ମେ ୩୧ ଯାଏଁ ୫ଟି ରାଜ୍ୟ ବଢ଼ାଇଲେ ଲକଡାଉନ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଲକଡାଉନ-୪ ଘୋଷଣା ପୂର୍ବରୁ ୫ଟି ରାଜ୍ୟ ଲକଡାଉନ ଅବଧିକୁ ବଢ଼ାଇଦେଇଛନ୍ତି | ନିଜ ରାଜ୍ୟରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ପାଇଁ ଆଜି ତାମିଲନାଡୁ ଓ ମହାରାଷ୍ଟ୍ର ସରକାର ମେ ୩୧ ଯାଏଁ ଲକଡାଉନ ବଢ଼ାଇଛନ୍ତି | ଗତକାଲି ମିଜୋରାମ, ପଞ୍ଜାବ ଓ ତେଲେଙ୍ଗାନା ସରକାର ମଧ୍ୟ ଲକଡାଉନ ଅବଧିକୁ ବଢାଇଥିଲେ | ତାମିଲନାଡୁରେ ୧୦୫୮୫ କରୋନା ପଜିଟିଭ ଚିହ୍ନଟ ହୋଇଥିବାରୁ ଏହି ସଂକ୍ରମଣ ଯେଭଳି ନ ବ୍ୟାପେ ସେଥିପାଇଁ ଆଜି ମୁଖ୍ୟମନ୍ତ୍ରୀ ଇ ପାଲାନିସ୍ୱାମୀ ଲକଡାଉନ ଅବଧି ବଢ଼ାଇଛନ୍ତି |

ସେହିପରି ମହାରାଷ୍ଟ୍ରରେ ମଧ୍ୟ ଆଜି ଲକଡାଉନ ଅବଧିକୁ ବଢ଼ାଇ ଦିଆଯାଇଛି | ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ‌ଟୋପେ କହିଛନ୍ତି ଯେ ଲକ୍‌ଡାଉନ୍ ରୋଗ ସଂକ୍ରମଣରେ ରୋକିବାରେ ସହାୟକ ହୋଇଛି। ଶନିବାର ଦିନ ମହାରାଷ୍ଟ୍ରରେ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ୩୦, ୭୦୬ରେ ପହଞ୍ଚିଥିଲା। ସେହିପରି ରାଜ୍ୟରେ ସମୁଦାୟ ମୃତ୍ୟୁସଂଖ୍ୟା ୧,୧୩୫ରେ ପହଞ୍ଚିଥିଲା। ଏହା ପୂର୍ବରୁ ଉତ୍ତର ପୂର୍ବ ଭାରତର ରାଜ୍ୟ ମିଜୋରାମ ସରକାର ମେ ୩୧ ଯାଏଁ ଲକଡାଉନ ଅବଧି ବଢ଼ାଇଥିବାବେଳେ ତେଲେଙ୍ଗାନା ସରକାର ମଧ୍ୟ ମେ ୨୯ ଯାଏଁ ଲକଡାଉନ ଅବଧି ବଢାଇବାକୁ ଘୋଷଣା କରିଥିଲେ |

Livemint

ସେହିପରି ଗତକାଲି ପଞ୍ଜାବ ସରକାର ଲକଡାଉନକୁ ଆସନ୍ତା ୩୧ ତାରିଖ ଯାଏଁ ବଢ଼ାଇଦେଇଥିଲେ | ଲକଡାଉନରେ ସମସ୍ତେ ସହଯୋଗ କରିବାକୁ ଜନସାଧାରଣଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ । ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ କହିଥିଲେ ଯେ ସେ ଆସନ୍ତା ୧୮ ତାରିଖ ଦିନ ଲକଡାଉନ୍ -୪ ସମୟରେ ଅନେକ ରିଲିଫ ଘୋଷଣା କରିବାକୁ ଯାଉଛନ୍ତି, କିନ୍ତୁ ଜନସାଧାରଣଙ୍କ ସାହାଯ୍ୟ ବିନା ଏହା ସମ୍ପୂର୍ଣ୍ଣ ହେବ ନାହିଁ।

ସମ୍ବନ୍ଧିତ ଖବର