ଶନିବାର ଦିନ ଭାରତ ଫେରିବେ ଅରୁଣାଚଳ ପ୍ରଦେଶରୁ ନିଖୋଜ ୫ ଯୁବକ, ଭାରତୀୟ ସେନା ହାତରେ ଅର୍ପଣ କରିବ ଚୀନ ସେନା

ନୂଆଦିଲ୍ଲୀ : ଚୀନ ସେନା କବଜାରେ ଥିବା ଅରୁଣାଚଳ ପ୍ରଦେଶର ୫ ଜଣ ଯୁବକ ଆସନ୍ତା କାଲି ଭାରତ ଫେରିବେ । ଆସନ୍ତା କାଲି ଅର୍ଥାତ ଶନିବାର ଦିନ ଚୀନ ସେନା ସେମାନଙ୍କୁ ଭାରତୀୟ ସେନା ହାତରେ ଅର୍ପଣ କରିବ ବୋଲି କେନ୍ଦ୍ର କ୍ରୀଡ଼ା ଓ ଯୁବବ୍ୟାପାର ରାଷ୍ଟ୍ରମନ୍ତ୍ରୀ କିରଣ ରିଜିଜୁ ଟ୍ଵିଟ କରି ସୂଚନା ଦେଇଛନ୍ତି ।

ଏହି ଯୁବକମାନେ ନିଖୋଜ ହେବା ପରେ ଭାରତୀୟ ସେନା ପକ୍ଷରୁ ଚୀନ ସେନା ସହ ହଟଲାଇନ ସଂଯୋଗ କରାଯାଇଥିଲା । ଏହି ଯୋଗାଯୋଗର ଉତ୍ତର ଦେଇ ଚୀନ ସେନା ପକ୍ଷରୁ ସ୍ୱୀକାର କରାଯାଇଥିଲା ଯେ ଉକ୍ତ ଯୁବକମାନେ ସେମାନଙ୍କ ପାଖରେ ଅଛନ୍ତି ।
ଦୁଇଦିନ ତଳେ କେନ୍ଦ୍ରମନ୍ତ୍ରୀ ରିଜିଜୁ କହିଥିଲେ ଯେ ଉକ୍ତ ଯୁବକମାନଙ୍କୁ ଭାରତକୁ ଫେରାଇଦେବାକୁ ଚୀନ ସେନା ରାଜି ହୋଇଛି ଓ ସେମାନଙ୍କୁ ଫେରାଇ ଆଣିବାକୁ ଅଧିକାରୀମାନେ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି ।

 

ନିଖୋଜ ୫ ଜଣ ଯୁବକ ଅରୁଣାଚଳର ଉପର ସୁବନସିରି ଜିଲ୍ଲାର ନାଚୋ ଅଞ୍ଚଳର ବୋଲି ଜଣାପଡ଼ିଛି । ସେମାନେ କୁଲି କାମ ଓ ବେଳେବେଳେ ଭାରତୀୟ ସେନା ପାଇଁ ଗାଇଡ କାମ କରନ୍ତି ବୋଲି ଜଣାପଡ଼ିଛି ।

ସେମାନେ ଗତ ସପ୍ତାହ ଶୁକ୍ରବାରଦିନ ଜଙ୍ଗଲକୁ ଶିକାର ପାଇଁ ଯାଇଥିଲେ । ସେମାନଙ୍କ ଦଳରେ ମୋଟ ୭ ଜଣ ଥିବାବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ଘରକୁ ଫେରିଆସିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ନାଚୋ ଅଞ୍ଚଳଟି ଭାରତ ଓ ଚୀନ ମଧ୍ୟରେ ଥିବା ମାକମୋହନ ଲାଇନ ନିକଟରେ ଅବସ୍ଥିତ ।

ସମ୍ବନ୍ଧିତ ଖବର