ଆସୁଛି ଆଉ ୫ ନୂଆ ଟିକା, ରୁଷ୍‌ ଟିକା ସ୍ପୁଟନିକ୍‌କୁ ଖୁବ୍‌ଶୀଘ୍ର ମଂଜୁରି

ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଭାରତ ସରକାର ଆଉ ୫ଟି କୋଭିଡ୍‌ ଟିକାକୁ ମଂଜୁରି ଦେବାପାଇଁ ଯୋଜନା କରୁଛନ୍ତି। ଦେଶରେ ଟିକାକରଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ଏଭଳି ଯୋଜନା କରାଯାଉଥିବା ଶୀର୍ଷ ସରକାରୀ ସୂତ୍ରରୁ ଜଣାପଡ଼ିଛି। ଭାରତ ଏବେ ୨ଟି ଟିକାକୁ ମଂଜୁରି ଦେଇଛି। ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଦ୍ବାରା ପ୍ରସ୍ତୁତ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକା କୋଭିସିଲ୍‌ଡ ଏବଂ ଭାରତ ବାୟୋଟେକ୍‌ ଦ୍ବାରା ପ୍ରସ୍ତୁତ କୋଭାକ୍ସିନ ହିଁ ଏବେ ଟିକାକରଣରେ ବ୍ୟବହାର ହେଉଥିବା ବେଳେ ଆଗକୁ ଆଉ ୫ଟି ଟିକା ଏଥିରେ ସାମିଲ ହେବ। ଖୁବ୍‌ଶୀଘ୍ର ରୁଷ୍ ନିର୍ମିତ ଟିକା ‘ସ୍ପୁଟନିଭ ଭି’କୁ ମଧ୍ୟ ମଂଜୁରି ମିଳିବ ବୋଲି ଜଣାପଡ଼ିଛି। ଭାରତରେ ଡ. ରେଡିଜ୍‌ ସ୍ପୁଟନିକ ଟିକା ପ୍ରସ୍ତୁତ କରୁଛି ଏବଂ ସରକାର ଏହି ଟିକାକୁ ଆଗାମୀ ୧୦ ଦିନ ମଧ୍ୟରେ ମଂଜୁରି ଦେଇପାରନ୍ତି।

ଏହା ବ୍ୟତୀତ ଜନ୍‌ସନ ଆଣ୍ଡ୍‌ ଜନ୍‌ସନ ଟିକା, ସିରମ୍‌ ଦ୍ବାରା ପ୍ରସ୍ତୁତ ‘ନୋଭାଭାକ୍ସ’ ଟିକା, ଜାଇଡସ୍‌ କାଡିଲା ଟିକା ଏବଂ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ ନାକରେ ଦିଆଯାଉଥିବା ଟିକା ଉପଲବ୍ଧ ହେବ। ଆମେରିକାରେ ଏ ପର୍ଯ୍ୟନ୍ତ ୧୭୯ ନିୟୁତ ଲୋକଙ୍କ ଟିକାକରଣ ସରିଥିବା ବେଳେ ଚୀନ୍‌ରେ ୧୬୧ ନିୟୁତ ଲୋକଙ୍କ ଟିକାକରଣ ‌ହୋଇଛି। ଭାରତରେ ୧୦ କୋଟି ୩୦ ଲକ୍ଷରୁ ଅଧିକ ଲୋକ ଟିକା ନେଇସାରିଲେଣି। ଖୁବ୍‌ଶୀଘ୍ର ଦେଶରେ ଦୈନିକ ୫୦ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦେବାପାଇଁ ବ୍ୟବସ୍ଥା ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର