୪ ରାଜ୍ୟରେ ବିଜୟ ଗୁଜୁରାଟ, ହିମାଚଳ ନିର୍ବାଚନ ପାଇଁ ବିଜେପିର ଆତ୍ମବିଶ୍ବାସ ବଢାଇବ

ବିଧାନସଭା ନିର୍ବାଚନ ୨୦୨୨ : ରାତି ୧୦ଟା ସୁଦ୍ଧା ଫଳାଫଳ

ନୂଆଦିଲ୍ଲୀ : ବିପୁଳ ଓ ମହତ୍ତ୍ବପୂର୍ଣ୍ଣ ବିଜୟ ସହ ବିଜେପି ୨୦୨୨ର ଶୁଭାରମ୍ଭ କରିଛି । ବିଶେଷ କରି ଉତ୍ତରପ୍ରଦେଶରେ ବିପୁଳ ବିଜୟ ପରେ ଦଳ ୨୦୨୪ ଲୋକସଭା ନିର୍ବାଚନରେ ପୁଣି ଜିତିବାକୁ ଆଶାବାଦୀ ହୋଇଉଠିଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ୨୦୨୨ରେ ଉତ୍ତରପ୍ରଦେଶ ନିର୍ବାଚନରେ ବିଜୟ ହାସଲ କରିବା ପରେ ୨୦୨୪ର ସାଧାରଣ ନିର୍ବାଚନର ପରିଣାମ ନିର୍ଦ୍ଧାରିତ ହୋଇଯାଇଛି ।

ଅନ୍ୟ ପକ୍ଷରେ ୪ଟି ରାଜ୍ୟରେ ଏହି ବିଜୟ ଚଳିତ ବର୍ଷ ଶେଷ ଆଡ଼କୁ ହେବାକୁ ଥିବା ଗୁଜୁରାଟ ଓ ହିମାଚଳ ପ୍ରଦେଶ ନିର୍ବାଚନ ପାଇଁ ବିଜେପିର ମନୋବଳକୁ ବଢାଇଦେବ।  ଏହା ବିଜେପିର ଶୀର୍ଷ ନେତୃତ୍ବ ସହ ତୃଣମୂଳସ୍ତରରେ କାମ କରୁଥିବା କର୍ମୀଙ୍କର ମଧ୍ୟ ମନୋବଳ ବୃଦ୍ଧି କରିବ।

ରାଜନୈତିକ ସମୀକ୍ଷକ ତଥା ବରିଷ୍ଠ ସାମ୍ବାଦିକ ପ୍ରଣୟ ରାୟଙ୍କ ମତରେ ଅନେକ ଚ୍ୟାଲେଞ୍ଜକୁ ଅତିକ୍ରମ କରି ବିଜେପି ଏସବୁ ନିର୍ବାଚନ ଜିତିପାରିଛି । କରୋନା ମହାମାରୀ, କୃଷକ ଆନ୍ଦୋଳନ, ଦରଦାମ ବୃଦ୍ଧି ଆଦି ପ୍ରସଙ୍ଗ ନିର୍ବାଚନରେ ବିଜେପିକୁ ଅସୁବିଧାରେ ପକାଇବ ବୋଲି ଆଶଙ୍କା କରାଯାଉଥିଲା । କିନ୍ତୁ ଏସବୁ ଆହ୍ବାନକୁ ବିଜେପି ସଫଳତାର ସହ ଅତିକ୍ରମ କରିପାରିଛି ।

୨୦୨୨ ନିର୍ବାଚନର ଆଉ ଏକ ଗୁରୁତ୍ବପୂର୍ଣ୍ଣ ଦିଗ ହେଲା ଆମ ଆଦମୀ ପାର୍ଟିର ପଞ୍ଜାବରେ ଅଭୂତପୂର୍ବ ବିଜୟ। ଏକ ଜାତୀୟ ଦଳ ଭାବେ ଏହାର ଅଭ୍ୟୁଦୟ ଘଟୁଛି ବୋଲି ରାଜନୈତିକ ବିଶ୍ଲେଷକମାନେ ମତବ୍ୟକ୍ତ କରିଛନ୍ତି। ଗୁଜରାଟ ଓ ହିମାଚଳ ପ୍ରଦେଶ‌ ବିଧାନସଭା ନିର୍ବାଚନରେ ଆପ୍ ଯଦି ପ୍ରାର୍ଥୀ ଦିଏ ତେବେ ବିଜେପି ଲାଗି ଅଡ଼ୁଆ ହୋଇପାରେ।

 

ରାତି ୧୦ଟା ସୁଦ୍ଧା ନିର୍ବାଚନ ଫଳାଫଳ ( ତଥ୍ୟ : ନିର୍ବାଚନ କମିସନ)

ଉତ୍ତରପ୍ରଦେଶ

ଦେଶର ସବୁଠାରୁ ବଡ଼ ରାଜ୍ୟ ଉତ୍ତରପ୍ରଦେଶର ମୋଟ ୪୦୩ଟି ଆସନ ମଧ୍ୟରୁ ନିର୍ବାଚନ ଆୟୋଗ ଏପର୍ଯ୍ୟନ୍ତ ୩୪୦ଟି ଆସନର ଚୂଡ଼ାନ୍ତ ଫଳ ଘୋଷଣା କରିଥିବାବେଳେ ଆଉ ୬୩ ଆସନରେ ଗଣତି ଜାରି ରହିଛି । ଭାରତୀୟ ଜନତା ପାର୍ଟି ୨୨୪ ଟି ଆସନରେ ବିଜୟୀ ହୋଇଥିବାବେଳେ ଆଉ ୩୧ଟି ଆସନରେ ଆଗୁଆ ରହିଛି । ସମାଜବାଦୀ ପାର୍ଟି ୮୭ଟି ଆସନରେ ବିଜୟୀ ହୋଇଥିବାବେଳେ ୨୪ଟି ଆସନରେ ଆଗୁଆ ରହିଛି । କଂଗ୍ରେସ ୨ଟି ଆସନରେ ବିଜୟୀ ହୋଇଛି । ରାଷ୍ଟ୍ରୀୟ ଲୋକ ଦଳ ୮ଟି ଆସନରେ ବିଜୟୀ ହୋଇଛି । ବିଜେପିର ସହଯୋଗୀ ପାର୍ଟି ଅପନା ଦଳ ୯ଟି ଆସନରେ ଜିତିଥିବାବେଳେ ୩ଟି ଆସନରେ ଆଗୁଆ ରହିଛି ।

ମଣିପୁର

ନିର୍ବାଚନ କମିସନଙ୍କ ପକ୍ଷରୁ ଜାରି ତଥ୍ୟ ଅନୁସାରେ ମଣିପୁର ୬୦ଟି ଆସନରୁ ୫୯ଟି ଆସନର ଫଳାଫଳ ଘୋଷିତ ହୋଇଛି । ସେଗୁଡ଼ିକ ମଧ୍ୟରୁ ଭାରତୀୟ ଜନତା ପାର୍ଟି ୩୨ଟି ଆସନରେ ବିଜୟୀ ହୋଇଛି । କଂଗ୍ରେସ ୫ଟି ଆସନରେ ବିଜୟୀ ହୋଇଛି । ସେହିପରି ଜନତା ଦଳ (ୟୁ) ୬ଟି ଆସନରେ ବିଜୟୀ ହୋଇଛି । ନାଗା ପିପୁଲ୍ସ ଫ୍ରଣ୍ଟ ୫ଟି ଆସନରେ ଜିତିଥିବାବେଳେ ନ୍ୟାସନାଲ ପିପୁଲ୍ସ ପାର୍ଟି ୬ଟି ଆସନରେ ଜିତିଛି ଓ ଗୋଟିଏ ଆସନରେ ଆଗୁଆ ଅଛି ।

ଗୋଆ

ନିର୍ବାଚନ କମିସନଙ୍କ ପକ୍ଷରୁ ଜାରି ଚୂଡ଼ାନ୍ତ ତଥ୍ୟ ଅନୁସାରେ ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭା ଆସନରେ ବିଜେପି ୨୦ଟି ଆସନରେ ବିଜୟୀ  ହୋଇଛି। କଂଗ୍ରେସ ୧୧ଟି ଆସନରେ ବିଜୟୀ ହୋଇଛି । ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି ୨ଟି ଆସନରେ ଆଗୁଆ ଥିବାବେଳେ ଗୋଟିଏ ଆସନରେ ବିଜୟୀ ହୋଇଛି । ଆପ୍ ଓ ଟିଏମସି ୨ଟି ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି ।

ଉତ୍ତରାଖଣ୍ଡ

ନିର୍ବାଚନ କମିସନଙ୍କ ସୂଚନା ଅନୁସାରେ ୭୦ ଆସନ ବିଶିଷ୍ଟ ଉତ୍ତରାଖଣ୍ଡରେ ବିଜେପି ୪୬ଟି ଆସନରେ ବିଜୟୀ  ହୋଇଛି । କଂଗ୍ରେସ ୧୭ଟି ଆସନରେ ବିଜୟୀ ହୋଇଛି । ସେହିପରି ବହୁଜନ ସମାଜ ପାର୍ଟି ୧ଟି ଆସନରେ ବିଜୟୀ ହୋଇଛି ଓ ୨ ଜଣ ସ୍ବାଧୀନ ପ୍ରର୍ଥୀ ବିଜୟୀ ହୋଇଛନ୍ତି ।

ପଞ୍ଜାବ

୧୧୭ ଆସନ ବିଶିଷ୍ଟ ପଞ୍ଜାବରେ ଆପ ୯୨ଟି ଆସନରେ ବିଜୟୀ ହୋଇଛି । କଂଗ୍ରେସ ୧୮ଟି ଆସନରେ, ଅକାଳି ଦଳ ୩ଟି ଆସନରେ ଓ ବିଜେପି ୨ଟି ଆସନରେ ବିଜୟୀ ହୋଇଛନ୍ତି । ସେହିପରି ବିଏସପି ଗୋଟିଏ ଆସନରେ ଜିତିଥିବାବେଳେ ଜଣେ ସ୍ବାଧୀନ ପ୍ରର୍ଥୀ ବିଜୟୀ ହୋଇଛନ୍ତି ।

ସମ୍ବନ୍ଧିତ ଖବର