ବରଯାତ୍ରୀରେ ନ ନେବାରୁ ସାଙ୍ଗ ନାଁରେ ଠୁଙ୍କିଲେ ୫୦ ଲକ୍ଷ ଟଙ୍କାର କେସ

ହରିଦ୍ୱାର: ଆପଣ ବିବାହ କରିବାକୁ ଯାଉଛନ୍ତି କି? ଯଦି ହଁ, ତେବେ ବରଯାତ୍ରୀରେ ସାଙ୍ଗକୁ ନ ନେବା ମହଙ୍ଗା ସାବ୍ୟସ୍ତ ହୋଇପାରେ | ବିବାହ ପାଇଁ ନିମନ୍ତ୍ରଣ କାର୍ଡ ଦେଲେ, ହେଲେ ବରଯାତ୍ରୀରେ ନେଲେ ନାହିଁ | ଆଉ ଏଥିରେ ରାଗିଯାଇ ସାଙ୍ଗ ନାମରେ ୫୦ ଲକ୍ଷ ଟଙ୍କାର ମାନହାନି ନୋଟିସ ପଠାଇଛନ୍ତି ଆଉ ଜଣେ ସାଙ୍ଗ | ଉତ୍ତରାଖଣ୍ଡର ହରିଦ୍ୱାରରେ ଏଭଳି ଘଟଣା ସାମ୍ନାକୁ ଆସିଛି | ହରିଦ୍ୱାରର ଓକିଲ ଅରୁଣ ଭଦୌରିଆ କହିଛନ୍ତି ଯେ ବାହାଦୁରବାଦର ବାସିନ୍ଦା ରବି ତାଙ୍କ ବନ୍ଧୁ ଚନ୍ଦ୍ରଶେଖରଙ୍କୁ ବିବାହ ପାଇଁ ନିମନ୍ତ୍ରଣ କରିଥିଲେ ଏବଂ ତାଙ୍କୁ ବରଯାତ୍ରୀରେ ଯିବାକୁ କହିଥିଲେ |

କିନ୍ତୁ ବର ରବି ତାଙ୍କ ବନ୍ଧୁଙ୍କୁ ଛାଡି ପଳାଇଥିଲେ ଓ ବରଯାତ୍ରୀରେ ନେଇନଥିଲେ | ଯେତେବେଳେ ଚନ୍ଦ୍ରଶେଖର ବରଯାତ୍ରୀରେ ଯିବା ପାଇଁ ପହଞ୍ଚିଲେ, ସେତେବେଳେ ଦେଖିଲେ ଯେ ସେଠାରେ କେହି ନାହାଁନ୍ତି | ଯେତେବେଳେ ସେ ରବିଙ୍କ ପରିବାର ଲୋକଙ୍କୁ ପଚାରିଲେ, ସେମାନେ କହିଲେ ଯେ ବରଯାତ୍ରୀଙ୍କ ସହ ବର ଚାଲିଗଲେଣି |

ଓକିଲ କହିଛନ୍ତି ଯେ ଚନ୍ଦ୍ରଶେଖର ଏହାକୁ ଅପମାନ ବୋଲି ବୁଝିଥିଲେ ଏବଂ ସେ ଏତେ ମାନସିକ ଚାପଗ୍ରସ୍ତ ହୋଇଥିଲେ ଯେ ସେ ଆତ୍ମହତ୍ୟା କରିବାକୁ ଚିନ୍ତା କରିବା ଆରମ୍ଭ କରିଥିଲେ | ଶେଷରେ ସେ ବରଙ୍କୁ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗରେ ୫୦ ଲକ୍ଷ ଟଙ୍କା ମାନହାନି ନୋଟିସ ପଠାଇଛନ୍ତି । ଚନ୍ଦ୍ରଶେଖରଙ୍କ ଓକିଲଙ୍କ ଅନୁଯାୟୀ ଯେତେବେଳେ ଚନ୍ଦ୍ରଶେଖର ତାଙ୍କ ବନ୍ଧୁ ରବିଙ୍କୁ ଏବାବଦରେ ପଚାରିଲେ ସେତେବେଳେ ସେ କହିଥିଲେ ଯେ ବରଯାତ୍ରୀରେ ଆସିବା ଆବଶ୍ୟକ ନାହିଁ। ତୁମେ ଘରକୁ ପଳାଇଯାଅ |

ସମ୍ବନ୍ଧିତ ଖବର