ନୁଆଦିଲ୍ଲୀ: ୨୦୨୦ ମାର୍ଚ୍ଚ ମାସରେ କରୋନା ମହାମାରୀ ଆରମ୍ଭ ହେବାପର ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସୁପ୍ରିମକୋର୍ଟରେ ଭିଡିଓ କନଫ୍ରେନସିଂ ମାଧ୍ୟମରେ ଶୁଣାଣି ଜାରି ରହିଛି।ଯଦିବା ଏହି ଅବଧିରେ ସର୍ବୋଚ୍ଚ ନ୍ୟାୟାଳୟ କଛି ଜରୁରୀ ଓ ଗୁରୁତ୍ବପୂର୍ଣ ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି ହେଲେ କରୋନା ପ୍ରକୋପ ଆରମ୍ଭ ହେବା ପୂର୍ବରୁ ଯେଉଁଭଳିଭାବେ ଦୈନନ୍ଦିନ ୧୫୦୦ରୁ ଅଧିକ ମାମଲାର ଶୁଣାଣି ହେଉଥିଲା ତାହା ପାଖାପାଖି ୧୦୦ରୁ ୧୫କୁ ଖସି ଆସିଛି।ସୁପ୍ରିମକୋର୍ଟର ତଥ୍ୟ ଅନୁସାରେ ମଇ ୧, ୨୦୨୧ ସୁଧା କୋର୍ଟରେ ୬୭,୮୯୮ ମାମଲା ବିଚାରଧିନ ରହିଛି। ଅପରପକ୍ଷେ,ଗତ ୧୪ମାସରେ ସୁପ୍ରିମକୋର୍ଟରେ ଓଡିଶା ସଂର୍ପକିତ ୨୦୦ରୁ ଅଧିକ ମାମଲାର ଶୁଣାଣି ହୋଇଥିବାବେଳେ ୧୦ଟି ମାମଲାରେ ରାୟ ପ୍ରକାଶ ପାଇଛି ଏବଂ ଆଉ କିଛି ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ଆଦେଶ ଓ ନିର୍ଦ୍ଦେଶ ମଧ୍ୟ ଜାରି କରିଛନ୍ତି।ହେଲେ ଓଡିଶା ସଂର୍ପକିତ ୫ଟି ପ୍ରମୁଖ ମାମଲାର ଶୁଣାଣି ଠପ୍ ପଡିଛି । ୫ଟି ମାମଲା ଗୁଡିକ ମଧ୍ୟରୁ ଦୁଇଟି ବହୁଚର୍ଚ୍ଚିତ ପୋଲାଭରମ ଓ ବଂଶଧାରା ଜଳବିବାଦ ମାମଲା,ଶ୍ରୀମନ୍ଦିର ସଂସ୍କାର ମାମଲା,ପରି ହତ୍ୟାକାଣ୍ଡ ମାମଲା ଓ କୋଟିଆ ମାମଲା।
/sambad/media/post_attachments/wp-content/uploads/2021/06/upreme-court.jpg)
ପୋଲାଭରମ ପ୍ରକଳ୍ପକୁ ବିରୋଧ କରି ଓଡିଶା ଦ୍ବାରା ୨୦୦୭ରେ ଦାଖଲ କରାଯାଇଥିବା ଅରିଜିନାଲ ସୁଟ ତଥା ଏକାଧିକ ମଧ୍ୟବର୍ତ୍ତିକାଳିନ ଆବେଦନ ଗୁଡିକ ଏବେବି ସୁପ୍ରିମକୋର୍ଟରେ ବିଚାରଧିନ ରହିଛି।ଅରିଜିନାଲ ସୁଟ୍ ଓ ମଧ୍ୟବର୍ତ୍ତିକାଳିନ ଆବେଦନ ଗୁଡିକର ଶୁଣାଣି ୨୦୦୮ ,ଏପ୍ରିଲ ରୁ ୨୦୨୦ ଫେବୁଆରି ମଧ୍ୟରେ ୬୦ ଥର ହୋଇଥିବାବେଳେ ମାମଲାରେ କୌଣସି ନିଷ୍କସ ବାହାରି ପାରିନାହିଁ। ଅରିଜିନାଲ ସୁଟ୍ ର ଶୁଣାଣି ପାଇଁ ୨୦୧୮,ଅଗଷ୍ଟ ୨ ରେ ସର୍ବୋଚ୍ଚ ନ୍ୟାୟାଳୟ ୧୪ଟି ପ୍ରସଙ୍ଗ ଧାର୍ଯ୍ୟ କରିଥିଲେ ମଧ୍ୟ ଶୁଣାଣି ଆଜି ସୁଧା ଆରମ୍ଭ ହୋଇପାରିନାହିଁ,କରୋନାର କୋଳାହଳରେ ଏହି ମାମଲା ହଜିଗଲାଭଳି ଜଣାପଡୁଛି।ପୋଲାଭରମ ମାମଲାର ଶୁଣାଣି କେବେ ହେବ ସେ ସଂର୍ପକରେ କିଛି ବି ସୂଚନା ମିଳୁପାରୁନଥିବାବେଳେ ଆନ୍ଧ୍ରପ୍ରଦେଶ ସରକାର ଯୁଦ୍ଦକାଳୀନ ଭିତ୍ତିରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ପାଇଁ ତତ୍ପର ଅଛନ୍ତି।
ସେହିଭଳି ଓଡିଶା-ଆନ୍ଧ୍ର ମଧ୍ୟରେ ଲାଗିରହିଥିବା ବଂଶଧାରା ଜଳବିବାଦ ମାମଲାର ଶୁଣାଣି କରୋନା ମହାମାରୀ ଯୋଗୁଁ ଅଟକିଛି।ଟ୍ରିବ୍ୟୁନାଲର ସେପ୍ଟମ୍ବର ୧୩,୨୦୧୭ ର ଚୁଡାନ୍ତ ରାୟକୁ ଚ୍ୟାଲେଂଜ କରି ଓଡିଶା ଦ୍ବାରା ଦାଖଲ କରାଯାଇଥିବା ଏସଏଲପିର ଆଜି ପର୍ଯ୍ୟନ୍ତ ଗୋଟିଏ ମଧ୍ୟ ଶୁଣାଣି ହୋଇପାରିନାହି।ଅପରପକ୍ଷେ ବଂଶଧାରା ନଦୀ ଉପରେ ଆପୋସ ବୁଝାମଣାରେ ନେରେଡି ବ୍ୟାରେଜ୍ ନିର୍ମାଣ ପାଇଁ ନିକଟରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ନିକଟରେ ପତ୍ର ଲେଖିଛନ୍ତି।
/sambad/media/post_attachments/wp-content/uploads/2021/06/sc-3.jpg)
ଶ୍ରୀମନ୍ଦିର ସଂସ୍କାର ସଂର୍ପକିତ ଗୁରୁତ୍ବପୂର୍ଣ ମାମଲାର ଶୁଣାଣି ମଧ୍ୟ ଗତ ୧୬ ମାସରୁ ସର୍ବୋଚ୍ଚ ନ୍ୟାୟାଳୟରେ ହୋଇପାରି ନାହିଁ। ନଭେମ୍ବର ୪,୨୦୧୯ରେ ଶ୍ରୀମନ୍ଦିର ସସ୍କାର ମାମଲାରେ ସୁପ୍ରିମକୋର୍ଟ ୨୨ଟି ଅନ୍ତରିଣ ନିର୍ଦ୍ଦେଶନାମା ଜାରି କରିଥିଲେ। ନିର୍ଦ୍ଦେଶନାମାରେ ଶ୍ରୀମନ୍ଦିର ସଂସ୍କାର ମାମଲା ଅନ୍ତର୍ଗତ ଶ୍ରୀମନ୍ଦିର ସୁପରିଚାଳନା ଲାଗି ଜଣେ ପୁର୍ଣକାଳିନ ମୁଖ୍ୟ ପ୍ରଶାସକ ନିଯୁକ୍ତି କରିବା ଲାଗି ରାଜ୍ୟ ସରକାରଙ୍କୁ ତଥା ଶ୍ରୀ ଜଗନ୍ନାଥଙ୍କର ସମ୍ପତ୍ତିର ବିବରଣୀ ପ୍ରଦାନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।lବର୍ତ୍ତମାନ ସୁଧା ଏହି ଦୁଇଟି ନିର୍ଦ୍ଦେଶର କ୍ରିୟାନୟନକୁ ନେଇ କୌଣସି ସୁଚନା ମିଳିପାରି ନ ଥିବା ବେଳେ ଏହି ମାମଲାର କେବେ ଶୁଣାଣି ହେବ ତାହା ଅସ୍ପଷ୍ଟ ରହିଛି।
ବହୁଚର୍ଚ୍ଚିତ ନୟାଗଡ ପରି ହତ୍ୟାକାଣ୍ଡ ଘଟଣାରେ ସିବିଆଇ ତଦନ୍ତ ଦାବୀ କରି ମାଆ ସୌଦାମିନୀ ସାହୁଙ୍କ ଦ୍ବାରା ଦାଖଲ କରାଯାଇଥିବା ରିଟ ଆବେଦନ ର ଶୁଣାଣି ଏବେବି ସୁପ୍ରିମକୋର୍ଟରେ ବିଚାରଧିନ ରହିଛି।ଏହି ମାମଲାରେ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରି ସବିଆଇ ତଦନ୍ତର ଆବଶ୍ୟକତା ନାହି ବୋଲି ଜଣାଇସାରିଛନ୍ତି।
ବିବାଦୀୟ କୋଟିଆ ଗ୍ରାମପୁଂଜରେ ଆନ୍ଧ୍ରପ୍ରଦେଶ ନର୍ବାଚନ କମିଶନ ପଂଚାୟତ ନିର୍ବାଚନ ପାଇଁ ଘୋଷଣା କରିବାପରେ ଆରମ୍ଭ ହୋଇଥିଲା ବିବାଦିୟ ପରିସ୍ଥିତି। ରାଜ୍ୟ ସରକାର ଆନ୍ଧ୍ର ବିରୋଧରେ ଅଦାଲତ ଅବମାନନା ମକଦ୍ଦମା ରୁଜୁ କରିଥିଲେ ସୁପ୍ରିମକୋର୍ଟରେ । ଦୁଇ ରାଜ୍ୟ ମାନଙ୍କ ପକ୍ଷରୁ ସର୍ବୋଚ୍ଚ ନ୍ୟାୟାଳୟରେ ଜବାବ ପ୍ରତିଜବାବ ଦାଖଲ ହୋଇସାରିଥିଲେ ମଧ୍ୟ କରୋନା ର ପ୍ରକୋପ ପାଇଁ ମାମଲାର ବିସ୍ତୁତ ଶୁଣାଣି ହୋଇପାରି ନାହି।
ଅପରପକ୍ଷେ, ସୁପ୍ରିମକୋର୍ଟରେ ଏସବୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ମାନଙ୍କର କହିବାର ହେଉଛି କରୋନା କାଳରେ ଭର୍ଚ୍ଚୁଆଲ ମୋଡରେ ଏସବୁ ମାମଲା ଗୁଡିକର ବିସ୍ତୁତ ଶୁଣାଣି ଅସମ୍ଭବ,କାରଣ ମାମଲା ଗୁଡିକର ସମ୍ଭେଦନଶୀଳତା ଦୁଷ୍ଟିରୁ ଶୁଣାଣି ବେଳେ ଏକାଧିକ ନଥିପତ୍ର, ଦସ୍ତାବେଜ ଉପସ୍ଥାପନ କରିବାକୁ ପଡିଥାଏ,ଯାହା କେବଳ ଫିଜିକାଲ ଶୁଣାଣିରେ ସମ୍ଭବ ହୋଇପାରିବ।ଅତଏବ କୋର୍ଟ ସ୍ବାଭବିକ ହେବା ପରେ ଏସବୁ ମାମଲାର ଶୁଣାଣିରେ ଗତି ଧରିବ ବୋଲି ଆଶା କରାଯାଉଛି।