ତ୍ରିରଙ୍ଗା ଢ଼ଙ୍କା ଯାଇଥିବା ସହିଦ୍‌ ପିତାଙ୍କ କଫିନ୍‌ ଉପରେ ବସିଥିଲା ୫ମାସର ଝିଅ, ଜିଲ୍ଲାପାଳ କହିଲେ ଏମିତି କଥା…

ନୂଆଦିଲ୍ଲୀ: ୫ମାସର କୁନି ଝିଅ ଯେତେବେଳେ ନିଜର ସହିଦ ବାପାକୁ ମୁଗାଗ୍ନି ଦେବାକୁ ପହଞ୍ଚିଥିଲା, ସେହି ଦୃଶ୍ୟକୁ ଦେଖି ଘରଲୋକ, ପୂରା ଗ୍ରାମ, ସେନା ଯବାନଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ସମସ୍ତଙ୍କ ଆଖି ଲୁହରେ ଭରି ରହି ଯାଇଥିଲା। ଏହି ଦୃଶ୍ୟକୁ ଦେଖିବା ପରେ ରାଜସ୍ଥାନର ଝଲାଓ୍ଵାର୍‌ ଜିଲ୍ଲାର ଜିଲ୍ଲାପାଳ ଜିତେନ୍ଦ୍ର ସୋନି ସହିଦଙ୍କ ପାଞ୍ଚ ମାସର ଝିଅ ନାମରେ ଏକ ଭାବବିହ୍ବଳ ଚିଠି ଲେଖିଛନ୍ତି। ଝିଅଟି ବଡ଼ ହୋଇ ତାର ପିତା ଦେଶପାଇଁ ଜୀବନ ଦେଇଥିବା ନେଇ ଗର୍ବ ଅନୁଭବ କରିବ ବୋଲି କହିଛନ୍ତି।

ଝଲାଓ୍ଵାର୍‌ ଜିଲ୍ଲାର ଜିଲ୍ଲାପାଳ ଜିତେନ୍ଦ୍ର ସୋନି ସୋସିଆଲ ମିଡିଆରେ କହିଛନ୍ତି, ଝିଅ ଆରୁ , ତୁମେ ଯେବେ ବଡ଼ ହେବ ଏବଂ ଦେଶର ସହିଦଙ୍କ ବିଷୟରେ ଶୁଣିବ ତୁମେ ଗର୍ବ ଅନୁଭବ କରିବ। ତୁମେ ବାପାଙ୍କ ଆଙ୍ଗୁଳି ଧରି ସିନା ଚାଲି ନ ଥିବ, କିନ୍ତୁ ତୁମ ବାପା ଦେଶ ପାଇଁ କିପରି ଜୀବନ ଦେଇଥିଲେ ତୁମକୁ ସର୍ବଦା ଅନ୍ୟମାନଙ୍କଠାରୁ ଶୁଣିବାକୁ ମିଳିବ। ତୁମକୁ ଯେବେ ବି ବାପାଙ୍କ କଥା ମନେ ପଡ଼ିବ, ମୁଁ ଜାଣିଛି କଷ୍ଟ ହେବ। କାରଣ ଏମିତି କିଛି ସ୍ମୃତି ଥାଏ ଯାହା ମନକୁ କଷ୍ଟ ଦେଇଥାଏ। କିନ୍ତୁ ଦେଶପାଇଁ ଜୀବନ ଦେବା ସମସ୍ତଙ୍କ ଭାଗ୍ୟରେ ନଥାଏ ଏବଂ ତୁମେ ଗର୍ବ ଅନୁଭବ କରିବ ଯେ ତୁମେ ସେ ପିତାଙ୍କ କନ୍ୟା ବୋଲି। ତୁମେ ବିନା କାନ୍ଦି ସହିଦ ପିତାଙ୍କ କଫିନ୍‌ରେ ବସିଲ ଓ ଶୋଇ ପଡ଼ିଲ ଯାହାକୁ ଦେଖି ମୋ ଲୋମମୂଳ ଟାଙ୍କୁରି ଉଠିଥିଲା। ତୁମେ ଚିନ୍ତା କରିବ ନାହିଁ ତୁମ ଉପରେ ଯେ କେବଳ ତୁମ ପରିବାର, ତୁମ ଅଞ୍ଚଳିବାସୀଙ୍କ ଆର୍ଶୀବାଦ ଅଛି ତାହା ନୁହେଁ । ଦେଶ ସମସ୍ତ ନାଗରିକଙ୍କ ତୁମ ପଛରେ ଅଛନ୍ତି।

ସୂଚନାଯୋଗ୍ୟ, ରାଜସ୍ଥାନର ଝଲାଓ୍ଵାର୍‌ର ଲଡାନିୟା ଗ୍ରାମର ନିବାସୀ ୨୫ବର୍ଷୀୟ  ମୁକୁଟ ବିହାରୀ ମିନା ଜୁଲାଇ ୧୧ ତାରିଖରେ ଜମ୍ମୁ କଶ୍ମୀରର କୁପଓ୍ଵାଡାରେ ଆତଙ୍କବାଦୀଙ୍କ ସହ ସଂଘର୍ଷ କରୁଥିବା ସମୟରେ ଦେଶ ପାଇଁ ସହିଦ ହୋଇଯାଇଥିଲେ। ଶନିବାର ସହିଦ ମୁକୁଟ ବିହାରୀ ମିନାଙ୍କ ଅନ୍ତିମ ସଂସ୍କାର ପୂରା ସମ୍ମାନ ସହ ପୂରା କରାଯାଇଥିଲା।

ସମ୍ବନ୍ଧିତ ଖବର