ଗୁଜରାଟରେ ୫ ବିଦେଶୀ ଛାତ୍ରଙ୍କୁ ଆକ୍ରମଣ: ଅଭିଯୁକ୍ତଙ୍କୁ ତୁରନ୍ତ ଗରଫ କରିବାକୁ ନିର୍ଦ୍ଦେଶ

ଅହମ୍ମଦାବାଦ: ଗୁଜରାଟ ବିଶ୍ବବିଦ୍ୟାଳୟର ୫ ଜଣ ବିଦେଶୀ ଛାତ୍ରଙ୍କୁ କିଛି ଦୁର୍ବୃତ୍ତ ନିସ୍ତୁକ ମାଡ଼ ମାରିବା ସହ ଛାତ୍ରାବାସରେ ପଶି ଭଙ୍ଗାରୁଜା କରିଛନ୍ତି। ଅହମ୍ମଦାବାଦ ପୁଲିସ କମିସନର ଜିଏସ୍‌ ମଲ୍ଲିକ ଆଜି ଘଟଣା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ବିଶ୍ବବିଦ୍ୟାଳୟରେ ପ୍ରାୟ ୩ ଶହ ବିଦେଶୀ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ସେମାନଙ୍କ ମଧ୍ୟରୁ ୭୫ଜଣ ‘ବ୍ଲକ-ଏ’ ହଷ୍ଟେଲ୍‌ରେ ରହନ୍ତି। ଗତରାତି ସାଢ଼େ ୧୦ଟା ବେଳେ ରମଜାନ ପ୍ରାର୍ଥନାକୁ ନେଇ ବିବାଦ ଉପୁଜିଥିଲା। ବିଶ୍ବବିଦ୍ୟାଳୟ ପରିସରରେ ଉଜ୍‌ବେକିସ୍ତାନ, ଆଫ୍‌ଗାନିସ୍ତାନ, ତାଜିକ୍‌ସ୍ତାନ, ଦକ୍ଷିଣଆଫ୍ରିକା ଓ ଶ୍ରୀଲଙ୍କାର ୫ ଛାତ୍ର ନମାଜ ପଢ଼ୁଥିଲେ। ଏହି ସମୟରେ ସେଠାରେ କିଛି ଅଣଛାତ୍ର ପହଞ୍ଚି ସେମାନଙ୍କୁ ଏହା କରିବାକୁ ବାରଣ କରିଥିଲେ ଓ ମସ୍‌ଜିଦ୍‌ରେ ଯାଇ ନମାଜ ପଢ଼ିବାକୁ ତାଗିଦ୍‌ କରିଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ଅଣଛାତ୍ରମାନେ ଉକ୍ତ ବିଦେଶୀ ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରିବା ସହ ସେମାନଙ୍କ ପ୍ରକୋଷ୍ଠରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ। ଏହି ଘଟଣାରେ ଆହତ ହୋଇଥିବା ଶ୍ରୀଲଙ୍କା ଓ ତାଜିକ୍‌ସ୍ତାନର ଦୁଇ ଛାତ୍ରଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏନେଇ ସିସିଟିଭି ଭିଡ଼ିଓ ଫୁଟେଜ୍‌ ତଥା ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା ଭିଡ଼ିଓର ଯାଞ୍ଚ କରାଯାଉଛି। ୨୦-୨୫ ଅଣଛାତ୍ରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ ଅଣଛାତ୍ରଙ୍କୁ ଚିହ୍ନଟ କରାଯିବା ପ୍ରକ୍ରିୟା ଜାରି ରହିଛି। ବର୍ତ୍ତମାନ ବିଶ୍ବବିଦ୍ୟାଳୟର ପରିସ୍ଥିତି ଶାନ୍ତ ରହିଛି। ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ରଣଧୀର ଜୈଶୱାଲ୍‌ କହିଛନ୍ତି ଯେ ଏହି ଘଟଣାରେ ଦୁଇ ଆହତ ଛାତ୍ରଙ୍କ ମଧ୍ୟରୁ ଜଣକୁ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ଅନ୍ୟଜଣଙ୍କ ଚିକିତ୍ସା ଜାରି ରହିଛି। ମାମଲା‌ ସମ୍ପର୍କରେ ଗୁଜରାଟ ସରକାରଙ୍କ ସହ ମନ୍ତ୍ରଣାଳୟ ପକ୍ଷରୁ ଯୋଗାଯୋଗ ରକ୍ଷା କରାଯାଇଛି।

ସମ୍ବନ୍ଧିତ ଖବର