ଲାସ୍‌ ଭେଗାସ୍‌ରେ ଗୁଳିବର୍ଷାଲାସ୍‌ ଭେଗାସ୍‌ରେ ଗୁଳିବର୍ଷା୫୦ ମୃତ, ୪୦୦ରୁ ଊର୍ଦ୍ଧ୍ୱ ଆହତ

ଆକ୍ରମଣ ପାଇଁ ନିଜକୁ ଦାୟୀ କଲା ଆଇଏସ୍‌

ଲାସ୍‌ ଭେଗାସ:   ବିଳାସପୂର୍ଣ୍ଣ ଜୀବନ ଶୈଳୀ ପାଇଁ ପ୍ରସିଦ୍ଧ ଆମେରିକାର ଲାସ୍‌ ଭେଗାସ ସହର ସୋମବାର ରକ୍ତରଂଜିତ ହୋଇଉଠିଛି। ଏକ ମ୍ୟୁଜିକ୍‌ କନ୍‌୍‌ସର୍ଟରେ ଜଣେ ଆକ୍ରମଣକାରୀର ଆଖିବୁଜା ଗୁଳିବର୍ଷା ଯୋଗୁଁ ୫୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଶହରୁ ଅଧିକ ଆହତ ହୋଇଛନ୍ତି। ଦଳାଚକଟାରେ ମଧ୍ୟ ୨ ଶହରୁ ଅଧିକ ଲୋକ ଆତଙ୍କ ହୋଇଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ଆକ୍ରମଣକାରୀ ଏକ ହୋଟଲର ୩୨ ମହଲାରୁ ସ୍ୱୟଂଚାଳିତ ବନ୍ଧୁକରୁ ଗୁଳି ବର୍ଷା କରି ଏହି ନରସଂହାର ଘଟାଇଛି। ପୁଲିସ କାର୍ଯ୍ୟାନୁଷ୍ଠାନ ପରେ  ଆକ୍ରମଣକାରୀକୁ ସେ ବ୍ୟବହାର କରୁଥିବା ହୋଟେଲ ରୁମ୍‌ରୁ ମୃତ ଠାବ କରାଯାଇଛି। ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି।  ଏହି ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ ଆଇଏସ୍‌ ନିଜକୁ ଦାୟୀ କରିଛି। ତେବେ ଲାସ୍‌ ଭେଗାସ ପୁଲିସ ଏହାକୁ ଖଣ୍ଡନ କରିଛି। ଆକ୍ରମଣ ପରେ ରାଷ୍ଟ୍ରପତି ଡୋନାଲ୍‌୍‌ଡ ଟ୍ରମ୍ପ୍‌ ଦେଶବାସୀଙ୍କୁ  ଉଦ୍‌୍‌ବୋଧନ ଦେଇ କହିଛନ୍ତି ଯେ ଏଭଳି ଆକ୍ରମଣ ଅତି ବିଭତ୍ସ ଓ ଏହା ଶଇତାନର କାର୍ଯ୍ୟ। ଏଭଳି ସଙ୍କଟ ସମୟରେ ଦେଶବାସୀ ସର୍ବଦା ଏକଜୁଟ୍‌ ରହିଛନ୍ତି ଏବଂ କୌଣସି ଶକ୍ତି ଆମେରିକାକୁ ଦୋହଲାଇ ପାରିବ ନାହିଁ ବୋଲି ସେ କହିଛନ୍ତି।  ଲାସ୍‌ ଭେଗାସ ପୁଲିସ ଆକ୍ରମଣକାରୀକୁ ଚିହ୍ନଟ କରିଛି । ତା’ର ନାମ ଷ୍ଟିଫେନ୍‌ ପାଡୋକ୍‌୍‌ (୬୪) ଏବଂ ସେ ଏକାକୀ ଏହି ଭୟଙ୍କର ଆକ୍ରମଣ ଘଟାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଆତଙ୍କବାଦୀ ସଂଗଠନ ଇସ୍‌୍‌ଲାମିକ ଷ୍ଟେଟ୍‌ ଏବଂ ଅନ୍ୟ କୌଣସି  ସଂଗଠନ ସହ  ତା’ର ସଂପର୍କ ଥିବା ପ୍ରମାଣ ମିଳିନାହିଁ। ଲାସ ଭେଗାସ ବାସିନ୍ଦା ଷ୍ଟିଫେନ୍‌ ସଂପର୍କରେ ବ୍ୟାପକ ଖୋଳତାଡ଼ ଜାରି ରହିଛି। ଏହି ମାମଲାରେ ଜଣେ ଏସୀୟ ମହିଳା ମାଲିଲୋ ଡେନଲିଙ୍କୁ ଅଟକ ରଖି ଜେରା କରାଯାଉଛି ।

ଷ୍ଟିଫେନ୍‌ ସହିତ ଏହି ମହିଳାଙ୍କ ଘନିଷ୍ଠତା ରହିଥିବା ତଦନ୍ତରୁ ଜଣାପଡ଼ିଛି ।  ତେବେ ଏହି ମହିଳା ଆକ୍ରମଣରେ ସଂପୃକ୍ତ ଥିବା ନେଇ ପୁଲିସ କୌଣସି ତଥ୍ୟ ପ୍ରଘଟ କରିନାହିଁ। ମ୍ୟୁଜିକ୍‌ କନ୍‌ସର୍ଟ ଗୁଳିକାଣ୍ଡ ପରେ ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ହୋଇଥିବା ଗୁଜବ ପ୍ରଚାରିତ ହେବାରୁ ସହରରେ ଆତଙ୍କ ଖେଳିଯାଇଥିଲା। ଲାସ୍‌ ଭେଗାସର ଏକ ପ୍ରସିଦ୍ଧ  କ୍ୟାସିନୋରେ ବାର୍ଷିକ ସଂଗୀତ ମହୋତ୍ସବ ତିନି ଦିନ ଧରି ଚାଲିଥିଲା ଏବଂ ଆଜି ତାହାର ଅନ୍ତିମ ଦିବସ ଥିଲା। କନ୍‌୍‌ସର୍ଟରେ ପ୍ରାୟ ୨୨ ହଜାର  ଲୋକଙ୍କ ସମାଗମ ହୋଇଥିଲା। ଗୁଳିକାଣ୍ଡ ସମୟରେ  ପ୍ରସିଦ୍ଧ କଳାକାର ଏରିକ୍‌ ଚର୍ଚ୍ଚ, ସୋମ୍‌ ହଣ୍ଟ ଏବଂ ଜେସନ୍‌ ଓଲ୍‌୍‌ଡିୟନ କାର୍ଯ୍ୟକ୍ରମ ପରିବେଷଣ କରୁଥିଲେ। ଗୁଳିମାଡ଼ ଆରମ୍ଭ ହେବାମାତ୍ରେ  ଚାରିଆଡ଼ୁ ଚିତ୍କାର ଶୁଭିଥିଲା ଏବଂ ଧାଁ ଦୌଡ଼ ଆରମ୍ଭ ହୋଇଯାଇଥିଲା। ମାତ୍ର କିଛି ମିନି୍‌ଟ ମଧ୍ୟରେ   କନ୍‌ସର୍ଟସ୍ଥଳରେ ରକ୍ତର ବନ୍ୟା ଛୁଟିଥିଲା। ଲୋକେ ଗୁଳିମାଡ଼ ଖାଇ ଟଳି ପଡ଼ୁଥିବା ବେଳେ ଦଳାଚଳକଟା ମଧ୍ୟ ଆରମ୍ଭ ହୋଇଯାଇଥିଲା। କନ୍‌ସର୍ଟସ୍ଥଳକୁ ଲାଗି ରହିଥିବା ‘ମାଣ୍ଡାଲେ ବେ ହୋଟେଲ’ର ୩୨ ମହଲାରୁ  ଆକ୍ରମଣକାରୀ ସ୍ଥାନ ପରିବର୍ତ୍ତନ କରି ତୁହାକୁ ତୁହା ସ୍ୱୟଂଚାଳିତ ବନ୍ଧୁକରୁ ଗୁଳିମାଡ଼ କରୁଥିଲା।  ପ୍ରଥମେ ଆକ୍ରମଣକାରୀ ସୁରକ୍ଷା କର୍ମୀଙ୍କ ଭିଡ଼ ଥିବା ସ୍ଥାନକୁ ଲକ୍ଷ୍ୟ କରି ଗୁଳିମାଡ଼ କରିଥିଲା।  ଏହା ପରେ ସେ ଆଖିବୁଜା ଲୋକଙ୍କ ଉପରେ ଗୁଳିବର୍ଷା କରିଥିଲା।  ତେବେ ଏହି ଘଟଣାରେ ସମସ୍ତ କଳାକାର ସୁରକ୍ଷିତ ଥିବାବେଳେ ୨ ଜଣ ପୁଲିସ କର୍ମୀଙ୍କ ମୃତ୍ୟୁ ଘଟିଛି । ୟୁନିଭର୍ସିଟି ମେଡିକାଲ ସେଣ୍ଟର ହସ୍ପିଟାଲର ପ୍ରବକ୍ତା କହିଛନ୍ତି ଯେ ୨୦୦ରୁ ଅଧିକ ଗୁଳିମାଡ଼ ଆହତଙ୍କ ମଧ୍ୟରୁ ପ୍ରାୟ ୨୨ ଜଣଙ୍କ ସ୍ଥିତି ସଙ୍କଟାପନ୍ନ ରହିଛି ।

ସମ୍ବନ୍ଧିତ ଖବର