ଲୁଣାୱାଡ଼ା: ଗୁଜରାଟର ମହିସାଗର ଜିଲ୍ଲାର ଗୋଟାଏ ଥାନାରୁ ୧୨୫ ବୋତଲ ଜବତ ମଦ ଓ ୧୫ଟି ଟେବୁଲ ପଙ୍ଖା ଚୋରି କରିଥିବାରୁ ଜଣେ ସହକାରୀ ସବ୍‌-ଇନ୍‌ସ୍‌ପେକ୍ଟର୍‌ଙ୍କ ସମେତ ୫ଜଣ ପୁଲିସଙ୍କୁ ଗିରଫ କରାଯାଇଥିବା କଥା ଶନିବାର ଦିନ ଜଣେ ସରକାରୀ ଅଧିକାରୀ କହିଛନ୍ତି।

Advertisment

‘ନିଉଜ୍‌ ଏଜେନ୍‌ସି ପି.ଟି.ଆଇ.’କୁ ଡେପୁଟି ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ପି. ଏସ୍. ୱାଲ୍‌ବି କହିଛନ୍ତି, ଖାନ୍‌ପୁର ତାଲୁକ ଅନ୍ତର୍ଗତ ବାକୋର୍‌ ଥାନାରେ ଥିବା ମହିଳା ଲକ୍‌-ଅପ୍‌ରେ ଉକ୍ତ ମଦ ବୋତଲ ଓ ପଙ୍ଖା ଗଚ୍ଛିତ ରଖାଯାଇଥିଲା।

ୱାଲ୍‌ବି କହିଛନ୍ତି, ଜଣେ ବ୍ୟକ୍ତିଙ୍କଠାରୁ ବାକୋର୍‌ ପୁଲିସ ଭାରତରେ ନିର୍ମିତ ୪୨୮ ବୋତଲ ବିଦେଶୀ ମଦ ବୋତଲ ଓ ୭୫ଟି ଟେବୁଲ୍‌ ପଙ୍ଖା ଜବତ କରିଥିଲା। ଟେବୁଲ୍‌ ପଙ୍ଖା ପେଟି ପଛରେ ଲୁଚାଇ ସେ ବ୍ୟକ୍ତି ମଦ‌ ବ‌ୋତଲ ସବୁ ଗୁଜରାଟକୁ ଚୋରା ଚାଲାଣ କରିବାକୁ ଉଦ୍ୟମ କରୁଥିଲେ। ଜବତ ସାମଗ୍ରୀ ରଖିବା ନିମନ୍ତେ ଉଦ୍ଦିଷ୍ଟ ପ୍ରକୋଷ୍ଠରେ ଆଉ ଜାଗା ନ ଥିବାରୁ ଜବତ କରାଯାଇଥିବା ମଦ ବ‌ୋତଲ ଓ ଟେବୁଲ ପଙ୍ଖା ସବୁ ମହିଳା ଲକ୍‌-ଅପ୍‌ରେ ରଖାଯାଇଥିଲା।

publive-image Image Courtesy of News9live

ପଦସ୍ଥ ପୁଲିସ ଅଧିକାରୀମାନେ ଥାନା ‘ଇନ୍‌ପେକ୍ସନ୍‌’ କରିବାକୁ ଆସିବାକୁ ଥିବାରୁ ସେ ଥାନାର ପୁଲିସ କର୍ମଚାରୀମାନଙ୍କୁ ଜବତ ସାମଗ୍ରୀର ରେକର୍ଡ ଦେବା ସହିତ ଥାନାକୁ ପରିଷ୍କାର ପରିଚ୍ଛନ କରିବାକୁ କୁହାଯାଇଥିଲା। ଲକ୍‌-ଅପ୍‌ ସଫା କରିବା ବେଳେ ସେଠାରୁ ଜବତ ମଦ ବୋତଲ ଓ ପଙ୍ଖାଗୁଡ଼ିକର ଖାଲି ବା ଭଙ୍ଗା ଖୋଳ ମିଳିଥିଲା ବୋଲି ସେ କହିଛନ୍ତି।

ଯାଞ୍ଚରୁ ଜଣାପଡ଼ିଲା ୧.୫୭ ଲକ୍ଷ ଟଙ୍କାର ୧୨୫ ବିଦେଶୀ ମଦ ବୋତଲ ଓ ୪୦,୫୦୦ ଟଙ୍କାର ୧୫ଟି ଟେବୁଲ୍‌ ଫ୍ୟାନ୍‌ ନାହିଁ। ତେଣୁ, ନଭେମ୍ବର ୧୪ ତାରିଖ ଦିନ ‘ଏଫ୍‌ଆଇଆର୍‌’ ଫାଇଲ୍‌ କରାଗଲା।

‘ଏଫ୍‌ଆଇଆର୍‌’ରେ ଉଲ୍ଲେଖ ଅଛି, ଅକ୍ଟୋବର ୨୫ ତାରିଖ ଦିନ ଡିୟୁଟିରେ ଥିବା ବ‌େଳେ ସହକାରୀ ସବ୍‌-ଇନ୍‌ସ୍‌ପେକ୍ଟର୍‌ ଅରବିନ୍ଦ କାନ୍ତ ଚୋରି ଯୋଜନା କରିଥିଲେ। ଏହି ଚୋରି ଦୃଶ୍ୟ ‘ସିସିଟିଭି’ରେ ଉତ୍ତୋଳିତ ହୋଇଛି। ତେଣୁ, ସହକାରୀ ସବ୍‌-ଇନ୍‌ସ୍‌ପେକ୍ଟର୍‌ ଅରବିନ୍ଦ କାନ୍ତ ସମେତ ୪ଜଣ ପୁଲିସ କର୍ମଚାରୀଙ୍କୁ ଗିରଫ କରାଯାଇଛି। ଚୋରୀରେ ସେମାନଙ୍କୁ ସହଯୋଗ କରିଥିବା ଜଣେ ସ୍ଥାନୀୟ ବ୍ୟକ୍ତି ଫେରାର୍‌ ହୋଇଯାଇଛନ୍ତି।