ପଶ୍ଚିମ ଇରାନ୍‌କୁ ଥରାଇଲା ୫. ୯ ତୀବ୍ର ଭୂମିକମ୍ପ: ୨ ମୃତ; ୧୦୦ ଆହତ

ନୂଆଦିଲ୍ଲୀ: ରବିବାର ପ୍ରତ୍ୟୁଷରେ ପଶ୍ଚିମ ଇରାନ୍‌ର କେର୍‌ମାନ୍‌ଶାହ ପ୍ରଦେଶରେ ୫. ୯ ତୀବ୍ର ଭୂମିକମ୍ପ ସଂଘଠିତ ହେବାରୁ ଅନ୍ୟୂନ ୨ ଜଣ ଲୋକଙ୍କର ମୃତ୍ୟୁ ଘଟିବା ସହ ଅନ୍ୟ ୧୦୦ ଜଣ ଆହତ ହୋଇଛନ୍ତି ବୋଲି ଇରାନ୍‌ର ସରକାରୀ ସମ୍ବାଦ ସରବରାହ ଏଜେନ୍‌ସି ‘ଇର୍‌ନା’ର ଖବରକୁ ଉଦ୍ଧାର କରି କେର୍‌ମାନ୍‌ଶାହ ପ୍ରଦେଶର ଜେନେରାଲ୍‌ ଡାଇରେକ୍ଟୋରେଟ୍‌ କହିଛି।

ତାଜେହାବାଦ ସହର ଠାରୁ ୬ ମାଇଲ୍‌ ଏବଂ ଜବାନରୁଦ୍‌ ସହର ଠାରୁ ୧୯ ମାଇଲ୍‌ ଦୂରରେ ଥିଲା ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ। ଭୂଗର୍ଭର ୬ ମାଇଲ୍‌ ବା ୧୦ କିଲୋମିଟର୍‌ ଅଭ୍ୟନ୍ତରରେ ଭୂମିକମ୍ପ ସଂଘଠିତ ହୋଇଥିଲା।

ରାଷ୍ଟ୍ରାୟତ ପ୍ରେସ୍‌ ଟିଭିକୁ ଇରାନ୍‌ର ଏମର୍ଜେନ୍‌ସି ଆଣ୍ଡ୍‌ ନେଚୁରାଲ୍‌ ଡିଜାଷ୍ଟର୍‌ ଏଜେନ୍‌ସି କହିଛି ଯେ ସମ୍ପୃକ୍ତ ଅଞ୍ଚଳକୁ ୫ଟି ଉଦ୍ଧାରକାରୀ ଦଳଙ୍କୁ ପଠାଯାଇଛି।

ଇରାନ୍‌ସ୍ଥିତ ଇଂରାଜୀ ଭାଷା ଟେଲିଭିଜନ୍‌ କେନ୍ଦ୍ର ପ୍ରେସ୍‌ ଟିଭି ଟୁଇଟ୍‌ କରି କହିଛି ଯେ ଯଦିବା ହଠାତ୍‌ ମୃତ୍ୟୁସଂଖ୍ୟା ଜଣାପଡ଼ି ନାହିଁ ତଥାପି ଲୋକମାନଙ୍କୁ ଡାକ୍ତରଖାନାକୁ ନିଆଯାଇଛି।

ରାଜଧାନୀ ବାଗ୍‌ଦାଦ୍‌ବାସୀ ମଧ୍ୟ କମ୍ପନ ଅନୁଭବ କରିଥିବା କଥା ଗଣମାଧ୍ୟମକୁ କହିଛନ୍ତି। ଇରାନ୍‌ ସୀମାନ୍ତ ଠାରୁ ୩୪୨ କିଲୋମିଟର୍‌ ଦୂରେ ବାଗ୍‌ଦାଦ୍‌ ଅବସ୍ଥିତ।

ଭୂମିକମ୍ପର ତୀବ୍ରତା ୬. ୧ ଥିଲା ବୋଲି ପ୍ରଥମେ ଯୁକ୍ତରାଷ୍ଟ୍ର ଆମେରିକା ଜିଓଲୋଜିକାଲ୍‌ ସର୍ଭେ କହିଥିଲା।

ସମ୍ବନ୍ଧିତ ଖବର