ଏହି କୁକୁର ଘରେ ରଖିଲେ ଦେବେ ୫ ହଜାର ଟଙ୍କାର ଫାଇନ

କାନପୁର: ଏଣିକି ଏହି କୁକୁର ଘରେ ରଖିଲେ ଦେବେ ଫାଇନ | ଦିନକୁ ଦିନ ଘରେ ପୋଷା ହୋଇ ରହୁଥିବା ‘ପିଟ୍‌ ବୁଲ୍‌’ ପ୍ରଜାତିର କୁକୁରଙ୍କ ଆତଙ୍କ ବଢୁଥିବାବେଳେ ଏବେ ଉତ୍ତରପ୍ରଦେଶର କାନପୁର ମ୍ୟୁନିସିପାଲିଟି କର୍ପୋରେସନ ଏକ ବଡ ନିଷ୍ପତ୍ତି ନେଇଛି | ଶନିବାର ଦିନ କାନପୁର ମ୍ୟୁନିସିପାଲଟି କର୍ପୋରେସନର ବୈଠକରେ କୁକୁର ରଖିବା ନେଇ ବଡ ନିଷ୍ପତ୍ତି ନିଆଯାଇଥିଲା | ଯଦିଓ କିଛି ସଦସ୍ୟ ଏହି ପ୍ରସ୍ତାବକୁ ବିରୋଧ କରିଥିଲେ କିନ୍ତୁ ଏହି ପ୍ରସ୍ତାବ ପାରିତ ହୋଇଥିଲା |

ମ୍ୟୁନିସିପାଲିଟି କର୍ପୋରେସନରେ ପାରିତ ହୋଇଥିବା ପ୍ରସ୍ତାବ ଅନୁଯାୟୀ, ବର୍ତ୍ତମାନ କାନପୁର ବାସିନ୍ଦା ପିଟବୁଲ ଏବଂ ରୋଟୱିଲର ପ୍ରଜାତିର କୁକୁରମାନଙ୍କୁ ନିଜ ଘରେ ରଖିପାରିବେ ନାହିଁ। କାନପୁର ମ୍ୟୁନିସିପାଲିଟି କର୍ପୋରେସନ୍ କୁକୁରମାନଙ୍କର ଏହି ପ୍ରଜାତିକୁ ବିପଜ୍ଜନକ ପ୍ରଜାତି ଭାବରେ ବିବେଚନା କରି ୨ ପ୍ରଜାତିର କୁକୁର ରଖିବାକୁ ବାରଣ କରାଯାଇଛି। ବର୍ତ୍ତମାନ କାନପୁରରେ ଯଦି କେହି ପିଟବୁଲ୍ ଏବଂ ରୋଟୱିଲର୍ କୁକୁର ରଖୁଥିବାର ଦେଖିବାକୁ ମିଳିବ ତେବେ କୁକୁର ମାଲିକଙ୍କୁ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡିବ |

ଏହା ସହିତ କୁକୁରକୁ ମଧ୍ୟ ଘରୁ ନିଆଯାଇ ମ୍ୟୁନିସିପାଲିଟି କର୍ପୋରେସନର ପଶୁ ଜନ୍ମ ନିୟନ୍ତ୍ରଣ କେନ୍ଦ୍ରରେ ରଖାଯିବ। କାରଣ ଏହି ଦୁଇ ପ୍ରଜାତିର କୁକୁର ହିଂସ୍ର ହୋଇଥିବାବେଳେ ଅନେକ ସମୟରେ ନିଜ ମାଲିକଙ୍କୁ ଆକ୍ରମଣ କରୁଥିବାର ଖବର ସାମ୍ନାକୁ ଆସିବାରେ ଲାଗିଛି | ଉଲ୍ଲେଖ ଥାଉ କି ଗତ ଜୁଲାଇ ମାସରେ ଏକ ପିଟବୁଲ କୁକୁର ଆକ୍ରମଣରେ ଉତ୍ତରପ୍ରଦେଶ ଲକ୍ଷ୍ନୌର ଜଣେ ୮୦ବର୍ଷ ବୟସ୍କା ବୃଦ୍ଧା ପ୍ରାଣ ହରାଇଥିଲେ |

ସମ୍ବନ୍ଧିତ ଖବର