ରାଇପୁର: ମୂଳପୋଛ ହେବେ ମାଓବାଦୀ, ମାଓବାଦର ହେବ ଅନ୍ତ । ଲାଲଗଡର ସଂଜ୍ଞା ବଦଳିବ, ଆତଙ୍କ ସରିବ, ଭୟ ଦୂର ହେବ । ପୁଣି ଜଙ୍ଗଲରେ ବିନା ଭୟର ଯାଆସ କରିବେ ଆଦିବାସୀ । ନକ୍ସଲଙ୍କୁ ମାରି ଆତଙ୍କର ଯୁଗ ଶେଷ କରିବେ ଯବାନ । ଏଥିପାଇଁ ପଣ ଓ ପ୍ରତିଜ୍ଞା କରି ଅପରେସନ ଚଳାଇଛନ୍ତି ସୁରକ୍ଷାକର୍ମୀ । ଜଣେ ବି ଯେମିତି ମାଓବାଦୀ ଖସି ନଯାଆନ୍ତି ସେଥିପାଇଁ ପୂରା ଦମ ଲଗାଇ ଦେଇଛନ୍ତି ଯବାନ । ଆଉ ଲଗାତାର କିଛି ଦିନ ହେବ ଜୋରଦାର କରୁଛନ୍ତି ଏନକାଉଣ୍ଟର । ଆଜି ବିଜାପୁରରେ ହେଲେ, କାଲି ସୁକମାରେ ପୁଣି ପରଦିନ ଦାନ୍ତେୱାଡାରେ । ନକ୍ସଲଙ୍କୁ ନିଶ୍ବାସ ମାରିବାକୁ ଦେଉ ନାହାନ୍ତି ଯବାନ ବରଂ ସେମାନଙ୍କ ନିଶ୍ବାସ ଛଡାଇ ମାଓବାଦର ଅନ୍ତ କରିବାକୁ ଅପରେସନ ଚଳାଇଛନ୍ତି ।
ଲାଲଗଡରେ ଗର୍ଜୁଛି ଯବାନଙ୍କ ଗୁଳି । ଘଞ୍ଚ ଜଙ୍ଗଲର ଛାତି ଚିରି ଯବାନଙ୍କ ଆକ୍ରମଣରେ ମାଓବାଦୀ ଯାଉଛନ୍ତି ଟଳି । ଗୁଳିର ଗର୍ଜନରେ ଥରୁଛି ପୂରା ଛତିଶଗଡ ଜଙ୍ଗଲ । ଆଉ ଥରି ବି ଉଠୁଛି ମାଓବାଦୀଙ୍କ ଶିବିର । ଆଜି କି କାଲି ନୁହେଁ ଲଗାତାର ୪ ଦିନ ହେବ ଛତିଶଗଡରେ ଗୁଳିବିନିମୟ ଜାରି ରହିଥିବା ବେଳେ ନିପାତ ହେଉଛନ୍ତି ଜଣେ ପରେ ଜଣେ ନକ୍ସଲ ଆଉ ଧ୍ୱଂସ ହେଉଛି ନକ୍ସଲ ଶିବିର । ଟପ ମାଓନେତାଙ୍କ ଠାରୁ ମାଓ କ୍ୟାଡର କାହାରିକୁ ବି ଛାଡୁ ନାହାନ୍ତି ସୁରକ୍ଷା କର୍ମୀ ।
ଏହି ଲଗାତାର ଏନକାଉଣ୍ଟରେ ଡରିଗଲେଣି ମାଓବାଦୀ, ଛାନିଆ ହେଲେଣି ଟପ୍ ମାଓନେତା । ସେମାନେ ଜାଣି ଗଲେଣି ଯେ ମୋଦୀ ସରକାରରେ ଆଉ ନିସ୍ତାର ନାହିଁ । ଯେଉଁଠି ଲୁଚିଥିଲେ ବି ଗୋଡେଇ ଗୋଡେଇ ମାରିବେ ଯବାନ । ତେଣୁ ପ୍ରାଣ ଭୟରେ କିଛି ନକ୍ସଲ ଏବେ ଆତ୍ମସମର୍ପଣ କଲେଣି । ରବିବାର ଦିନ ବିଜାପୁର ଜେଲରେ ୫୦ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ୧୪ ଜଣଙ୍କୁ ଧରାଇଦେବା ପାଇଁ ୮୬ ଲକ୍ଷର ପୁରସ୍କାର ଘୋଷଣା କରାଯାଇଥିଲା । ମୋଦୀଙ୍କ ଛତିଶଗଡ ଗସ୍ତ ପୂର୍ବରୁ ଏହି ନକ୍ସଲମାନେ ଆତ୍ମସମର୍ପଣ କରିଥିଲେ ।
/sambad/media/media_files/2025/03/31/LHE5Lf310eFDOYaKG4EP.jpg)
ତେବେ ଚଳିତ ବର୍ଷ ଏଯାଏଁ ରାଜ୍ୟରେ ଭିନ୍ନ ଭିନ୍ନ ଏନକାଉଣ୍ଟରରେ ୧୩୪ ଜଣ ନକ୍ସଲ ନିହତ ହୋଇଛନ୍ତି । ପୋଲିସର ସୂଚନା ଅନୁଯାୟୀ, ୨୦୨୪ ମସିହାରେ ୭ଟି ଜିଲ୍ଲାକୁ ନେଇ ଗଠିତ ବସ୍ତର ଅଞ୍ଚଳରେ ମୋଟ ୭୯୨ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି ।
ସେପଟେ ଭାରତକୁ ନକ୍ସଲ ମୁକ୍ତ କରିବାକୁ ମୋଦୀ ସରକାର ମିଶନ ଆରମ୍ଭ କରିଛନ୍ତି । ମାଓବାଦର ମୂଳପୋଛ ପାଇଁ ଭାରତ ସରକାର ପଣ କରିଥିବା ବେଳେ ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ଭାରତକୁ ନକ୍ସଲ ମୁକ୍ତ କରିବାକୁ ଗୃହମନ୍ତ୍ରୀ ଅମିତ ଶାହା ଘୋଷଣା କରିଛନ୍ତି । ଆଉ ଏହି ସ୍ବପ୍ନକୁ ପୂରା କରିବାକୁ ଛତିଶଗଡରେ ଆରମ୍ଭ ହୋଇଛି ମାଓ ଦମନ ।