ଅଧାରୁ ପରୀକ୍ଷା ଛାଡ଼ିଲେ ୫ ଲକ୍ଷ ବିଦ୍ୟାର୍ଥୀ

ୟୁପିରେ ପରୀକ୍ଷାରେ କପି କଟକଣା

ଲକ୍ଷ୍ନୌ: ସମ୍ପ୍ରତି ଉତ୍ତରପ୍ରଦେଶରେ ଚାଲିଥିବା ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାର୍ଥୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ଅସଦ୍‌ ଉପାୟ ସହ ପରିଚିତ ଥିବା ପରୀକ୍ଷାର୍ଥୀମାନଙ୍କୁ ଏ ବର୍ଷର କପି କଟକଣାକୁ କଡ଼ାକଡ଼ି ସାମନା କରିବାକୁ ପଡ଼ିଛି। ଫଳରେ ପ୍ରଥମ ଦୁଇ ଦିନର ପରୀକ୍ଷା ପରେ ପାଖାପାଖି ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଧାରୁ ପରୀକ୍ଷା ଛାଡ଼ିଥିବା ଜଣାଯାଇଛି।

ଉଲ୍ଲେଖ ଥାଉ କି, ରାଜ୍ୟର ଶିକ୍ଷା ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ ଦୀନେଶ ଶର୍ମା ଏଣିକି ଶିକ୍ଷା ପ୍ରଣାଳୀରେ ଗୁଣାତ୍ମକ ମାନ ଆଣିବା ଉପରେ କଠୋର ପଦକ୍ଷେପ ନେଇଛନ୍ତି। ଏ ବର୍ଷ ଠାରୁ ପରୀକ୍ଷାକେନ୍ଦ୍ରରେ କୌଣସି ପ୍ରକାର ଅସଦ୍‌ ଉପାୟ ଅବଲମ୍ବନକୁ ବରଦାସ୍ତ କରାଯିବନି ବୋଲି ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀଙ୍କ ସରକାର ଏକ ରକମ ଶପଥ ନେଇଛନ୍ତି ବୋଲି କହିଛନ୍ତି। ସେଇ ଅନୁସାରେ ପରୀକ୍ଷା କେନ୍ଦ୍ରଗୁଡ଼ିକ ନିକଟରେ କଡ଼ା ପହରା ସାଙ୍ଗକୁ ପରୀକ୍ଷା ପ୍ରକୋଷ୍ଠରେ ମଧ୍ୟ ସତର୍କ ରହିବା ଲାଗି ପରୀକ୍ଷକମାନଙ୍କୁ ନିର୍ଦ୍ଦେଶ ରହିଛି। ଉପମୁଖ୍ୟମନ୍ତ୍ରୀ ଶ୍ରୀ ଶର୍ମା ମଧ୍ୟ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ତତ୍କାଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଫଳ ସ୍ୱରୂପ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଏକ ପ୍ରକାର କୋକୁଆ ଭୟ ଖେଳିଯାଇଛି। ହଲ୍‌ରେ କପି କରିବାକୁ ମାନସିକ ପ୍ରସ୍ତୁତି ସହ ଆସିଥିବା ଛାତ୍ରଛାତ୍ରୀମାନଙ୍କୁ ହିନ୍ଦୀ ଏବଂ ଗୃହବିଜ୍ଞାନ ପରି ସାଧାରଣ ବିଷୟରେ ମଧ୍ୟ ହତାଶ ହେବାକୁ ପଡ଼ିଛି। ପରିଣତି ସ୍ୱରୂପ ୫ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଆଉ ତୃତୀୟ ଦିନ ପରୀକ୍ଷାକୁ ଫେରିନଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର