ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ୫ ଜଣ ନୂଆ ବିଚାରପତି ଶପଥ ଗ୍ରହଣ କରିଛନ୍ତି । ସୋମବାରଦିନ ପ୍ରଧାନ ବିଚାରପତି ଜଷ୍ଟିସ୍ ଜେଓ୍ବାଇ ଚନ୍ଦ୍ରଚୂଡ଼ ସେମାନଙ୍କୁ ଶପଥ ପ୍ରଦାନ କରିଛନ୍ତି ।
ଏହି ୫ ଜଣ ହେଲେ ଜଷ୍ଟିସ ପଙ୍କଜ ମିଥଲ (ରାଜସ୍ଥାନ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି), ଜଷ୍ଟିସ୍ ସଞ୍ଜୟ କାରୋଲ (ପାଟନା ହାଇକୋର୍ଟ ପୂର୍ବତନ ମୁଖ୍ୟ ବିଚାରପତି), ପି.ଭି. ସଞ୍ଜୟ କୁମାର (ମଣିପୁର ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି), ଅହସାନୁଦ୍ଦିନ ଅମାନୁଲ୍ଲା (ପାଟନା ହାଇକୋର୍ଟର ପୂର୍ବତନ ବିଚାରପତି) ଏବଂ ମନୋଜ ମିଶ୍ର (ଆହ୍ଲାବାଦ ହାଇକୋର୍ଟର ପୂର୍ବତନ ବିଚାରପତି) ।
ପ୍ରାୟ ୨ ମାସରୁ ଅଧିକ ସମୟ ଧରି ବିଳମ୍ବ କରିବା ପରେ ଗତ ଶନିବାର ଦିନ କେନ୍ଦ୍ର ସରକାର ଏହି ନାମଗୁଡ଼ିକ ଉପରେ ମୋହର ମାରିଥିଲେ । ବିଚାରପତି ନିଯୁକ୍ତିରେ ବିଳମ୍ବ ପାଇଁ କୋର୍ଟଙ୍କ ଅସନ୍ତୋଷ ପରେ କେନ୍ଦ୍ର ସରକାର ଏସବୁ ନାମକୁ ମଂଜୁର କରିଥିଲେ ।
ଏହି ୫ ଜଣ ବିଚାରପତି ଆସିବା ପରେ ସୁପ୍ରିମକୋର୍ଟରେ ଥିବା ବିଚାରପତିଙ୍କ ସଂଖ୍ୟା ୩୨ରେ ପହଞ୍ଚିଛି । ସୁପ୍ରିମକୋର୍ଟରେ ମୋଟ ୩୪ ଜଣ ବିଚାରପତି ରହିପାରିବେ । ନିକଟରେ ଆଉ ୨ ଜଣ ବିଚାରପତିଙ୍କ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍ତି । କେନ୍ଦ୍ର ସରକାରଙ୍କ ଅନୁମୋଦନ ମିଳିବା ପରେ ସୁପ୍ରିମକୋର୍ଟରେ ଥିବା ସବୁ ବିଚାରପତି ପଦ ପୂରଣ ହୋଇଯିବ ।