ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀର ପୁଞ୍ଚ୍‌ ସେକ୍ଟର୍‌ରେ ଚାଲିଥିବା ଆତଙ୍କବାଦୀ ଦମନ ଅଭିଯାନରେ ଗୁଳିବିନିମୟ ଘଟି ଆଜି ଭାରତୀୟ ସେନାର ୫ଜଣ ଯବାନ ସହିଦ ହୋଇଛନ୍ତି। ସହିଦମାନେ ହେଲେ ୪ଜଣ ଯବାନ ଏବଂ ଜଣେ ‘ଜୁନିୟର୍‌ କମିସନ୍‌ ଅଫିସର୍‌’ (ଜେସିଓ)।

Advertisment

ଜଣେ ପ୍ରତିରକ୍ଷା ମୁଖପାତ୍ରଙ୍କ କହିବା ଅନୁସାରେ, ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ବନ୍ଧରେ ଗୁଇନ୍ଦା ସୂଚନା ପାଇ ଆଜି ପ୍ରତ୍ୟୁଷରେ ସୁରନକୋଟ୍‌ ଅନ୍ତର୍ଗତ ‘ଡିକେଜି’ ନିକଟ ଗାଁରେ ଅଭିଯାନ ଆରମ୍ଭ ହୋଇଥିଲା। ୩/୪ଜଣ ଆତଙ୍କବାଦୀ ଆତ୍ମଗୋପନ କରିଥିବା ମନେକରି ସେନା ସମ୍ପୃକ୍ତ ଅଞ୍ଚଳକୁ ଘେରାଉ କରିଥିଲା।

publive-image Image Courtesy of The Economic Times

ଆତ୍ମଗୋପନ କରିଥିବା ଆତଙ୍କବାଦୀମାନେ ହଠାତ୍‌ ତଲାସକାରୀ ଯବାନମାନଙ୍କ ଉପରକୁ ଭୀଷଣ ଗୁଳିଗୋଳା ଚଳାଇବାରୁ ‘ଜେସିଓ’ ଏବଂ ଅନ୍ୟ ୪ଜଣ ଯବାନ ଆହତ ହୋଇଥିଲେ। ପରେ ସେମାନଙ୍କର ମୃତ୍ୟୁ ଘଟିଥିଲା।

ଏହା ସୁରନକୋଟ୍‌ ସବ୍‌ଡିଭିଜନ୍‌ ଅନ୍ତର୍ଗତ ମୋଗଲ୍‌ ରୋଡ୍‌ ନିକଟରେ ଥିବା ଅରଣ୍ୟରେ ଅନୁପ୍ରବେଶ ଉଦ୍ୟମ ବୋଲି ନିରାପତ୍ତା ବଳ ସନ୍ଦେହ କରୁଛି।

ସୁରକ୍ଷା ଅଧିକାରୀମାନେ କହିଛନ୍ତି ଯେ, କୌଣସିମତେ ନିୟନ୍ତ୍ରଣ ରେଖା ଟପି ଭାରତ ପଟକୁ ଚାଲିଆସିଥିବା ଅନେକ ଅସ୍ତ୍ରଶସ୍ତ୍ରଧାରୀ ଆତଙ୍କବାଦୀ ଦଳ ଚାମରେର୍‌ ଅରଣ୍ୟରେ ଥିବା କଥା ରିପୋର୍ଟ ମିଳିଥିଲା। ସେମାନଙ୍କୁ ନିପାତ କରିବା ଲାଗି ତୁରନ୍ତ ସମସ୍ତ ପଥକୁ ଅବରୋଧ କରାଯାଇଥିଲା।

ଏବେ ମଧ୍ୟ ଆତ୍ମଗୋପନକାରୀ ଆତଙ୍କବାଦୀ ଦଳ ଓ ନିରାପତ୍ତା ବଳ ମଧ୍ୟରେ ଗୁଳି ବିନିମୟ ଚାଲିଛି।