ସୀମାଠାରୁ ୫୦ କିମି ଦୂରରେ ଆକ୍ରମଣ

ଭାରତୀୟ ବାୟୁସେନା ପକ୍ଷରୁ ଆଜି ଭାରତୀୟ ସୀମାଠାରୁ ୫୦ କିମି (୩୦ ମାଇଲ)ରୁ ଅଧିକ ଦୂରରେ ଅବସ୍ଥିତ ଜୈସ-ଇ-ମହମ୍ମଦର ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ ହୋଇଛି। ବିଶ୍ବର କୁଖ୍ୟାତ ଆତଙ୍କବାଦୀ ତଥା ଅଲ କାଏଦାର ଓସାମା ବିନ ଲାଡେନ୍ ରହୁଥିବା ଆବୋଟ୍ଟାବାଦଠାରୁ ତାହା ପ୍ରାୟ ୬୦ କିମି ଦୂର ବାଲାକୋଟର ଏକ ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ପାକିସ୍ତାନର ରାଡାର ନଜରକୁ ଆସି ପାରିନଥିଲା।
ପାହାନ୍ତିଆ ସମୟ ଚୟନ ପଛରେ
ବାୟୁସେନାର ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, କୌଣସି ରାଡାର ୨୪ ଘଣ୍ଟା ସକ୍ରିୟ ରହି ନଥାଏ। ବିଶେଷ କରି ପାହାନ୍ତିଆ ସମୟରେ ରାଡାର ସେତେଟା କାର୍ଯ୍ୟ କରି ନଥାଏ। ତେଣୁ ଭାରତୀୟ ବାୟୁସେନା ପକ୍ଷରୁ ପାହାନ୍ତିଆ ସମୟକୁ ଆକ୍ରମଣ ପାଇଁ ଚୟନ କରାଯାଇଥିଲା। ଏତଦବ୍ୟତୀତ ଶତ୍ରୁପକ୍ଷର ରାଡାରକୁ ଜାମ୍ କରିବା ଲାଗି ଆୱାକ୍ସକୁ ଭାରତୀୟ ସେନା ବ୍ୟବହାର କରିଥିଲା। ଆୱାକ୍ସ କିଛି ସମୟ ପାଇଁ ଶତ୍ରୁପକ୍ଷର ରାଡାରକୁ ଅକାମୀ କରି ଦେଇଥାଏ। ରାଡାର କାର୍ଯ୍ୟକ୍ଷମ ହେବା ପୂର୍ବରୁ ବାୟୁସେନା ତାହାର ଆକ୍ରମଣ କରି ଫେରି ଆସିଥିଲା।
ସତର୍କତାର ସହ ଆକ୍ରମଣ କୌଶଳ
ବାୟୁସେନାର ଅଧିକାରୀମାନଙ୍କ କହିବାନୁଯାୟୀ, ବାଲାକୋଟ ପାହାଡ଼ିଆ ଅଞ୍ଚଳରେ ଅବସ୍ଥିତ ଥିବାରୁ ଏଠାରେ ଆକ୍ରମଣ ଯୋଜନାକୁ ଅତି ସତର୍କତାର ସହିତ ପ୍ରସ୍ତୁତ କରାଯାଇଥିଲା। ବିଶେଷ କରି କେତେକ ନିର୍ଦ୍ଦିଷ୍ଟ କୌଶଳ ‌ଆପଣା ଯାଇଥିଲା। ପ୍ରଥମତଃ କେଉଁ ସମୟରେ ପାକିସ୍ତାନର ରାଡାର ଭାରତର ବିମାନଗୁଡ଼ିକୁ ଠାବ କରି ନପାରିବ ତାହାକୁ ଦୃଷ୍ଟିରେ ରଖି ରାତି ୩ଟାରୁ ୪ଟା ସମୟକୁ ଆକ୍ରମଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏଥିସହିତ ରାଡାର ସାଧାରଣତଃ ଉଚ୍ଚ ଆକାଶରେ ଉଡ଼ୁଥିବା ବସ୍ତୁ ସମ୍ପର୍କରେ ସୂଚନା ପ୍ରଦାନ କରିଥାଏ। କିନ୍ତୁ ଏହା ଏକ ପାର୍ବତ୍ୟ ଅଞ୍ଚଳ ହୋଇଥିବାରୁ ଏଠାରେ ଭାରତୀୟ ବିମାନଗୁଡ଼ିକ ରାଡାରରୁ ବର୍ତ୍ତିବା ପାଇଁ କମ୍ ଉଚ୍ଚରେ ଯାଇ ଆକ୍ରମଣ କରିଥିଲେ।
ପାକିସ୍ତାନ ଧରିପାରିଥିଲେ ଭୀଷଣ କ୍ଷତି
ଭାରତୀୟ ବାୟୁସେନାର ଆକ୍ରମଣ ସମ୍ପର୍କରେ ପାକିସ୍ତାନ ସେନା ଆଗୁଆ ଟିକେ ସୂଚନା ପାଇ ପାରିଥିଲେ ଭାରତର ଭୟଙ୍କର କ୍ଷତି ହୋଇଥାନ୍ତା। ପାକିସ୍ତାନ ସ୍ଥଳସେନା ଓ ବାୟୁସେନା ନିକଟରେ ସ୍ଥଳଭାଗରୁ ଆକାଶ ମାର୍ଗକୁ ନିକ୍ଷେପ ହୋଇ ପାରୁଥିବା ୪୦୦ରୁ ଅଧିକ କ୍ଷେପଣାସ୍ତ୍ର ରହିଛି। ତେଣୁ ପାକିସ୍ତାନ ସେନା ଆକ୍ରମଣର ସାମାନ୍ୟ ସୁରାକ ପାଇଥିଲେ ପ୍ରତିଆକ୍ରମଣ ପାଇଁ ମାତ୍ର ୩ ମିନିଟ ସମୟ ଲାଗିଥାନ୍ତା। ଫଳରେ ଭାରତର ମିରାଜ-୨୦୦୦ ବିମାନ ଓ ଅନ୍ୟ ବିମାନଗୁଡ଼ିକୁ ପାକିସ୍ତାନ ଆକାଶରେ ଧ୍ବଂସ କରି ଦେଇ ପାରିଥାନ୍ତା।

ସମ୍ବନ୍ଧିତ ଖବର