କବାଡି ଦୋକାନରୁ ମିଳିଲା ୫ ହଜାର ସ୍କୁଲ ବହି, ଶାଗ ମାଛ ମୂଲ୍ୟରେ ବିକ୍ରି ହୋଇଥିଲା ପାଠ୍ୟପୁସ୍ତକ

ଆଗ୍ରା: ଶିକ୍ଷାର ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି | ପିଲାଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ମାଗଣାରେ ଭୋଜନ ସାଙ୍ଗକୁ ପାଠ ବହିର ମଧ୍ୟ ବ୍ୟବସ୍ଥା କରୁଛନ୍ତି | କିନ୍ତୁ କିଛି ଦୁର୍ନୀତିଗ୍ରସ୍ତ ଅଧିକାରୀ କିଛି ଲାଭ ଆଶାରେ କିଭଳି ପିଲାଙ୍କ ପାଇଁ ଆସିଥିବା ବହିକୁ ମଧ୍ୟ ଶାଗ ମାଛ ମୂଲ୍ୟରେ ବିକିବାକୁ ପଛାଉନାହାଁନ୍ତି ତାହାର ଏକ ଜ୍ୱଳନ୍ତ ଉଦାହରଣ ଏବେ ଦେଖିବାକୁ ମିଳିଛି | ଉତ୍ତରପ୍ରଦେଶର ବାନ୍ଦା ଅଂଚଳରୁ ଏଭଳି ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି | ଯେଉଁଠି ସ୍କୁଲର ଶିକ୍ଷକ ଓ ଶିକ୍ଷା ବିଭାଗର କର୍ମଚାରୀ ମିଶି ପିଲାଙ୍କ ପାଇଁ ଆସିଥିବା ବହିକୁ କବାଡି ଦୋକାନରେ ବିକ୍ରି କରିଦେଇଛନ୍ତି |

Photo-ANI

ବୁଧବାର ଦିନ କବାଡି ଦୋକାନରେ ବହୁ ସଂଖ୍ୟାରେ ପିଲାଙ୍କ ପାଠ୍ୟପୁସ୍ତକ ଗଦା ହୋଇଥିବାର ଦେଖିବାକୁ ମିଳିଥିଲା | ୨୦୧୯-୨୦ ଶିକ୍ଷାବର୍ଷର ପାଖାପାଖି ୫ ହଜାର ବହିକୁ ମାତ୍ର ୧୧୪୦ ଟଙ୍କାରେ କବାଡି ଦୋକାନୀକୁ ବିକ୍ରି କରିଦିଆଯାଇଥିଲା | ୧୨ କ୍ୱିଣ୍ଟାଲ ଓଜନର ଏହି ବହି ଗଦା ଦେଖିବାକୁ କବାଡି ଦୋକାନ ଆଗରେ ଲୋକଙ୍କ ଭିଡ଼ ଜମିଥିଲା |

ଏହି ଘଟଣା ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଅଭିଭାବକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା | ପିଲାଙ୍କ ପରୀକ୍ଷା ସମୟ ଆସୁଥିବାବେଳେ ଗୋଟିଏ ପଟେ ପର୍ଯ୍ୟାପ୍ତ ବହି ମିଳିନଥିବାବେଳେ ଅନ୍ୟପଟେ କିନ୍ତୁ ବହିକୁ ଶସ୍ତା ମୂଲ୍ୟରେ ବିକ୍ରି କରିଦିଆଯାଇଥିଲା | ଏହା ପରେ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ କବାଡି ଦୋକାନରେ ପହଞ୍ଚି ବହିଗୁଡିକୁ ଉଦ୍ଧାର କରିଥିଲେ | ଏହା ସହ ଏହି ଘଟଣାରେ ସମ୍ପୃକ୍ତ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି |

ସମ୍ବନ୍ଧିତ ଖବର