କାଠମାଣ୍ଡୁ : ନେପାଳ ରାଜଧାନୀ କାଠମାଣ୍ଡୁରେ ସୋମବାର ଅପରାହ୍ଣରେ ଏକ ବିମାନ ଦୁର୍ଘଟଣାରେ ଅତି କମ୍ରେ ୫୦ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି। ଏଥିରେ ଅନ୍ୟ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି। ୬୭ ଜଣ ଯାତ୍ରୀ ଏବଂ ୪ ଜଣ ବିମାନ କର୍ମଚାରୀଙ୍କୁ ନେଇ ଢାକାରୁ ଉଡ଼ାଣ କରିଥିବା ୟୁଏସ-ବାଂଲାଦେଶ ଏୟାରଲାଇନ୍ସର ଏହି ବିମାନଟି ଆଜି କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି।
ଉଡ଼ାଜାହାଜଟି ବିମାନବନ୍ଦରର ଦକ୍ଷିଣ ଦିଗରୁ ଅବତରଣ କରିବାକୁ ଥିବା ବେଳେ ଉତ୍ତରପଟୁ ଅବତରଣ କରିବାରୁ ଏଭଳି ଦୁର୍ଘଟଣାର ଶିକାର ହୋଇଥିବା କୁହାଯାଉଛି। ତେବେ କେଉଁ ପରିସ୍ଥିତିରେ ପାଇଲଟ୍ ବିମାନଟିର ଅବତରଣ ଦିଗ ବଦଳାଇଲେ ତାହା ସ୍ପଷ୍ଟ ହୋଇନାହିଁ।
ସୂଚନାନୁଯାୟୀ, ସୋମବାର ମଧ୍ୟାହ୍ଣରେ ଢାକାରୁ ଉକ୍ତ ବିମାନଟି ମୋଟ ୬୭ ଜଣ ଯାତ୍ରୀଙ୍କୁ ନେଇ କାଠମାଣ୍ଡୁ ଅଭିମୁଖେ ବାହାରିଥିଲା। ସେମାନଙ୍କ ମଧ୍ୟରେ ୩୩ ଜଣ ନେପାଳୀ, ୩୨ ଜଣ ବାଂଳାଦେଶୀ ଏବଂ ଚୀନ୍ ଓ ମାଳଦ୍ୱୀପର ଜଣେ ଲେଖାଏଁ ଯାତ୍ରୀ ରହିଥିଲେ। ଏଥିରେ ୩୭ ଜଣ ପୁରୁଷ, ୨୭ ମହିଳା ଏବଂ ୩ ଜଣ ଶିଶୁ ରହିଥିଲେ। ଅପରାହ୍ଣ ୨ଟା ୧୫ ବେଳେ ଏହା କାଠମାଣ୍ଡୁ ବିମାନବନ୍ଦଜରରେ ଅବତରଣ କରୁଥିବା ବେଳେ ରନ୍ଓ୍ଵରୁ ଅତର୍କିତ ବାହାରି ଯାଇଥିଲା। ଏହା ବିମାନବନ୍ଦର ପାଚେରିରେ ମାଡ଼ ହେବା ସହ ନିକଟ ଖେଳ ପଡ଼ିଆରେ ଖଣ୍ଡ ବିଖଣ୍ଡିତ ହୋଇ ଜଳିଯାଇଥିଲା। ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ହେଁ ସେତେବେଳକୁ ୪୦ ଜଣଙ୍କର ମୃତ୍ୟୁ ହୋଇସାରିଥିଲା। ଅଗ୍ନି ନିର୍ବାପକ ଦଳ ମଧ୍ୟ କିଛି ସମୟ ମଧ୍ୟରେ ନିଅାଁକୁ ନିୟନ୍ତ୍ରଣ କରିବା ସହ ଅନ୍ୟ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ମଧ୍ୟ ଆଉ ୯ ଜଣ ଆଖି ବୁଜିଥିଲେ। ପାଖାପାଖି ଚିକିତ୍ସାଧୀନ ଥିବା ୨୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ରନ୍ଓ୍ଵର ଦକ୍ଷିଣପାର୍ଶ୍ୱରୁ ବିମାନଟି ଅବତରଣ କରିବା ଲାଗି ନିୟନ୍ତ୍ରଣ କକ୍ଷରୁ ନିର୍ଦ୍ଦେଶ ଥିଲା ବେଳେ ଏହା ଉତ୍ତର ପାର୍ଶ୍ୱରୁ ହିଁ ଅବତରଣ କରିଥିଲା। ତେବେ କୌଣସି ଯାନ୍ତ୍ରିକ ତ୍ରୁଟି ହେତୁ ବିମାନଟି ଏଭଳି ଅସ୍ୱାଭାବିକ ଅବତରଣ କରିଥିଲା ବୋଲି ଅନୁମାନ କରାଯାଉଥିବା ବେଳେ ଏହାର ସ୍ପଷ୍ଟ କାରଣ ଜଣାପଡ଼ିନି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/nepal.jpg)