଡ଼ିଥିଲା। ପରମେଶ୍ୱର ପ୍ରୟାଗରାଜରେ ହ୍ୱିଲଚେୟାରରେ ବସି ଭିକ୍ଷା ମାଗୁଥି‌ଲା।

ପରମେଶ୍ୱର ଅକ୍ଷମ ଥିବାରୁ ପ୍ରଥମେ ଗ୍ରାମବାସୀ ତାକୁ ଚିହ୍ନି ପାରି ନଥିଲେ। ପରେ ପୁଲିସ ଓ ଆଧାରକାର୍ଡ ସାହାଯ୍ୟରେ ପରମେଶ୍ୱର ହିଁ  ହଜିଲା ପୁଅ ବୋଲି ସ୍ପଷ୍ଟ ହୋଇଥିଲା। ’

୨୦୨୦ ମସିହାରେ କରୋନା ସମୟରେ ଛଠ ପୂଜା ଦିନ ପରମେଶ୍ୱର ହୁସେନଗଞ୍ଜରେ ସକାଳେ ଖାଇପିଇ ସିୱାନ ଯାଇଥିଲା।  ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ତାଙ୍କୁ ଖୋଜାଖୋଜି କରାଯାଇଥିଲା କିନ୍ତୁ କୌଣସି ସ୍ଥାନରେ ତାଙ୍କର ପତ୍ତା ମିଳି ନଥିଲା। ଏହାପରେ ପରମେଶ୍ୱର ଆଉ କେବେ ମିଳିବେ ସେ ନେଇ ପରିବାରଲୋକ ଆଶା ହରାଇ ଦେଇଥିଲେ କିନ୍ତୁ ଏବେ ସେମାନଙ୍କ ଖୁସିର କୌଣସି ସୀମା ନାହିଁ।