‘ମିସାଇଲ୍‌ ଡିଫେନ୍‌ସ୍‌ ସିଷ୍ଟମ୍‌’ଦ୍ବାରା ବ୍ୟର୍ଥ ହେଲା କାବୁଲ୍ ବିମାନ ବନ୍ଦରକୁ ନିକ୍ଷେପ କରାଯାଇଥିବା ୫ କ୍ଷେପଣାସ୍ତ୍ର: ରିପୋର୍ଟ

ନୂଆଦିଲ୍ଲୀ: ସୋମବାର ଦିନ କାବୁଲ୍ ବିମାନ ବନ୍ଦର ଆଡ଼କୁ ନିକ୍ଷେପ କରାଯାଇଥିବା ପ୍ରାୟ ୫ଟି ରକେଟ୍‌ ବା କ୍ଷେପଣାସ୍ତ୍ରକୁ ‘ମିସାଇଲ୍‌ ଡିଫେନ୍‌ସ୍‌ ସିଷ୍ଟମ୍‌’ଦ୍ବାରା ପ୍ରତିରୋଧ କରାଯାଇଥିବା କଥା ଜଣେ ଆମେରିକୀୟ ଅଧିକାରୀ ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’କୁ କହିଛନ୍ତି।

ରବିବାର ରାତିରେ ଆଫଗାନ୍‌ ରାଜଧାନୀରେ ଗୋଟାଏ ବିସ୍ଫୋରକଭରା ଗାଡ଼ି ଉପରେ ଯୁକ୍ତରାଷ୍ଟ୍ର ଆମେରିକା ଡ୍ରୋନ୍‌ ଆକ୍ରମଣ କରିବା ପରେ ଆଜି କାବୁଲ୍ ବିମାନ ବନ୍ଦର ଉପରେ ରକେଟ୍‌ ଆକ୍ରମଣ କରାଯାଇଥିଲା।

ନାମ ଗୁପ୍ତ ରଖିବା ସର୍ତ୍ତରେ ସମ୍ପୃକ୍ତ ଆମେରିକୀୟ ସରକାରୀ ଅଧିକାରୀଜଣକ କହିଛନ୍ତି, କାବୁଲ୍ ସମୟ ଅନୁସାରେ, ବଡ଼ି ସକାଳୁ ଉକ୍ତ ରକେଟ୍‌ ସବୁ ନିକ୍ଷେପ କରାଯାଇଥିଲା। କିନ୍ତୁ, ସବୁଗୁଡ଼ିକୁ ‘ମସାଇଲ୍‌ ଡିଫେନ୍ସ୍‌ ସିଷ୍ଟମ୍‌’ଦ୍ବାରା ଖସାଇ ଦିଆଯାଇଛି କି, ନାହିଁ, ତାହା ଜଣାପଡ଼ି ନାହିଁ।

Image Courtesy of NDTV

ଏଥିରେ କେହି ମୃତାହତ ହୋଇଥିବା ନ ଥିବା କଥା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ି ଥିଲେ ମଧ୍ୟ ଉକ୍ତ ସୂଚନା ବଦଳିଯାଇ ପାରେ ବୋଲି ସେ କହିଛନ୍ତି।

ଆତଙ୍କବାଦୀ ଆକ୍ରମଣ ବାତାବରଣରେ ଯୁକ୍ତରାଷ୍ଟ୍ର ଆମେରିକା ଆଫଗାନିସ୍ତାନରୁ ସାଧାରଣ ନାଗରିକଙ୍କୁ ସ୍ଥାନାନ୍ତର କରିବା ସହ ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ କରିବା ଲାଗି ପାରୁପର୍ଯ୍ୟନ୍ତ ଲାଗିଥିଲେ ସୁଦ୍ଧା କାବୁଲ୍ ସହର ଉପରେ ସକାଳୁ ରକେଟ୍‌ ଉଡ଼ିବାଜନିତ ଶବ୍ଦ କିଛି ସାମ୍ବାଦିକ ଶୁଣିଥିବା କହିଛନ୍ତି।

ବିମାନ ବନ୍ଦର ପାଖରେ ଥିବା ଲୋକେ ମଧ୍ୟ କହିଛନ୍ତି ଯେ, ସେମାନେ ‘ମିସାଇଲ୍‌ ଡିଫେନ୍‌ସ୍‌ ସିଷ୍ଟମ୍‌’ ସକ୍ରିୟ ହେବା ଶବ୍ଦ ଶୁଣିବା ସହ ବିମାନ ବନ୍ଦର ନିକଟରେ ଧୂଆଁ ଉଠୁଥିବା ଦେଖିଛନ୍ତି।

‘ଆଇଏସ୍‌ଆଇଏସ୍-କେ’ ବିମାନ ବନ୍ଦର ଉପରେ ରକେଟ୍‌ ନିକ୍ଷେପ କରିବାକୁ ଚାହୁଁଛି ବୋଲି ଆମେରିକୀୟ ସରକାରୀ ଅଧିକାରୀମାନେ ସତର୍କ କରାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର