ଦେଶରେ ୫.୪ଲକ୍ଷ ପୁଲିସ ପଦବି ଖାଲି: ଓଡ଼ିଶାରେ ୧୦,୩୨୨, ଉତ୍ତରପ୍ରଦେଶରେ ୧.୨୯ ଲକ୍ଷ

ନୂଆଦିଲ୍ଲୀ: ଭାରତରେ ବିଭିନ୍ନ ରାଜ୍ୟରେ ହିଂସା ଓ ଅପରାଧ ବଢ଼ିଚାଲିଛି। ବହୁ ସଂଖ୍ୟାରେ ପୁଲିସ ପଦବି ଖାଲି ପଡ଼ିଥିବାରୁ ହିଂସା ନିୟନ୍ତ୍ରଣ ପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ହୋଇପାରୁନି। ଭାରତରେ ଜାନୁଆରି ୧, ୨୦୧୮ ସୁଦ୍ଧା ୫.୪୩ ଲକ୍ଷ ପୁଲିସ ପଦବି ଖାଲି ପଡ଼ିଥିବା ଜଣାପଡ଼ିଛି। କେବଳ ଉତ୍ତରପ୍ରଦେଶରେ ୧.୨୯ ଲକ୍ଷ ପୁଲିସ ପଦ ଖାଲି ପଡ଼ିଥିଲା। ପୁଲିସ ପ୍ରତିଷ୍ଠାନ ଗୁଡ଼ିକରେ ବିଭିନ୍ନ ପଦବି ଖାଲି ପଡ଼ୁଥିବା ସଂକ୍ରାନ୍ତ ବ୍ୟୁରୋ ଅଫ୍‌ ପୁଲିସ ରିସର୍ଚ୍ଚ‌୍ ଆଣ୍ଡ୍‌ ଡେଭେଲପମେଣ୍ଟ୍‌ (ବିପିଆରଡି) ଦ୍ବାରା ପ୍ରସ୍ତୁତ ତଥ୍ୟ ଏବେ ସାମ୍ନାକୁ ଆସିଛି। ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକରେ ମଂଜୁରିପ୍ରାପ୍ତ ପୁଲିସ ପଦବି ସଂଖ୍ୟା ଜାନୁଆରି ୧, ୨୦୧୮ ସୁଦ୍ଧା ୨୪,୮୪,୧୭୦ ରହିଥିବା ବେଳେ ସେଥି ମଧ୍ୟରୁ କେବଳ ୧୯,୪୧,୪୭୩ ପଦବି ପୂରଣ ହୋଇଛି। ୨୦୧୮ ଆରମ୍ଭରେ ପୁଲିସରେ ୫.୪୩ ଲକ୍ଷ ପଦବି ଖାଲି ପଡ଼ିଥିଲା। ୨୦୧୭ରେ ସମୁଦାୟ ମଂଜୁରିପ୍ରାପ୍ତ ପୁଲିସ ପଦବି ସଂଖ୍ୟା ୨୬,୬୪,୪୮୪ ଥିବାବେଳେ ଏଥି ମଧ୍ୟରୁ ୧୯,୨୬,୨୪୭ ପଦବି ପୂରଣ ହୋଇ ୫,୩୮,୨୩୭ ପଦବି ଖାଲି ପଡ଼ିଥିଲା। ସେହିପରି ୨୦୧୬ରେ ସମୁଦାୟ ମଂଜୁରିପ୍ରାପ୍ତ ପୁଲିସ ପଦବି ସଂଖ୍ୟା ୨୨,୮୦,୬୯୧ ଥିବାବେଳେ ଏଥିମଧ୍ୟରୁ ୧୭,୩୧,୬୬୬ ପଦବି ପୂରଣ ହୋଇ ଆହୁରି ୫,୪୯,୦୨୫ ପଦବି ଖାଲି ପଡ଼ିଥିଲା।

ବିପିଆରଡି ରିପୋର୍ଟ ଅନୁଯାୟୀ କେତେକ ରାଜ୍ୟରେ ଅଧିକ ସଂଖ୍ୟାରେ ପୁଲିସ କର୍ମୀଙ୍କ ଅଭାବ ରହୁଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ରାଜଧାନୀ ଦିଲ୍ଲୀରେ ୨୦୧୮ ଜାନୁଆରି ସୁଦ୍ଧା ପୁଲିସରେ ୧୧,୮୧୯ ପଦବି ଖାଲି ଥିଲା। ଆନ୍ଧ୍ରପ୍ରଦେଶ, ହରିୟାଣା, ଝାଡ଼ଖଣ୍ଡ, କେରଳ, ଓଡ଼ିଶା ଏବଂ ତେଲେଙ୍ଗାନା ତୁଳନାରେ ଦିଲ୍ଲୀରେ ମଂଜୁରିପ୍ରାପ୍ତ ପୁଲିସ ପଦବି ସଂଖ୍ୟା ଅଧିକ। ଉତ୍ତରପ୍ରଦେଶରେ ମଂଜୁରିପ୍ରାପ୍ତ ପୁଲିସ ପଦବି ସଂଖ୍ୟା ୪,୧୪,୪୯୨ ଥାଇ ମଧ୍ୟ ଏଠାରେ ମାତ୍ର ୨,୮୫,୫୪୦ ପଦବି ପୂରଣ ହୋଇଛି। ଏଠାରେ ଆହୁରି ୧,୨୮,୯୫୨ ପଦବି ଖାଲି ପଡ଼ିଛି। ବିହାରରେ ଏବେ ୫୦,୨୯୧ ପଦବି ଖାଲି ପଡ଼ିଛି। ସେହିପରି ପଶ୍ଚିମ ବଙ୍ଗରେ ୪୮,୯୮୧ ଏବଂ ତେଲେଙ୍ଗାନାରେ ୩୦,୩୪୫ ପଦବି ଖାଲି ପଡ଼ିଛି। ନାଗାଲାଣ୍ଡ ଏକମାତ୍ର ରାଜ୍ୟଭାବେ ଏହାର ମଂଜୁରିପ୍ରାପ୍ତ ୨୧,୨୯୨ ପୁଲିସ ପଦବି ସଂଖ୍ୟାଠାରୁ ଏଠାରେ ଅଧିକ ପୁଲିସ କର୍ମୀ ରହିଛନ୍ତି। ନକ୍ସଲ ପ୍ରଭାବିତ ଛତିଶଗଡ଼ ଜିଲ୍ଲାରେ ୧୧,୯୧୬ ପଦବି ଖାଲିପଡ଼ିଛି। ଅନ୍ୟପକ୍ଷେ ଓଡ଼ିଶାରେ ମଂଜୁରିପ୍ରାପ୍ତ ପୁଲିସ ପଦବି ସଂଖ୍ୟା ୬୬,୯୭୩ ଥିବାବେଳେ ଏଠାରେ ୧୦,୩୨୨ ପଦବି ଖାଲି ପଡ଼ିଛି। ଆତଙ୍କବାଦୀ ପ୍ରବଣ ରାଜ୍ୟ ଜମ୍ମୁ କଶ୍ମୀରରେ ୧୦,୦୪୪ ପଦବି ଖାଲି ପଡ଼ିଛି। ଜମ୍ମୁ କଶ୍ମୀରରେ ମଂଜୁରିପ୍ରାପ୍ତ ପୁଲିସ ପଦବି ସଂଖ୍ୟା ୮୭, ୮୮୨।

ସମ୍ବନ୍ଧିତ ଖବର