ଡେରାଡୁନ : ଉତ୍ତରାଖଣ୍ଡ ଜଙ୍ଗଲରେ ଲାଗିଥିବା ନିଆଁ ଦିନକୁ ଦିନ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି । ଏହି ନିଆଁ ଲାଗିବା ଯୋଗୁଁ ଏପର୍ଯ୍ୟନ୍ତ ୫ ଜଣ ମୃତ୍ୟୁବରଣ କରିସାରିଲେଣି । ତେବେ ଏହି ନିଆଁ ଯୋଗୁଁ ଗ୍ଲାସିୟର ତରଳିବାର ଆଶଙ୍କା ଦେଖାଦେଇଛି ।

Advertisment

ଏହି ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଉତ୍ତରାଖଣ୍ଡ ସରକାର ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନଡିଆରଏଫ) ମୁତୟନ କରିଛନ୍ତି। ନିଆଁ ଯୋଗୁଁ ଗଡ଼ୱାଲ ଡିଭିଜନର ପୌରୀ ଜିଲ୍ଲା ଏବଂ କୁମାଉଁର ଆଲମୋଡା ଜିଲ୍ଲାରେ ଜଙ୍ଗଲ ଅଧିକ ଧୂଆଁମୟ ହୋଇପଡିଛି । ଅନ୍ୟପକ୍ଷରେ ସୋମବାର ରାଜ୍ୟର ୨୦ଟି ସ୍ଥାନରେ ଜଙ୍ଗଲରେ ନିଆଁ ଲାଗିଛି। ସୋମବାର ପୌରୀରେ ନିଆଁ ଲିଭାଇବା ପାଇଁ ବାୟୁସେନା ହେଲିକପ୍ଟରରୁ ପାଣି ସିଞ୍ଚନ କରାଯାଇଥିଲା।

ସେହିପରି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୯୩୦ଟି ଜଙ୍ଗଲରେ ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିଛି, ଯେଉଁଥିରେ ୧୧୯୬ ହେକ୍ଟରରୁ ଅଧିକ ଜଙ୍ଗଲ ଜଳି ଯାଇଛି। କୁମାଉଁରେ ସର୍ବାଧିକ ୪୯୧ ଟି ଓ ଗଡ଼ୱାଲରେ ୩୬୫ ଟି ଘଟଣା ଘଟିଥିବା ବେଳେ ବନ୍ୟପ୍ରାଣୀ କ୍ଷେତ୍ରରୁ ୭୪ ଟି ମାମଲା ସାମ୍ନାକୁ ଆସିଛି । ଅନିୟନ୍ତ୍ରିତ ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ ୫ ଜଣଙ୍କମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ତେବେ ଜଙ୍ଗଲରେ ନିଆଁ ଲାଗିବା କାରଣରୁ ଏପର୍ଯ୍ୟନ୍ତ କୌଣସି ବନ୍ୟଜନ୍ତୁଙ୍କ ମୃତ୍ୟୁ ହୋଇନାହିଁ ବୋଲି ସରକାର ଦାବି କରିଛନ୍ତି।

ସେପଟେ ଜାଣିଶୁଣି ଓ ଅବହେଳା ଜନିତ ଅଗ୍ନିକାଣ୍ଡ ଘଟଣାରେ ସରକାର ଅତ୍ୟନ୍ତ କଠୋର ହୋଇଛନ୍ତି । ବାରମ୍ବାର ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ବିରୋଧରେ ଗ୍ୟାଙ୍ଗଷ୍ଟର ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଉତ୍ତରାଖଣ୍ଡ ପବ୍ଲିକ୍ ଆଣ୍ଡ ପ୍ରାଇଭେଟ୍ ପ୍ରପର୍ଟି ଡ୍ୟାମେଜ୍ ରିକଭରି ଆକ୍ଟ ଅନୁଯାୟୀ ଜଙ୍ଗଲ ସମ୍ପତ୍ତି କ୍ଷୟକ୍ଷତିର ଭରଣା ନିଆଁ ଲଗାଇଥିବା ବ୍ୟକ୍ତିଙ୍କଠାରୁ ଆଦାୟ ହେବ ।