୫ ଓଡ଼ିଆଙ୍କୁ ପଦ୍ମଶ୍ରୀ

ଭବାନୀ ପଟ୍ଟନାୟକ, ଚନ୍ଦ୍ରଶେଖର ରଥ, ପ୍ରଭାକର ମହାରଣା, ଗୋବର୍ଦ୍ଧନ ପାଣିକା ଓ ଶିଶିର ମିଶ୍ରଙ୍କୁ ସମ୍ମାନ

ମାଲେସୀୟ ଓଡ଼ିଶୀ ନୃତ୍ୟଶିଳ୍ପୀ ରାମ୍‌ଲୀ ଇବ୍ରାହିମ୍‌ଙ୍କୁ ବି ପଦ୍ମଶ୍ରୀ

ନୂଆଦିଲ୍ଲୀ : ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଓ ସେବା ପାଇଁ ଚଳିତ ବର୍ଷ ୮୫ ଜଣଙ୍କୁ ପଦ୍ମ ସମ୍ମାନ ପ୍ରଦାନ କରାଯିବ। ଏମାନଙ୍କ ମଧ୍ୟରୁ ୩ ଜଣଙ୍କୁ ପଦ୍ମ ବିଭୂଷଣ, ୯ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୭୩ ଜଣଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯିବ। ସାଧାରଣତନ୍ତ୍ର ଦିବସ ପୂର୍ବ ସଂଧ୍ୟାରେ ସରକାର ଏହି ପୁରସ୍କାର ପାଇବାକୁ ଥିବା ବ୍ୟକ୍ତିବିଶେଷଙ୍କ ନାମ ଘୋଷଣା କରିଛନ୍ତି।

ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ଏଥର ଓଡ଼ିଶାର ୫ ଜଣ ଅଛନ୍ତି। ସେମାନେ ହେଲେ ଜନସେବା ପାଇଁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ, ସାହିତ୍ୟ ଓ ଶିକ୍ଷା କ୍ଷେତ୍ର ପାଇଁ ଲବ୍ଧପ୍ରତିଷ୍ଠ ସାହିତ୍ୟିକ ଚନ୍ଦ୍ରଶେଖର ରଥ, ପଥର ଶିଳ୍ପ ପାଇଁ କୋଣାର୍କ ଅଞ୍ଚଳର ଜାତୀୟ ପୁରସ୍କାରପ୍ରାପ୍ତ ପ୍ରସ୍ତରଶିଳ୍ପୀ ପ୍ରଭାକର ମହାରଣା, ହସ୍ତତନ୍ତ ପାଇଁ କୋରାପୁଟ ଜିଲ୍ଲା କୋଟପାଡ଼ ଅଞ୍ଚଳର ଜାତୀୟ ପୁରସ୍କାରପ୍ରାପ୍ତ ବୟନଶିଳ୍ପୀ ଗୋବର୍ଦ୍ଧନ ପାଣିକା ଏବଂ କଳା ଓ ସିନେମା ପାଇଁ ଓଡ଼ିଆ ସିନେମାର ଦ୍ରୋଣାଚାର୍ଯ୍ୟ ଭାବେ ସୁପରିଚିତ ନିର୍ଦେଶକ ଶିଶିର ମିଶ୍ର। ଶିଶିର ମିଶ୍ରଙ୍କ ଘର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ହୋଇଥିଲେ ମଧ୍ୟ ସେ ଏବେ ମହାରାଷ୍ଟ୍ରରେ ରହୁଛନ୍ତି।
ସେହିପରି ଚଳିତ ବର୍ଷ ମାଲେସିଆର ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଶିଳ୍ପୀ ରାମଲି ଇବ୍ରାହିମ୍‌ ମଧ୍ୟ ପଦ୍ମଶ୍ରୀ ପାଇବେ ବୋଲି ଘୋଷଣା ହୋଇଛି। ଓଡ଼ିଶାରୁ ଓଡ଼ିଶୀ ନୃତ୍ୟ ଶିକ୍ଷା କରିଥିବା ରାମଲି ଏହି ସମ୍ମାନ ପାଇବା ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର ଆଣି ଦେଇଛି।

ସୂଚନାଯୋଗ୍ୟ, ଗତବର୍ଷ ୪ ଜଣ ଓଡ଼ିଆ ସାଧୁ ମେହେର, ଅରୁଣା ମହାନ୍ତି, ଜିତେନ୍ଦ୍ରୀୟ ହରିପାଲ ଓ ଚଣ୍ଡୀଗଡ଼ରେ ରହୁଥିବା ଓଡ଼ିଶାରେ ଜନ୍ମିତ ଡାକ୍ତର ମୁକୁଟ ମିଞ୍ଜ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲେ। ଚଳିତ ବର୍ଷ ୫ ଜଣ ଓଡ଼ିଆ ଏହି ସମ୍ମାନ ପାଇବାକୁ ଯାଉଥିବାରୁ ରାଜ୍ୟରେ ଆନନ୍ଦ ପ୍ରକାଶ ପାଇଛି। ବିଭିନ୍ନ ମହଲରୁ ସେମାନଙ୍କ ନିକଟକୁ ଅଭିନନ୍ଦନର ସୁଅ ଛୁଟିଛି। କେନ୍ଦ୍ର ପେଟ୍ରୋଲିୟମ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ପଦ୍ମ ପୁରସ୍କାର ପାଇଁ ମନୋନୀତ ୫ ଜଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଜନସେବା ଜାରି ରଖିବି: ଭବାନୀ ପଟ୍ଟନାୟକ

ପଦ୍ମ ପୁରସ୍କାର ପାଇବି ବୋଲି କେବେ ବି ଆଶା ରଖି ନ ଥିଲି। ଯଦି କେନ୍ଦ୍ର ସରକାର ଜନସେବା ଲାଗି ମୋତେ ଏହି ପୁରସ୍କାର ଦେବା ଲାଗି ମନୋନୀତ କରିଛନ୍ତି ତେବେ ତାହାକୁ ଗ୍ରହଣ କରିବି। ବୟସର ଅପରାହ୍ନରେ ପହଞ୍ଚିଥିଲେ ମଧ୍ୟ ଏହି ପୁରସ୍କାର ମୋତେ ଆଗକୁ ନେବାରେ ସହାୟକ ହେବ। ଆଉ ମରିବା ପର୍ଯ୍ୟନ୍ତ ସେମିତି ଜନସେବା କରି ଚାଲିଥିବି ବୋଲି କହିଛନ୍ତି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭବାନୀ ପଟ୍ଟନାୟକ।

ଶ୍ରୀ ପଟ୍ଟନାୟକ ଆହୁରି କହିଲେ ଯେ ଦେଶ ଏବେ ଉଠାଣି ଗଡ଼ାଣି ଦେଇ ଆଗକୁ ବଢ଼ୁଛି। ସେଥିରେ ସାମିଲ ହୋଇ ଯୁବପିଢ଼ିଙ୍କୁ ବଢ଼ିବାକୁ ହେବ। କଠିନ ପରିଶ୍ରମ କରିବାର ଆବଶ୍ୟକତା ରହିଛି। ଦେଶ ସ୍ୱାଧୀନତା ପାଇବା ସମୟର ଅନୁଭୂତି ଆଗରେ ସବୁ କିଛି ଫିକା। ତଥାପି କେବେ ବି ହାରିନି କି ହାରିବି ନାହିଁ। ସମସ୍ତେ ମିଳିତ ଭାବେ ଉଦ୍ୟମ କରି ଦେଶକୁ ଆଗକୁ ନେବାକୁ ପଡ଼ିବ।

କୋଣାର୍କର କଳାକୁ ବଞ୍ଚାଇବାକୁ ହେବ: ପ୍ରଭାକର ମହାରଣା

ପୂର୍ବରୁ ଶିଳ୍ପୀଗୁରୁ ସମ୍ମାନ ସହ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଅନେକ ପୁରସ୍କାର ପାଇଛି। ହେଲେ ପଦ୍ମ ଲାଗି ମନୋନୀତ ହେବା ପରେ ଖୁସି ଲାଗୁଛି ବୋଲି କହିଛନ୍ତି ବିଶିଷ୍ଟ ପ୍ରସ୍ତର ଶିଳ୍ପୀ ପ୍ରଭାକର ମହାରଣା।

ଶ୍ରୀ ମହାରଣା ଆହୁରି କହିଲେ ଯେ ନାମ ଘୋଷଣା ହେବା ପୂର୍ବରୁ ଆଜି ଅପରାହ୍ନ ୩ଟାରେ ଗୋଟିଏ ଫୋନ୍‌ କଲ୍‌ ଆସିଥିଲା। ସେମାନେ କହିଥିଲେ ଯେ ମୁଁ ପଦ୍ମ ପୁରସ୍କାର ପାଇବାକୁ ମନୋନୀତ ହୋଇଛି। ଏହାପରେ ଖୁସି ହୋଇଥିଲି। ପୁରସ୍କାରରୁ ପ୍ରେରଣା ମିଳିଛି। ପ୍ରସ୍ତର କଳାକୁ ବଞ୍ଚାଇ ରଖିବା କ୍ଷେତ୍ରରେ ଆଗକୁ ଆହୁରି କାର୍ଯ୍ୟ କରିବି। କଳାକୁ ବଞ୍ଚାଇ ରଖିବା ଏବେ କଷ୍ଟକର ବିଷୟ ହୋଇଛି। ଶିଳ୍ପୀମାନେ କିଭଳି ଭଲରେ ରହିବେ, ଓଡ଼ିଶାର କଳା ବିଶ୍ୱବ୍ୟାପୀ ହୋଇପାରିବ ସେଥିପ୍ରତି ଦୃଷ୍ଟି ଦେବି। କୋଣାର୍କରୁ ଲିଭି ଯାଉଥିବା କଳାକୁ ଏବେ ମରାମତି କରିବାକୁ ହେବ। ରାଜ୍ୟ ସରକାର ମଧ୍ୟ ଏହାକୁ ପ୍ର୍ରାଥମିକତା ଦେବାର ଆବଶ୍ୟକତା ରହିଛି। ମୋବାଇଲ୍‌ ଓ ଇଣ୍ଟରନେଟ୍‌ ଆସିବା ପରେ ପଥର ଶିଳ୍ପରୁ ପିଲାଙ୍କ ଆଗ୍ରହ କମିଯାଇଛି। ସେମାନଙ୍କୁ ବହୁତ କଷ୍ଟରେ ବୁଝାଇ ରଖିବାକୁ ପଡ଼ୁଛି। କେବଳ ମୂର୍ତ୍ତି କରିଦେଲେ ହେବନି। ସେଥିରେ ଭାବ ଆଣିବାକୁ ହେବ।

ଇଲୈୟାରାଜାଙ୍କୁ ପଦ୍ମବିଭୂଷଣ, ଧୋନିଙ୍କୁ ପଦ୍ମଭୂଷଣ

ନୂଆଦିଲ୍ଲୀ : ତାମିଲନାଡ଼ୁର ବିଶିଷ୍ଟ ସଂଗୀତଜ୍ଞ ଇଲୈୟାରାଜାଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି। ଏହାସହିତ କଳା କ୍ଷେତ୍ରରେ ଅବଦାନ ପାଇଁ ମହାରାଷ୍ଟ୍ରର ଗୁଲାମ ମୁସ୍ତାଫା ଖାନ୍‌ ଏବଂ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କେରଳର ପରମେଶ୍ୱରନଙ୍କୁ ମଧ୍ୟ ପଦ୍ମ ବିଭୂଷଣ ଦିଆଯାଇଛି।

ସେହିପରି କ୍ରିକେଟ ତାରକା ମହେନ୍ଦ୍ର ସିଂହ ଧୋନିଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଛି। ତାଙ୍କ ସହ କ୍ରୀଡ଼ା କ୍ଷେତ୍ରରେ ପଦ୍ମ ଭୂଷଣ ପାଇଥିବା ଅନ୍ୟତମ ତାରକା ହେଲେ ସ୍ନକର ଖେଳାଳି ପଙ୍କଜ ଆଡଭାନୀ। କେରଳର ଫିଲିିପୋଜ ମାର୍‌ କ୍ରିସ୍‌ଟୋମ୍‌ଙ୍କୁ ଆଧ୍ୟାତ୍ମିକ ଏବଂ ରୁଷ୍‌ର ଆଲେକ୍‌ଜାଣ୍ଡାର କଦାକିନଙ୍କୁ ଜନସେବା କ୍ଷେତ୍ରରେ ଅବଦାନ ପାଇଁ ପଦ୍ମ ଭୂଷଣ ମିଳିଛି। ପୁରାତତ୍ତ୍ୱ କ୍ଷେତ୍ର ପାଇଁ ତାମିଲନାଡ଼ୁର କେ ରାମଚନ୍ଦ୍ର ନାଗାସ୍ୱାମୀ, ସାହିତ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ବେଦ ପ୍ରକାଶ ନନ୍ଦାଙ୍କୁ ପଦ୍ମଭୂଷଣ ଦିଆଯାଇଛି। ନନ୍ଦା ଆମେରିକାରେ ରହୁଛନ୍ତି। ପେଣ୍ଟିଂ କ୍ଷେତ୍ରରେ ଲକ୍ଷ୍ମଣ ରାୟ, ସଂଗୀତ କ୍ଷେତ୍ରରେ ଅରବିନ୍ଦ ପାରିଖ ଏବଂ ବିହାରର ସାରଦା ସିହ୍ନାଙ୍କୁ କଳା ଓ ସଂଗୀତ କ୍ଷେତ୍ର ପାଇଁ ପଦ୍ମ ଭୂଷଣ ସମ୍ମାନ ପ୍ରଦାନ କରାଯାଇଛି ।

ଏଥର ବିଦେଶରେ ରହୁଥିବା ଅନେକ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାର ଦିଆଯାଇଛି। ଭିଏତନାମ, କାମ୍ବୋଡିଆ, ମ୍ୟାମାର, ଇଣ୍ଡୋନେସିଆ, ମାଲେସିଆ, ବୃନେଇ, ଲାଓସ୍‌, ଥାଇଲାଣ୍ଡ୍‌, ଫିଲିପାଇନ୍‌୍‌ସରେ ରହୁଥିବା ବ୍ୟକ୍ତି ପଦ୍ମ ପୁରସ୍କାର ତାଲିକାରେ ଅଛନ୍ତି। ସେହିଭଳି ନେପାଳ, ଆମେରିକା, ରୁଷ୍‌, ଜାପାନ , ସାଉଦି ଆରବ, ତାଜାକିସ୍ତାନର ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଏହି ସମ୍ମାନ ପ୍ରଦାନ କରାଯାଇଛି। ଓଡ଼ିଶାରେ ସୁପରିଚିତ ମାଲେସିଆର ଓଡ଼ିଶୀ ନୃତ୍ୟଶିଳ୍ପୀ ରାମ୍‌ଲି ଇବ୍ରାହିମ୍‌ଙ୍କୁ ମଧ୍ୟ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯିବ ବୋଲି ଘୋଷଣା ହୋଇଛି।

ପଦ୍ମଶ୍ରୀ ପାଇଁ ମନୋନୀତ ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ଅରବିନ୍ଦ ଗୁପ୍ତା- ସାହିତ୍ୟ ଓ ଶିକ୍ଷା (ମହାରାଷ୍ଟ୍ର) ଭଜ୍ଜୁ ଶ୍ୟାମ – ପେଣ୍ଟିଂ (ମଧ୍ୟପ୍ରଦେଶ), ଲକ୍ଷ୍ମୀ କୁଟ୍ଟି-ଔଷଧ (କେରଳ), ମୁରଲୀକାନ୍ତ ପେଟେକର- କ୍ରୀଡ଼ା (ମହାରାଷ୍ଟ୍ର), ସୁଲଗଟ୍ଟି ନସମ୍ମା-ଔଷଧ (କର୍ଣ୍ଣାଟକ), ବିଜୟ ଲକ୍ଷ୍ମୀ ନବନୀତକୃଷ୍ଣନ- ସାହିତ୍ୟ ଏବଂ ଶିକ୍ଷା (ମହାରାଷ୍ଟ୍ର) ସୁଭାସିନି ମିସ୍ତ୍ରୀ-ସମାଜ ସେବା (ପଶ୍ଚିମ ବଂଗ) ଏବଂ ରାଜଗୋପାଳନ ବାସୁଦେବ- ବିଜ୍ଞାନ ଏବଂ ଇଂଜିନିୟରିଂ (ତାମିଲନାଡ଼ୁ)।

ସମ୍ବନ୍ଧିତ ଖବର