ଦିଲ୍ଲୀର ୫ ଦୁର୍ଦ୍ଦାନ୍ତ ସର୍ଦ୍ଦାରିଣୀ ଗିରଫ : ଦେହ ଦଲାଲିଠୁ ହତ୍ୟା ନିର୍ଦ୍ଦେଶ ଯାଏ ସବୁଥିରେ ହାତ

ଚୋରା ମଦ ବିକ୍ରି, ଜୁଆ ଆଡ଼ା ଚଳାଇବାରେ ମାହିର୍‌

ନୂଆଦିଲ୍ଲୀ: ଦୁଷ୍କର୍ମ ସହରର ଅପଖ୍ୟାତି ମୁଣ୍ଡେଇଥିବା ରାଜଧାନୀ ଦିଲ୍ଲୀରେ ଦୁର୍ଦ୍ଦାନ୍ତ ମହିଳା ଅପରାଧୀଙ୍କ ରାଜ୍‌ ମଧ୍ୟ କିଛି କମ୍‌ ନୁହେଁ। କିଏ ବାଇକ୍‌ ପଛରେ ବସି ପଥଚାରୀଙ୍କ ପକେଟ୍‌ରୁ ଦାମୀ ମୋବାଇଲ୍‌ ଫୋନ୍‌ କି କାହା ଗଳାରୁ ଅଳଙ୍କାର ଝାମ୍ପିନେଉଛି ତ କିଏ ଅନ୍ୟକୁ ହତ୍ୟା କରିବା ପାଇଁ ସୁପାରି ନେଉଛି। କିଏ ଯୁବତୀମାନଙ୍କୁ ଆଣି ଘୃଣ୍ୟ ଦେହ ବେପାରରେ ଖଟାଉଛି ତ କିଏ ଚୋରା ମଦ ମାଫିଆ ସାଜି ବେଧଡ଼କ ବେଉସା ବଢ଼ାଇଚାଲିଛି। ଏପରିକି କିଏ ଜୁଆ ଆଡ଼ା ଚଳାଉଛି ତ କିଏ ନିଜେ ସର୍ଦ୍ଦାରିଣୀ ସାଜି ବିଭିନ୍ନ କ୍ଷେତ୍ରର ଅପରାଧୀଙ୍କୁ ଇସାରାରେ ନଚାଉଛି। କିଛି ମହିଳା ଡନ୍‌ଙ୍କ କାରନାମା ସମ୍ପର୍କରେ ଦିଲ୍ଲୀ ପୁଲିସ ଠୋସ ପ୍ରମାଣ ପାଇବା ସହ ସେମାନଙ୍କୁ କାବୁ କରିଛି।

ପୂର୍ବ ଦିଲ୍ଲୀର ସକାରପୁର ଥାନା ରେକର୍ଡରେ ୫୩ ବର୍ଷୀୟା ସକିଲା ନାଁରେ ଜୁଆ, ଦଙ୍ଗା, ହତ୍ୟା ଉଦ୍ୟମ ଏବଂ ଚୋରା ମଦ ବିକିବା ଭଳି ୨୧ଟି ଆପରାଧିକ ମାମଲା ରହିଛି। ଜଣେ ଖୁଚୁରା ପରିବା ବିକାଳି ଭାବେ ଗୁଜରାଣ ମେଣ୍ଟାଉଥିବା ସକିଲା ପରେ ଲକ୍ଷ୍ମୀନଗର ଅଞ୍ଚଳରେ ଅନ୍ୟତମ ବିରାଟ ଜୁଆ ଆଡ଼ା ଚଳାଇବାରେ ସକ୍ଷମ ହୋଇଛି। ଏପରିକି ଉତ୍ତର ଦିଲ୍ଲୀର କୁଖ୍ୟାତ ଛେନୁ ପେହଲବାନ୍‌ ମଧ୍ୟ ସକିଲା ଜୁଆ ଆଡ଼ାର ଗରାଖ।
ସହରରେ ଅନ୍ୟତମ ବିଶାଳ ସେକ୍ସ ର‍୍ୟାକେଟ୍‌ ଚଳାଉଥିବା ୩୮ ବର୍ଷୀୟା ଗୀତା ଆରୋରା ଓରଫ ସୋନୁ ପଞ୍ଜାବନକୁ ପୁଲିସ ଗତ ଡିସେମ୍ବର ୨୪ରେ ଗିରଫ କରିଛି। ରୋହତକର ବାସିନ୍ଦା ଗୀତା ନାବାଳିକାଠୁ ଆରମ୍ଭ କରି ବିଭିନ୍ନ ବୟସର ମହିଳାଙ୍କୁ ନିଶା ଦେଇ ନିଜ କବ୍‌ଜାକୁ ଆଣିବା ସହ ଦେହବେପାର କରୁଥିଲା। ଦିନକୁ ଅତି କମ୍‌ରେ ୫୦ ହଜାର ଟଙ୍କା କମାଉଥିବା ଗୀତାର ଦୁଇ ଦୁଇଟା ଅପରାଧୀ ସ୍ୱାମୀ ଯଥେଷ୍ଟ ଆଗରୁ ପୁଲିସ ଏନ୍‌କାଉଣ୍ଟରରେ ମରିଛନ୍ତି। ପାଞ୍ଚ ପାଞ୍ଚଟା ହତ୍ୟା ମାମଲା ମୁଣ୍ଡାଇଥିବା ଗୀତା ଗତବର୍ଷ କୁଆଡ଼େ ନିଜ ପ୍ରେମିକକୁ ୧୦ ଲକ୍ଷ ଟଙ୍କାର ହୁଣ୍ଡାଇ କ୍ରେଟା କାର୍‌ ଉପହାର ଦେଇଥିବା ସ୍ୱୀକାର କରିଛି।

ସେହିପରି ଗତମାସରେ ଗିରଫ ହୋଇଥିବା ରାମପ୍ରୀତ କୌର ଓରଫ ରାଣୀ(୩୨) ବାଇକ୍‌ ପଛରେ ବସି ନିଜ କାରନାମା ଦେଖାଇବାରେ ପୋଖତ। ସହରର ଗଳିକନ୍ଦିରେ ଦ୍ରୁତଗାମୀ ବାଇକ୍‌ ପଛରେ ବସି ସେ ପଥଚାରୀଙ୍କ ପକେଟ୍‌ରୁ ମୋବାଇଲ୍‌ ଫୋନ୍‌ ଛଡ଼ାଇନିଏ ତ କେଉଁଠି ମହିଳାଙ୍କ ଗଳାରୁ ଅଳଙ୍କାର ଝାମ୍ପି ନେଇଥାଏ। ପୁରୁଷ ବେଶରେ ଲୁଟେରା ସାଜିଥିବା ନଙ୍ଗଲୋଇ ଅଞ୍ଚଳର ରାଣୀ ନିକଟରେ ୧୬ ଲକ୍ଷ ଟଙ୍କାର ଏକ ଫ୍ଲାଟ୍‌ କିଣିଛି। ତା’ ଘରୁ ପୁଲିସ ୭୮ ହଜାର ନଗଦ ଟଙ୍କା ସମେତ ୧୦ ଲକ୍ଷ ଟଙ୍କାର ସୁନା ଗହଣା ଓ ଦାମୀ ମୋବାଇଲ୍‌ ଫୋନ୍‌ ଜବତ କରିଛି।

ଦୁଇ ବର୍ଷ ତଳୁ ଗିରଫ ହୋଇଥିବା ସାଇରା ବେଗମ୍‌(୪୩) ନେପାଳ ଓ ଭାରତ ଭିତରେ ବେଆଇନ ମାନବ ଚାଲାଣରେ ମାତିଥିଲା। କିଶୋରୀ ଅବସ୍ଥାରେ ପ୍ରଥମେ ଦେହଜୀବୀ ସାଜିଥିବା ସାଇରା ୨୮ ବର୍ଷ ହେଲା ନିଜ ର‍୍ୟାକେଟ୍‌ ଚଳାଇବା ସହ ଅନ୍ୟମାନଙ୍କ ନାଁରେ ବେଶ୍ୟାଳୟ ଖୋଲିଥିଲା। ଗିରଫ ବେଳେ ତା’ ପାଖରୁ ‘ଅଡି’ ସମେତ ୪ଟି ବିଳାସପୂର୍ଣ୍ଣ କାର୍‌ ଏବଂ କୋଟିଏ ଟଙ୍କାର ବ୍ୟାଙ୍କ ଜମା ମିଳିଥିଲା। ଏଥି ସହିତ ବେଙ୍ଗାଲୁରୁରେ ତା’ର ୩ଟା ଫ୍ଲାଟ୍‌, ସ୍ଥାନୀୟ ଜିବି ରୋଡ୍‌ରେ ୬ଟା କୋଠା ଏବଂ ଦକ୍ଷିଣ ଦିଲ୍ଲୀରେ ଏକ ଫାର୍ମ ହାଉସ୍‌ ରହିଛି।

ସେହିପରି ୮ଟି ସନ୍ତାନର ଜନନୀ ବସିରନ୍‌(୬୨) ସୁପାରି ନେଇ ହତ୍ୟା କରିବାର ରେକର୍ଡ ରଖିଛି। ନିଜ ପୁଅ ରାହୁଲ ଖାଁର ସହଯୋଗୀମାନଙ୍କୁ ହାତବାରିସି କରି ସେ ଅପରାଧ ଘଟାଇ ଆସୁଥିଲା। ରାଜସ୍ଥାନର ମୂଳ ବାସିନ୍ଦା ବସିରନ୍‌ ଦକ୍ଷିଣ ଦିଲ୍ଲୀର ସଂଗମ ବିହାର ଅଞ୍ଚଳରେ ପ୍ରଥମେ ଚୋରା ମଦ ବିକୁଥିଲା। ପରେ ସେ ସେହି ଅଞ୍ଚଳର ପାଣି ମାଫିଆ ଭାବେ କୁଖ୍ୟାତ ହୋଇଥିଲା।

ସମ୍ବନ୍ଧିତ ଖବର