ହାଇଦ୍ରାବାଦ : ଗୋଟିଏ ବା ଦୁଇଟି ନୁହେଁ, ୫ଟି ଶ୍ବାସତନ୍ତ୍ରୀୟ ଭୂତାଣୁ (ରେସ୍ପିରେଟୋରି ଭାଇରସ୍) ଗଲା ୫ ମାସ ହେଲା ବିଭିନ୍ନ ସ୍ଥାନରେ ଲୋକଙ୍କଠାରେ ସାମାନ୍ୟରୁ ଗୁରୁତର ଅସୁସ୍ଥତା ସୃଷ୍ଟି କରୁଛନ୍ତି। ଗଲା ବର୍ଷ ସେପ୍ଟେମ୍ବର ମାସରୁ ଏହି ଭୂତାଣୁମାନେ ଅସ୍ବାଭାବିକ ଜ୍ବର, କାଶ, ଥଣ୍ଡା ଆଦି ସୃଷ୍ଟି କରୁଛନ୍ତି। ସରକାରୀ ତଥ୍ୟ ଅନୁସାରେ ଉକ୍ତ ୫ଟି ଶ୍ବାସତନ୍ତ୍ରୀୟ ଭୂତାଣୁ ଭିତରେ ସ୍ବାଇନ୍ଫ୍ଲୁ ଭୂତାଣୁ ବି ଅଛନ୍ତି, ଯାହା ଡାକ୍ତରଖାନାରେ ଭର୍ତ୍ତି ସହ ମୃତ୍ୟୁର କାରଣ ବି ହେଉଛନ୍ତି। ସରକାରୀ ତଥ୍ୟ ଅନୁସାରେ ସ୍ବାଇନ୍ଫ୍ଲୁ ଭୂତାଣୁ (ଏଚ୍୧ଏନ୍୧) ୨୦୦୯ ମସିହାରେ ମହାମାରୀ ସୃଷ୍ଟି କରିଥିଲା। ସେହିପରି ୧୯୬୮ର ହଂକଂ ଫ୍ଲୁ ଭୂତାଣୁ (ଏଚ୍୩ଏନ୍୨) ବି ଅନୁରୂପ ଭାବେ ମାରାତ୍ମକ ଯାହା ଏବେ ବିଭିନ୍ନ ଲୋକଙ୍କଠାରେ ଦେଖିବାକୁ ମିଳିଛି। ତା’ଛଡ଼ା ଋତୁକାଳୀନ ଇନ୍ଫ୍ଲୁଏଞ୍ଜା ବି ଭୂତାଣୁଙ୍କ ଭିକ୍ଟୋରିଆ ଓ ୟମାଗତା କିସମ ସମ୍ପ୍ରତି ସଂକ୍ରମଣ ବୃଦ୍ଧିର କାରଣ ହେବା ଦେଖାଯାଉଛି। ଯେତେ ପ୍ରକାର ଭୂତାଣୁ ବର୍ତ୍ତମାନ ଲୋକଙ୍କଠାରେ ଥଣ୍ଡାସର୍ଦ୍ଦି ଓ ଜ୍ବରକାଶ ସୃଷ୍ଟି କରୁଛନ୍ତି ସେମାନଙ୍କ ଭିତରେ ଉକ୍ତ ପାଞ୍ଚଟି ଭୂତାଣୁ ସବୁଠାରୁ ପ୍ରଭାବଶାଳୀ। ୨୦୦୯ ମହାମାରୀର କାରକ ସ୍ବାଇନ୍ଫ୍ଲୁ ଭୂତାଣୁଙ୍କ ଉପକିସମ ଏଚ୍୩ଏନ୍୨ ଭୂତାଣୁଙ୍କ ସମ୍ଭାବ୍ୟ ଉପସ୍ଥିତିକୁ ମଧ୍ୟ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଅସ୍ବୀକାର କରିନାହାନ୍ତି। ତେବେ ସରକାରୀ ତଥ୍ୟରେ ଏହି ଉପକିସମର ଉଲ୍ଲେଖ ନାହିଁ।
ସମ୍ପ୍ରତି କୋଭିଡ୍-୧୯ ସଂକ୍ରମଣ ସମଗ୍ର ବିଶ୍ବରେ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଥିବା ବେଳେ ଅଲକ୍ଷିତଭାବେ ତାହାର ସ୍ଥାନ ନେଇଛି ବହୁ ଦିନରୁ ଲୋକେ ଭୁଲିଯାଇଥିବା ସ୍ବାଇନ୍ଫ୍ଲୁ ଭୂତାଣୁ। ଏପରିକି ଭିକ୍ଟୋରିଆ ଉପକିସମ ବି କିଛି ସପ୍ତାହ ହେଲା ସଂକ୍ରମଣ ତାଲିକାରେ ଶୀର୍ଷରେ ରହିଥିଲା। କିନ୍ତୁ କେବଳ କୋଭିଡ୍-୧୯ ଉପରେ ଏବେ ଆମେ ଦୃଷ୍ଟି କେନ୍ଦ୍ରିତ କରିଥିବାରୁ ସମାନଭାବେ ମାରାତ୍ମକ ଥିବା ଏହି ଭୂତାଣୁଗୁଡ଼ିକ ଆଢ଼ୁଆଳରେ ରହିଯାଇଛନ୍ତି।
ଯଦିଚ ଇନ୍ଫ୍ଲୁଏଞ୍ଜା ଏ’ର ଉପକିସମ ଏଚ୍୩ଏନ୍୨ ସମ୍ପ୍ରତି ସଂକ୍ରମଣ ତାଲିକାରେ ଶୀର୍ଷରେ ରହିଆସିଛି, ଏହାର ଭଗିନୀ ଇନ୍ଫ୍ଲୁଏଞ୍ଜା ବି’ର ଉପକିସମ ଭିକ୍ଟୋରିଆ ମଧ୍ୟ ଗତ ଜାନୁଆରି ମାସରୁ ସଂକ୍ରମଣରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଆଗରୁ ଇନ୍ଫ୍ଲୁଏଞ୍ଜା ବି ଏତେ ମାରାତ୍ମକ ନ ଥିବା ବେଳେ ଏବେ ଏହା ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରି ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ବାଧ୍ୟ କରୁଥିବା ଡାକ୍ତରମାନେ କହିଛନ୍ତି। ତେଣୁ ଏହିସବୁ ଥଣ୍ଡାଜ୍ବରକାରକ ଭୂତାଣୁମାନଙ୍କ ପ୍ରତି ସତର୍କ ରହିବାକୁ ଏବଂ ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଯଥାସମ୍ଭବ ଦୂରରେ ରହିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।