ପୁନେ : ପୁନେ ସ୍ଥିତ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍ଆଇଆଇ)ର ନୂଆ ପ୍ଲାଣ୍ଟ୍ରେ ଆଜି ବଡ଼ ଧରଣର ନିଆଁ ଲାଗି ୫ ଜଣ କର୍ମଚାରୀ ପ୍ରାଣ ହରାଇଛନ୍ତି। ସିରମ୍ ଇନ୍ଷ୍ଟିଚ୍ୟୁଟ୍ କୋଭିଡ-୧୯ ଟିକା ‘କୋଭିସିଲ୍ଡ’ ତିଆରି କରୁଛି ଏବଂ ଭାରତ ସମେତ ବିଭିନ୍ନ ରାଷ୍ଟ୍ରରେ ଏହି ଟିକାର ଜରୁରୀ ବ୍ୟବହାର କରାଯାଉଛି। ତେବେ ଏହି ଅଗ୍ନିକାଣ୍ଡରେ କୋଭିଡ୍ ଟିକା ୟୁନିଟ୍ର କୌଣସି କ୍ଷତି ଘଟିନାହିଁ ଏବଂ ସମସ୍ତ ଲ୍ୟାବ୍ ଏବଂ ସଂରକ୍ଷଣ ବ୍ୟବସ୍ଥା ସୁରକ୍ଷିତ ରହିଛି। ସଂସ୍ଥାର ନବନିର୍ମିତ ବିସିଜି ଟିକା ୟୁନିଟ୍ରେ ଅଗ୍ନିକାଣ୍ଡ ଘଟିଛି ଏବଂ ମହାରାଷ୍ଟ୍ର ସରକାର ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଦମକଳ ବିଭାଗର ୧୫ଟି ୟୁନିଟ୍ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଥିବା ବେଳେ ୬ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ବିସିଜି ଭ୍ୟାକ୍ସିନ୍ କେନ୍ଦ୍ରର ୪ଟି କୋଠାରେ ନିଆଁ ଲାଗିଥିବା ବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ନିଆଁଲିଭା କାର୍ଯ୍ୟ ଜାରି ରହିଛି। ଆଜି ରାତିରେ ଆଉ ଏକ କୋଠାକୁ ନିଆଁ ବ୍ୟାପିବା ପରେ ଅଧିକ ସଂଖ୍ୟାରେ ଦମକଳ ବାହିନୀକୁ ଏଥିରେ ନିୟୋଜିତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତାହତଙ୍କ ପରିବାର ପ୍ରତି ସମବେଦନା ବ୍ୟକ୍ତ କରିଛନ୍ତି।
ସିରମ୍ରେ ଅଗ୍ନିକାଣ୍ଡ ନେଇ ଭାରତ ସମତେ ବିଭିନ୍ନ ରାଷ୍ଟ୍ରରେ ଚିନ୍ତା ବ୍ୟକ୍ତ କରାଯାଇଛି। ତେବେ କୋଭିଡ୍ ଟିକା କାରଖାନା ସଂପୂର୍ଣ୍ଣ ସୁରକ୍ଷିତ ଥିବା ବଡ଼ ଆଶ୍ବସ୍ତିର କାରଣ ହୋଇଛି। ନିଆଁ ଲାଗିଥିବା ସ୍ଥଳଠାରୁ ପ୍ରାୟ ଦେଢ଼ କିମି ଦୂରରେ କୋଭିଡ୍ ୟୁନିଟ୍ ଅବସ୍ଥିତ। ଅଗ୍ନିକାଣ୍ଡ ଯୋଗୁଁ ବିସିଜି ୟୁନିଟ୍ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଅନୁମାନ କରାଯାଉଛି। ଏଠାରେ ଟିକା ପ୍ରସ୍ତୁତି ପାଇଁ ସମସ୍ତ ବ୍ୟବସ୍ଥା ହୋଇଥିଲା, କିନ୍ତୁ ଉତ୍ପାଦନ ଆରମ୍ଭ ହୋଇନଥିଲା। ସିରମ୍ ସିଇଓ ଆଦର ପୁନାୱାଲା କହିଛନ୍ତି ଯେ ନିଆଁରେ ଫସିଥିବା କର୍ମଚାରୀଙ୍କ ଜୀବନ ରକ୍ଷା ହିଁ ଆମର ପ୍ରାଥମିକତା ଥିଲା ଏବଂ ଆମ ପ୍ରତି ସହାନୁଭୂତି ଦେଖାଇଥିବା ସମସ୍ତଙ୍କୁ ଆମେ କୃତଜ୍ଞତା ଜଣାଉଛୁ।
ଇତିମଧ୍ୟରେ ପ୍ରତ୍ୟେକଙ୍କ ମୃତକଙ୍କ ପରିବାର ପାଇଁ ୨୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବା ପାଇଁ ସିରମ୍ ପକ୍ଷରୁ ଘୋଷଣା କରାଯାଇଛି।