ଶ୍ରୀନଗର: ଜମ୍ମୁ-କଶ୍ମୀରର ବାରମୁଳା ଜିଲ୍ଲା ସ୍ଥିତ ସୋପୁର୍‌ ଅଞ୍ଚଳରୁ ଆଜି ୫ ଜଣ ଆତଙ୍କବାଦୀ ଗିରଫ ହୋଇଛନ୍ତି। ସୁରକ୍ଷାବାହିନୀ ଏବଂ ପୁଲିସର ମିଳିତ ଅପରେସନ୍‌ ବେଳେ ଏହି ଆତଙ୍କବାଦୀଙ୍କୁ ଠାବ କରାଯାଇଥିଲା। କଶ୍ମୀର ଜୋନ୍‌ ପୁଲିସ ପକ୍ଷରୁ ଆଜି ଏକ ବିବୃତି ଜାରି କରି କୁହାଯାଇଛି ଯେ ମିଳିତ ସୁରକ୍ଷା ବାହିନୀ ୩ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଥିବା ବେଳେ ପୁଲିସ ବାହିନୀର ସର୍ଚ୍ଚ ଅପରେସନ ବେଳେ ୨ ଜଣ ଆତଙ୍କବାଦୀ ଜୀବିତ ଧରା ପଡ଼ିଛନ୍ତି। ଏହି ଆତଙ୍କବାଦୀମାନେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କୁ ଧମକାଇ ସୁରକ୍ଷା ବାହିନୀ ଉପରେ ଆକ୍ରମଣ ପାଇଁ ଯୋଜନା କରୁଥିଲେ। ଜମ୍ମୁ କଶ୍ମୀର ପୁଲିସ ଗିରଫ କରିଥିବା ୨ ଆତଙ୍କବାଦୀଙ୍କଠାରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଏହି ଆତଙ୍କବାଦୀମାନେ ଲସ୍କର ସଂଗଠନର ବୋଲି ଜଣାପଡ଼ିଛି। ଧାରା ୩୭୦ ଉଚ୍ଛେଦ ପରଠାରୁ ପାକିସ୍ତାନ ଜମ୍ମୁ କଶ୍ମୀରକୁ ଆତଙ୍କବାଦୀ ଅନୁପ୍ରବେଶ କରାଇ ହିଂସା ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ମୁକାବିଲା ପାଇଁ ସୁରକ୍ଷାବାହିନୀ ପକ୍ଷରୁ ମଧ ସର୍ବାଧିକ ସତର୍କତା ଅବଲମ୍ବନ କରାଯାଇଛି।