୫ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳରେ ମାର୍ଚ୍ଚ ୨୭ରୁ ଭୋଟ୍‌: ମେ ୨ରେ ଫଳାଫଳ, ଆଦର୍ଶ ଆଚରଣବିଧି ଲାଗୁ

ସବୁ କର୍ମଚାରୀ ଟିକା ନେବେ, ୮ ପର୍ଯ୍ୟାୟ‌ ଉପରେ ପ୍ରଶ୍ନ ଉଠାଇଲେ ମମତା

ନୂଆଦିଲ୍ଲୀ: କେନ୍ଦ୍ର ନିର୍ବାଚନ କମିସନ ଆଜି ୪ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଏହି ୫ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ ୮୨୪ ଆସନ ରହିଛି। ନିର୍ବାଚନରେ ୧୮.୬୮ କୋଟି ଭୋଟର ୨.୭ ଲକ୍ଷ କେନ୍ଦ୍ରରେ ମତଦାନ କରିବେ। ତାରିଖ ଘୋଷଣା ସହିତ ଆଦର୍ଶ ଆଚରଣବିଧି ଲାଗୁ କରାଯାଇଛି।

ମୁଖ୍ୟ ନିର୍ବାଚନ କମିସନର ସୁନୀଲ ଆରୋରା ପଶ୍ଚିମବଙ୍ଗ, କେରଳ, ତାମିଲନାଡ଼ୁ, ଆସାମ ଏବଂ ପୁଡୁଚେରୀରେ ହେବାକୁ ଥିବା ବିଧାନସଭା ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ସେ କହିଛନ୍ତି, ନିର୍ବାଚନ ସୂଚୀ ଅନୁସାରେ ଆରବ ସାଗରରୁ ଗଙ୍ଗାସାଗର ଯାଏଁ ୬୨ ଦିନ ବ୍ୟାପୀ ନିର୍ବାଚନ ପର୍ବ ଚାଲିବ। ପଶ୍ଚିମବଙ୍ଗରେ ସବୁଠାରୁ ଅଧିକ ଅର୍ଥାତ୍‌ ୮ଟି ଚରଣରେ ନିର୍ବାଚନ ହେବ। ଆସାମରେ ୩ ଏବଂ ଅବଶିଷ୍ଟ ତିନି ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ। ଆସାମ ଏବଂ ପଶ୍ଚିମବଙ୍ଗରୁ ମାର୍ଚ୍ଚ ୨୭ ତାରିଖରୁ ଭୋଟ୍‌ ଆରମ୍ଭ ହେବ। ସମସ୍ତ ରାଜ୍ୟର ଭୋଟ୍‌ ଗଣତି ମେ ମାସ ୨ ତାରିଖରେ ହେବ ବୋଲି ଆରୋରା ସୂଚନା ଦେଇଛନ୍ତି। ଏଥିସହିତ ଭୋଟ୍‌ଗ୍ରହଣ ସମୟ ୧ ଘଣ୍ଟା ବୃଦ୍ଧି କରାଯାଇଛି। ୮୦ ବର୍ଷରୁ ଊର୍ଦ୍ଧ୍ବ ଭୋଟର୍‌, ବିକଳାଙ୍ଗ, ଭିନ୍ନକ୍ଷମ ଏବଂ ସ୍ଥାନୀୟ ନିର୍ବାଚନ ଅଧିକାରୀ ସୁପାରିଶ କରିଥିବା ଭୋଟରମାନେ ଡାକ ଯୋଗେ ନିଜର ମତଦାନ କରିପାରିବେ। ନିର୍ବାଚନରେ ନିଯୁକ୍ତ ସମସ୍ତ ଅଧିକାରୀଙ୍କୁ କରୋନା ଟିକା ଦିଆଯିବ।

ପଶ୍ଚିମବଙ୍ଗ: ଚଳିତ ନିର୍ବାଚନରେ ପଶ୍ଚିମବଙ୍ଗ ଅଧିକ ଚର୍ଚ୍ଚାରେ। ଏଠାରେ ସର୍ବାଧିକ ୮ଟି ଚରଣରେ ଭୋଟ୍‌ ହେବ। ପ୍ରଥମ ଚରଣର ଅଧିସୂଚନା ମାର୍ଚ୍ଚ ୨ ତାରିଖରେ ଘୋଷଣା କରାଯିବ। ବାଂଲାରେ ତୃଣମୂଳ ଏବଂ ବିଜେପି ମଧ୍ୟରେ ସିଧାସଳଖ ପ୍ରତିଦ୍ବନ୍ଦ୍ବିତା ହେବ। ୨୦୧୬ ବିଧାନସଭା ନିର୍ବାଚନରେ ତୃଣମୂଳକୁ ୨୧୧ ଆସନ ମିଳିଥିଲା। ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ୪୨ରୁ ୧୮ଟି ଆସନରେ ବିଜୟୀ ହୋଇଥିଲା। ଏଥିପାଇଁ ବିଧାନସଭା ନିର୍ବାଚନରେ ଦଳ ପୂରା ଜୋର ଲଗାଇ ଦେଇଛି। ଏଠାରେ କଂଗ୍ରେସ, ବାମଦଳ ଏବଂ ଇଣ୍ଡିଆନ୍‌ ସେକ୍ୟୁଲାର ଫ୍ରଣ୍ଟ ମଧ୍ୟରେ ମେଣ୍ଟ ହେଇଛି। ଫୁରଫୁରା ସରିଫର ଇଣ୍ଡିଆନ୍‌ ସେକ୍ୟୁଲାର ଫ୍ରଣ୍ଟକୁ ୩୦ଟି ଆସନ ଦିଆଯାଇଛି।

ଆସାମ: ଆସାମରେ ତିନି ପର୍ଯ୍ୟାୟରେ ଭୋଟ୍‌ ହେବ। ଏଠାରେ ମାର୍ଚ୍ଚ ୨୭ରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ପଶ୍ଚିମବଙ୍ଗ ଭଳି ଆସାମର ପ୍ରଥମ ପର୍ଯ୍ୟାୟ ଅଧିସୂଚନା ମାର୍ଚ୍ଚ ୨ ତାରିଖରେ ପ୍ରକାଶ ପାଇବ। ୨୦୧୬ରେ ଆସାମରେ ବିଜେପି ୬୦ଟି ଆସନରେ ବିଜୟୀ ହୋଇ ସରକାର ଗଢ଼ିଥିଲା।

ତାମିଲନାଡ଼ୁ: ତାମିଲନାଡ଼ୁରେ ଗୋଟିଏ ପର୍ଯ୍ୟାୟରେ ଏପ୍ରିଲ ୬ରେ ୨୩୪ଟି ଆସନରେ ନିର୍ବାଚନ ହେବ। ୨୦୧୬ରେ ୧୩୪ ଆସନରେ ବିଜୟୀ ହୋଇ ଏଆଇଏଡିଏମ୍‌କେ ସରକାର ଗଠନ କରିଥିଲା। ଡିଏମ୍‌କେକୁ ମିଳିଥିଲା ୯୭ଟି ଆସନ।

କେରଳ: କେରଳରେ ୧୪୦ ଆସନରେ ଏପ୍ରିଲ ୬ରେ ନିର୍ବାଚନ ହେବ। ସମ୍ପ୍ରତି ଏଠାରେ ବାମଦଳ ଏବଂ କଂଗ୍ରେସର ମେଣ୍ଟ ସରକାର ରହିଛି। ୨୦୧୬ ବିଧାନସଭା ନିର୍ବାଚନରେ ଏଠାରେ ବିଜେପିକୁ ମାତ୍ର ଗୋଟିଏ ଆସନ ମିଳିଥିଲା।

ପୁଡୁଚେରୀ: ପୁଡୁଚେରୀରେ ୩୦ଟି ବିଧାନସଭା ଆସନ ରହିଛି। କଂଗ୍ରେସ ସରକାରର ପତନ ପରେ ଏଠାରେ ଏବେ ରା‌ଷ୍ଟ୍ରପତି ଶାସନ ଜାରି ହୋଇଛି।

ସବୁ କର୍ମଚାରୀ ଟିକା ନେବେ
ନୂଆଦିଲ୍ଲୀ : ଆଗାମୀ ବିଧାନସଭା ନିର୍ବାଚନରେ ଯେଉଁ କର୍ମଚାରୀମାନେ ନିର୍ବା‌ଚନ ଡ୍ୟୁଟିରେ ରହିବେ ସେମାନେ ସମସ୍ତେ ଟିକା ନେବେ। ସମସ୍ତଙ୍କୁ ‘ଆଗଧାଡ଼ିର କର୍ମୀ’ ଘୋଷଣା‌ କରାଯାଇଛି। ନିର୍ବାଚନ ତାରିଖ ପୂର୍ବରୁ ସମସ୍ତଙ୍କୁ ଟିକାକରଣ କରାଯିବ। ନିର୍ବାଚନ କମିସନ୍‌ ଆଜି ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରିଛନ୍ତି। ମୁଖ୍ୟ ନିର୍ବ‌ାଚନ କମିସନର ସୁନିଲ ଆରୋରା କହିଛନ୍ତି ଦେଶବ୍ୟାପୀ ଟିକାକରଣ କାର୍ଯ୍ୟକ୍ରମ ଦ୍ବାରା ନିର୍ବାଚନ ପାଇଁ ପରିସ୍ଥିତି ଆହୁରି ଅଧିକ ଅନୁକୂଳ ହୋଇଯାଇଛି।

୮ ପର୍ଯ୍ୟାୟ‌ ଉପରେ ପ୍ରଶ୍ନ ଉଠାଇଲେ ମମତା
କୋଲକାତା : ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ ବୋଲି ନିର୍ବାଚନ କମିସନ୍‌ଙ୍କ ନିଷ୍ପତ୍ତି ଉପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଶ୍ନ ଉଠାଇଛନ୍ତି। ନିର୍ବାଚନ କମିସନ୍‌ଙ୍କୁ ମମତା ପ୍ରଶ୍ନ କରିଛନ୍ତି, ଯଦି ଆସାମ୍‌ରେ ୩ ପର୍ଯ୍ୟାୟରେ ଏବଂ ତାମିଲନାଡ଼ୁ, କେରଳ, ପୁଡ଼ୁଚେରିରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେଉଛି ତେବେ ପଶ୍ଚିମବଙ୍ଗରେ କାହିଁକି ୮ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ବିଜେପିକୁ ସୁବିଧା ଦେବାପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ମମତା ଅଭିଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହଙ୍କ ଉପଦେଶ କ୍ର‌‌ମେ ଏଭଳି ନିଷ୍ପତ୍ତି ନିଆଯାଇଛି କି? ସେମାନଙ୍କ ପ୍ରଚାର କାର୍ଯ୍ୟକୁ ସୁହାଇବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି କି? ଯାହାଦ୍ବାରା ସେମାନେ ଆସାମ ଏବଂ ତାମିଲନାଡ଼ୁ ନିର୍ବାଚନ ସାରି ପଶ୍ଚିମବଙ୍ଗ ଆସିବେ ବୋଲି ମମତା ପ୍ରଶ୍ନ କରିଛନ୍ତି।

୨ ଲୋକସଭା ଉପନିର୍ବାଚନ ଏପ୍ରିଲ ୬ରେ
ନୂଆଦିଲ୍ଲୀ: ବିଧାନସଭା ସହିତ କେରଳର ମାଲାପୁରମ ଏବଂ ତାମିଲନାଡ଼ୁର କନ୍ୟାକୁମାରୀ ଲୋକସଭା ଆସନ ପାଇଁ ମଧ୍ୟ ନିର୍ବାଚନ ତାରିଖ ଆଜି ‌େଘାଷଣା କରାଯାଇଛି। ଏହି ଦୁଇଟି ଆସନ ପାଇଁ ଏପ୍ରିଲ ୬ରେ ଭୋଟ ଗ୍ରହଣ ହେବ ‌ଏବଂ ମେ ଦୁଇରେ ଗଣତି ହେବ।

ସମ୍ବନ୍ଧିତ ଖବର