ଜମ୍ମୁ ଓ କଶ୍ମୀରରେ ହିମସ୍ଖଳନ, ୫ ସୈନିକଙ୍କ ସମେତ ୧୦ ନିହତ

ନୂଆଦିଲ୍ଲୀ : ଜମ୍ମୁ ଓ କଶ୍ମୀରରେ ଆଜି ପୃଥକ ପୃଥକ ହିମସ୍ଖଳନରେ ମୋଟ ୪ ଜଣ ସେନା ଯବାନ, ଜଣେ ବିଏସଏଫ ଯବାନ ଓ ୫ ଜଣ ସାଧାରଣ ଲୋକ ନିହତ ହୋଇଥିବା ଖବର ହସ୍ତଗତ ହୋଇଛି ।

କୁପଓ୍ଵାଡ଼ା ଜିଲ୍ଲାର ମିଚିଲ ସେକ୍ଟରରେ ହିମ୍ମସ୍ଖଳନ ହୋଇ ୪ ସେନା ଯବାନ ସହିଦ ହୋଇଥିବାବେଳେ ଆଉ ଜଣେ ଯବାନଙ୍କୁ ଉଦ୍ଧାର କରାଯାଇଛି । ନିୟନ୍ତ୍ରଣ ରେଖା ନିକଟରେ ଥିବା ନୂଆଗାମ ସେକ୍ଟରରେ ବରଫଝଡ଼ ଆସିବାରୁ ଜଣେ ବିଏସ୍‌ଏଫ୍‌ ଯବାନ ସହିଦ ହୋଇଛନ୍ତି । ତେବେ ଏଠାରେ ଫସିରହିଥିବା ୬ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି । ଏହି ଘଟଣା ସୋମବାରଦିନ ସଂଧ୍ୟା ସାଢେ ୮ଟା ବେଳେ ଘଟିଥିଲା ।
ଅନ୍ୟପକ୍ଷରେ ଗନ୍ଦରବଲ ଜିଲ୍ଲାର ସୋନମାର୍ଗଠାରେ ଥିବା କୁଲାନ ଗାଁରେ ବରଫଝଡ଼ ଆସିବାରୁ ୬ ଜଣ ସାଧାରଣ ଲୋକ ନିହତ ହୋଇଛନ୍ତି । ତେବେ ଏହି ସ୍ଥାନରେ ଫସିରହିଥିବା ଅନ୍ୟ ୫ ଜଣଙ୍କୁ ଉଦ୍ଧାର କରାଯାଇଛି ।

ଚଳିତ ବର୍ଷ ଜମ୍ମୁ ଓ କଶ୍ମୀରର ଉଚ୍ଚ ପାର୍ବତ୍ୟାଞ୍ଚଳରେ ପ୍ରବଳ ବରଫପାତ ହେଉଛି । ଏହା ଫଳରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେଉଛି । ଗତ ସପ୍ତାହରେ ପୁଞ୍ଚ୍‌ ଜିଲ୍ଲାରେ ମଧ୍ୟ ଏକ ହିମସ୍ଖଳନ ହେବାରୁ ସେନାର ଜଣେ ଶ୍ରମିକ ନିହତ ହୋଇଥିଲା ।

ସମ୍ବନ୍ଧିତ ଖବର