ଓ୍ଵାସିଂଟନ : ଆମେରିକା କଥା ନ ମାନି ଭାରତ ଋଷିଆ ଓ ଇରାନ ସହ ବାଣିଜ୍ୟ କାରବାର ଜାରି ରଖିଥିବାରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ କ୍ଷୁବ୍ଧ ଅଛନ୍ତି । ଭାରତ ଋଷିଆଠାରୁ ଏସ-୪୦୦ କ୍ଷେପଣାସ୍ତ୍ର ନିରୋଧୀ ସିଷ୍ଟମ କିଣିବା ପରେ ଟ୍ରମ୍ପ ଭାରତ ବିରୋଧରେ କାର୍ଯ୍ୟାନୁଷ୍ଠାନ ବିଷୟରେ ସଂକେତ ଦେଇଥିଲେ । ଏବେ ତାହାକୁ ଆମେରିକା କାମରେ ଦେଖାଇଛି । ଆଜିଠାରୁ ଆମେରିକା ଭାରତରୁ ଆମଦାନୀ ହେଉଥିବା ପ୍ରାୟ ୫୦ଟି ସାମଗ୍ରୀ ଉପରେ ପୂର୍ବରୁ ଲାଗୁ ହୋଇଥିବା ରିହାତିକୁ ହଟାଇଦେଇଛି । ଏଗୁଡିକ ମୁଖ୍ୟତଃ କୃଷିଜାତ ଓ ହସ୍ତତନ୍ତ ସାମଗ୍ରୀ ରହିଛି । ଆମେରିକାର ଫେଡେରାଲ ରେଜିଷ୍ଟର ପ୍ରାୟ ୯୦ ସାମଗ୍ରୀ ଉପରୁ ରିହାତି ହଟାଇ ଆମଦାନୀ ଶୁଳକ ବୃଦ୍ଧି କରାଯାଇଛି । ଏହି ୯୦ ଟି ମଧ୍ୟରୁ ପ୍ରାୟ ୫୦ଟି ସାମଗ୍ରୀ ଆମେରିକା ମୁଖ୍ୟତଃ ଭାରତରୁ ଆମଦାନୀ କରିଥାଏ । ଆମେରିକାର ଏହି ପଦକ୍ଷେପ ଦ୍ୱାରା ଭାରତୀୟ କୃଷି, କୁଟୀର ଶିଳ୍ପ ଓ ହସ୍ତତନ୍ତ କ୍ଷେତ୍ର କ୍ଷତି ସହିବା ଆଶଙ୍କା ଦେଖାଦେଇଛି ।
ସୂଚନାଯୋଗ୍ୟ ଯେ ଋଷିଆରୁ ଏସ-୪୦୦ ଟ୍ରିୟମ୍ପ କ୍ଷେପଣାସ୍ତ୍ର ନିରୋଧୀ ସିଷ୍ଟମ କିଣିବା ପାଇଁ ଗତ ମାସରେ ଚୁକ୍ତି କରିଛି । ସେହିପରି ନଭେମ୍ବର ୪ ପରେ ମଧ୍ୟ ଇରାନରୁ ତେଲ ଆମଦାନୀ ପାଇଁ ଭାରତ ଅର୍ଡର ଦେଇଛି । ଏହାକୁ ନେଇ ଆମେରିକା ଭାରତ ଉପରେ କ୍ଷୁବଧ ଅଛି ।