ପୁଲ୍‌ୱାମା ଏନ୍‌କାଉଣ୍ଟର: ୫ ଆତଙ୍କବାଦୀ ନିପାତ, ଜଣେ ଯବାନ ସହିଦ

କାର୍ଯ୍ୟାନୁଷ୍ଠାନ ନେଇ ପ୍ରଶ୍ନ ଉଠାଇଲେ ମେହବୁବା

ଶ୍ରୀନଗର : ଜମ୍ମୁ କାଶ୍ମୀର ପୁଲ୍‌ୱାମା ଜିଲ୍ଲାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ୫ ଆତଙ୍କବାଦୀ ନିପାତ ହୋଇଛନ୍ତି । ଜଣେ ଯବାନ ମଧ୍ୟ ଏଥିରେ ସହିଦ ହୋଇଛନ୍ତି। ପୁଲ୍‌ୱାମାର ରାଜପୋରା ସ୍ଥିତି ହାଂଜିନ୍‌ ଗ୍ରାମରେ ଆତଙ୍କବାଦୀଙ୍କ ଗତିବିଧି ସଂକ୍ରାନ୍ତରେ ଖବର ପାଇ ସୁରକ୍ଷାବାହିନୀ ପକ୍ଷରୁ ସର୍ଚ୍ଚ‌୍ ଅପରେସନ୍‌ ଆରମ୍ଭ ହୋଇଥିଲା। ଆତଙ୍କବାଦୀଙ୍କ ଗୁଳି ମାଡ଼ରେ ଆହତ ହୋଇଥିବା ଜଣେ ଯବାନ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଦେଇଛନ୍ତି। ନିହତ ଆତଙ୍କବାଦୀମାନଙ୍କୁ ଚିହ୍ନଟ କରାଯାଇଛି। ସେମାନେ ଏଲ୍‌ଇଟି ଗୋଷ୍ଠୀର ବୋଲି ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ ଏଲ୍‌ଇଟିର ଜଣେ ଜିଲ୍ଲା କମାଣ୍ଡର ଅଛି। ତାକୁ ନିଶାଜ୍‌ ଲୋନ୍‌ ଭାବେ ଚିହ୍ନଟ କରାଯାଇଛି। କାଶ୍ମୀର ଆଇଜିପି ବିଜୟ କୁମାର ଏହି ଅପରେସନ୍‌କୁ ଏକ ବଡ଼ ସଫଳତା ବୋଲି କହିଛନ୍ତି।

ଅନ୍ୟପକ୍ଷରେ ପିଡିପି ସଭାପତି ମେହବୁବା ମୁଫ୍‌ତି ପୁଲୱାମା ଏନ୍‌କାଉଣ୍ଟର ନେଇ ଆଜି ପ୍ରଶ୍ନ ଉଠାଇଛନ୍ତି। ସୁରକ୍ଷା ବାହିନୀ କେଉଁ ଆଧାରରେ ଓ କିଭଳି ଏହି ଏନ୍‌କାଉଣ୍ଟର କରିଛନ୍ତି ତାହାର ସବିଶେଷ ତଥ୍ୟ ରଖିବାକୁ ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର