ନୂଆଦିଲ୍ଲୀ: ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆଜି ୫ ଜଣ ଓଡିଆଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମର୍ଯ୍ୟାଦାଜନକ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି। ସମାଜସେବା କ୍ଷେତ୍ରରେ ସମାଜ ସଂସ୍କାରକ ତଥା ବିଶିଷ୍ଟ ପ୍ରବଚକ ଶ୍ରୀମଦ ବାବା ବଳିଆ,ବିଜ୍ଞାନ ଓ ବୈଷୟିକଜ୍ଞାନ କ୍ଷେତ୍ରରେ ପ୍ରଫେସର ଡ.ଆଦିତ୍ୟ ପ୍ରସାଦ ଦାଶ, କଳା କ୍ଷେତ୍ରରେ ବିଶିଷ୍ଟ କଣ୍ଠଶିଳ୍ପୀ ଡ. ଶ୍ୟାମାମଣି ଦେବୀ, ଶିକ୍ଷା ଏବଂସାହିତ୍ୟ କ୍ଷେତ୍ରରେ ସାହିତ୍ୟିକ ନରସିଂହ ପ୍ରସାଦ ଗୁରୁ,ଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ରାଷ୍ଟ୍ରପତି ସମ୍ମାନିତ କରିଥିଲେ।ଏମାନଙ୍କ ବ୍ୟତୀତ ଆଜି ରାଷ୍ଟ୍ରପତି ଭାରତ ବର୍ଷର ବରିଷ୍ଟ ପ୍ରଶାସନିକ ଅଧିକାରୀ ସ୍ବର୍ଗତ ଗୁରୁ ପ୍ରସାଦ ମହାପାତ୍ରଙ୍କୁ (ମରଣୋତ୍ତର) ଭାବେ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ।ସ୍ବର୍ଗତ ଗୁରୁଙ୍କର ପତ୍ନୀ ଶ୍ରୀମତି ଅଂଜଳି ମହାପାତ୍ର ରାଷ୍ଟ୍ରପତିଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ।ରାଷ୍ଟ୍ରପତି ଭବନର ଦରବାର ହଲରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୦୨୨ର ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର ବିତରଣରେ ମୋଟ ୬୪ ଜଣଙ୍କୁ ପଦ୍ମ ସମ୍ମାନ ପ୍ରଦାନ କରିଥିଲେ।
![]()
ଆଜିର ପଦ୍ମ ପୁରସ୍କାର ବିତରଣ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଉପରାଷ୍ଟ୍ରପତି ଏମ.ଭେଙ୍କିୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରୀ ଅମିତ ଶାହା,ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।ପଦ୍ମ ପୁରସ୍କାରର ଦ୍ବିତୀୟ ପର୍ଯ୍ୟାୟ ବିତରଣ କାର୍ଯ୍ୟକ୍ରମ ଚଳିତ ମାସ ୨୮ ତାରିଖରେ ଆୟୋଜନ କରାଯିବ ବୋଲି ଜଣାପଡିଛି।
ଉଲ୍ଲେଖଯୋଗ୍ୟ, ଦ୍ବିତୀୟ ପର୍ଯ୍ୟାୟ ପୁରସ୍କାର ବିତରଣ ସମାରୋହରେ ଖ୍ୟାତନାମା ଲେଖିକା ପ୍ରତିଭା ରାୟଙ୍କୁ ପଦ୍ମ ଭୁଷଣ ଓ ପାରା ଅଲମ୍ପିକରେ ବ୍ୟାଡମିଣ୍ଟନରେ ସ୍ବର୍ଣ୍ଣ ପୁରସ୍କାର ବିଜେତା ପ୍ରମୋଦ ଭଗତଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/Padmashree-Awards_2022_Thumbnail_2.jpg)