ଇରାନରୁ ୩ ବର୍ଷ ପରେ ଫେରିଲେ ୫ ଭାରତୀୟ, ଡ୍ରଗ୍ସ ଚାଲାଣ ସନ୍ଦେହରେ କରାଯାଇଥିଲା ଗିରଫ

ନୂଆଦିଲ୍ଲୀ: ଶେଷରେ ୩ ବର୍ଷ ପରେ ନିଜ ଦେଶକୁ ଫେରିଛନ୍ତି ୫ ଜଣ ଭାରତୀୟ ଯୁବକ | ଏହି ଯୁବକମାନେ ପେସାରେ ମର୍ଚାଣ୍ଟ ନେଭିର ନାବିକ ହୋଇଥିବାବେଳେ ଏମାନଙ୍କୁ ଇରାନ ପୁଲିସର ଅନୁସନ୍ଧାନକାରୀ ସଂସ୍ଥା ଡ୍ରଗ୍ସ ଚାଲାଣ ସନ୍ଦେହରେ ଗିରଫ କରିଥିଲା | ଡ୍ରଗ୍ସ ଚାଲାଣ ମାମଲାରେ ଏମାନେ ବିଚାରାଧିନ ବନ୍ଦୀ ଭାବରେ ୪୦୩ ଦିନ ଜେଲରେ ରହିଥିଲେ | ତେବେ ଡ୍ରଗ୍ସ ଚାଲାଣ ନେଇ କୌଣସି ପ୍ରମାଣ ନ ମିଳିବାରୁ ଏବେ ସେମାନେ ଜେଲରୁ ମୁକ୍ତ ହୋଇ ଭାରତ ଫେରିଛନ୍ତି। ଏହି ପାଞ୍ଚ ଜଣ ନାବିକ ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିବା ପରେ ପରିବାର ଏବଂ ବନ୍ଧୁମାନେ ସ୍ୱାଗତ କରିଥିଲେ। ଏହି ପାଞ୍ଚଜଣ ନାବିକ ମୁମ୍ବାଇର ଅନିକେତ ୟେନପୁର, ମନ୍ଦାର ବାର୍ଲିକର, ଉତ୍ତରାଖଣ୍ଡର ନବୀନ ସିଂ, ବିହାରର ପ୍ରଣବ କୁମାର ଏବଂ ତାମିଲନାଡୁର ତାମିଜେଲଭାନ୍ ରଙ୍ଗାସାମି ବୋଲି ଜଣାପଡିଛି । ମିଳିଥିବା ସୂଚନା ମୁତାବକ ଇରାନ ସୁରକ୍ଷା ବାହିନୀ ଦ୍ୱାରା ଫେବୃଆରୀ ୨୦, ୨୦୨୦ରେ ଏମାନଙ୍କୁ ଗିରଫ କରାଯାଇଥିଲା |

ଏହି ଯୁବକମାନେ ଜାହାଜ ଆର୍ଟିନ୍ ୧୦ରେ ଯାଉଥିବାବେଳେ ଡ୍ରଗ୍ସ ଚୋରା କାରବାର ସନ୍ଦେହରେ ଗିରଫ କରାଯାଇଥିଲା। ଇରାନର ସୁରକ୍ଷା ଏଜେନ୍ସି ସେମାନଙ୍କ ପାସପୋର୍ଟ ଜବତ କରି ରଖିଥିଲା | ପ୍ରକାଶ ଥାଉକି, ତାଙ୍କୁ ମୁକ୍ତ କରାଯିବା ପରେ ମଧ୍ୟ ତାଙ୍କୁ ଦୀର୍ଘ ସମୟ ଧରି ପାସପୋର୍ଟ ଦିଆଯାଇନଥିଲା ଏବଂ ରାସ୍ତାରେ ବୁଲିବାକୁ ବାଧ୍ୟ କରାଯାଇଥିଲା। ବିଦେଶରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ କାର୍ଯ୍ୟ କରୁଥିବା ଏକ ସଂଗଠନ ଇଣ୍ଡିଆନ ୱାର୍ଲ୍ଡ ଫୋରମ ଏବାବଦରେ ଜାଣିବା ପରେ ଏମାନଙ୍କୁ ଭାରତକୁ ଆଣିବା ପାଇଁ ପଦକ୍ଷେପ ନେଇଥିଲା। ଏହି ସଂଗଠନର ସଭାପତି ପୁନିତ ସିଂ ଏଥିରେ ହସ୍ତକ୍ଷେପ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିବେଦନ କରିଥିଲେ ।ଏହାପରେ ବୈଦେଶିକ ମନ୍ତ୍ରାଳୟ ତେହେରାନରେ ଥିବା ଭାରତୀୟ ଦୂତାବାସକୁ ସେମାନଙ୍କ ରହିବା ଏବଂ ଖାଦ୍ୟ ସୁବିଧା ଯୋଗାଇ ଦେବାକୁ କହିଥିଲା। ଶେଷରେ ପାସପୋର୍ଟ ମିଳିବା ପରେ ଏବେ ସେମାନେ ଭାରତ ଫେରିଛନ୍ତି |

ସମ୍ବନ୍ଧିତ ଖବର