ତୁରା: ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ୍ ସାଙ୍ଗମାଙ୍କ କାର୍ଯ୍ୟାଳୟରେ ଆଜି ଉତ୍ତ୍ୟକ୍ତ ଆନ୍ଦୋଳନକାରୀ ପଣି ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ମୁଖ୍ୟମନ୍ତ୍ରୀ କନରାଡ୍ ସାଙ୍ଗମାଙ୍କ କାର୍ଯ୍ୟାଳୟର ୫ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ତେବେ, ମୁଖ୍ୟମନ୍ତ୍ରୀ ସାଙ୍ଗମା ସୁରକ୍ଷିତ ଅଛନ୍ତି ଏବଂ ସେ ଏବେ ବି ତୁରାସ୍ଥିତ ତାଙ୍କ କାର୍ଯ୍ୟାଳୟ ଭିତରେ ଅଛନ୍ତି। ସୂଚନା ମୁତାବକ ଏବେେ ବି ବହୁସଂଖ୍ୟକ ଲୋକ ଏହି ପରିସରକୁ ଘେରି ରହିଛନ୍ତି।
ରିପୋର୍ଟରୁ ପ୍ରକାଶ, ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବାହାରେ ଶହ ଶହ ଲୋକ ଏକାଠି ହୋଇ ପଥର ଫିଙ୍ଗିବା ଆରମ୍ଭ କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ଆକ୍ରମଣରେ ୫ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିଲେ। ସେମାନଙ୍କୁ ଶ୍ରୀ ସାଙ୍ଗମାଙ୍କ କାର୍ଯ୍ୟାଳୟ ଭିତରକୁ ଅଣାଯାଇଥିଲା।
ମୁଖ୍ୟମନ୍ତ୍ରୀ ସାଙ୍ଗମା ସୁରକ୍ଷିତ ଥିବା ବେଳେ ବିକ୍ଷୋଭକାରୀମାନେ କାର୍ଯ୍ୟାଳୟର ପ୍ରବେଶ ପଥ ଅବରୋଧ କରିଥିବାରୁ ସେ ବାହାରକୁ ବାହାରି ପାରୁନାହାନ୍ତି।
ସ୍ଥିତି ନିୟନ୍ତ୍ରଣାଧୀନ ଥିବା ବେଳେ ଉତ୍ତେଜନାପୂର୍ଣ୍ଣ ରହିଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ସାଙ୍ଗମା ବିକ୍ଷୋଭକାରୀଙ୍କ ସହ କଥାବାର୍ତ୍ତା କରୁଥିବା ବେଳେ ଭିଡ଼ ଭିତରେ ଥିବା କିଛି ଲୋକ ପଥର ଫିଙ୍ଗିବା ଆରମ୍ଭ କରିଥିଲେ। ତୁରାରେ ଶୀତକାଳୀନ ରାଜଧାନୀ ଦାବି କରୁଥିବା ନାଗରିକ ସମାଜ ଗୋଷ୍ଠୀଗୁଡ଼ିକ ମଧ୍ୟରେ ଏସିଆଇକେ ଏବଂ ଜିଏଚଏସଏମସି ଅନ୍ତର୍ଭୁକ୍ତ ଅଛନ୍ତି।
ଶୀତକାଳୀନ ରାଜଧାନୀ ଦାବି ଏବଂ ଚାକିରି ସଂରକ୍ଷଣ ଉପରେ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀ ସାଙ୍ଗମା ଆନ୍ଦୋଳନକାରୀଙ୍କୁ ବୈଠକ କରିବାକୁ କହିଛନ୍ତି। ଏଥିରେ କ୍ୟାବିନେଟ୍ ମନ୍ତ୍ରୀ ଓ ଅନ୍ୟ ଅଂଶୀଦାରମାନେ ଯୋଗଦେବେ। ଆସନ୍ତା ମାସରେ ରାଜଧାନୀରେ ଆଲୋଚନା ଆରମ୍ଭ କରିବା ପୂର୍ବରୁ ଆନ୍ଦୋଳନ ଶେଷ କରିବାକୁ ସେ ସଂଗଠନଗୁଡ଼ିକୁ କହିଛନ୍ତି।
ତୁରାରେ ଶୀତକାଳୀନ ରାଜଧାନୀ ଦାବିରେ ଗାରୋ ହିଲ୍ସସ୍ଥିତ ନାଗରିକ ସମାଜ ସଙ୍ଗଠନ ଅନଶନରେ ବସିଛନ୍ତି।