ଚଳିତବର୍ଷ ଖୋଲିପାରେ ୫୦ଟି ନୂଆ ମେଡିକାଲ କଲେଜ, ବଢିପାରେ ୮ ହଜାର ସିଟ

ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶରେ ୫୦ଟି ନୂତନ ମେଡିକାଲ କଲେଜ ଖୋଲିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂତ୍ରରୁ ସୂଚନା ମିଳିଛି। ଏହି କଲେଜଗୁଡ଼ିକରେ ୩୦ଟି ସରକାରୀ ଥିବାବେଳେ ୨୦ଟି ଘରୋଇ କଲେଜ ହେବ। ଏହି କଲେଜଗୁଡ଼ିକ ଖୋଲିବା ସହିତ ଦେଶରେ ୟୁଜି ମେଡିକାଲ ପାଠ୍ୟକ୍ରମରେ ଆଡମିଶନ ପାଇଁ ସିଟ୍ ସଂଖ୍ୟା ବୃଦ୍ଧି ପାଇବ। ସୂତ୍ରରୁ ମିଳିଥିବା ସୂଚନା ମୁତାବକ ୮୧୯୫ଟି ସିଟ୍ ବୃଦ୍ଧି ହେବାକୁ ଥିବାବେଳେ ସିଟ ବଢିଲେ ଭାରତରେ ମେଡିକାଲ ସିଟ୍ ୧ ଲକ୍ଷ ୭ ହଜାର ୬୫୮ ହେବ। ବର୍ତ୍ତମାନ ଭାରତରେ ୭୦୨ଟି ମେଡିକାଲ କଲେଜ ଅଛି। ସେହିପରି ଏନଏମସି(ନ୍ୟାସନାଲ ମେଡିକାଲ କମିଶନ) ଚଳିତ ବର୍ଷ ୪୦ଟି କଲେଜର ମାନ୍ୟତା ବାତିଲ କରିଛି।

ସେହିପରି ମେଡିକାଲ କମିଶନ ୯ଟି ମେଡିକାଲ କଲେଜର ସିଟ ହ୍ରାସ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦାବି କରାଯାଇଛି ଯେ ସରକାର ମୋତିଆବିନ୍ଦୁ ସର୍ଜରୀକୁ ନେଇ ମିଶନ ମୋଡରେ କାର୍ଯ୍ୟ କରୁଛନ୍ତି। ଚଳିତ ବର୍ଷ ଜାନୁୟାରୀଠାରୁ ୮୩ ଲକ୍ଷ ଅସ୍ତ୍ରୋପଚାର କରାଯାଇଛି। ପ୍ରତିବର୍ଷ ୬୦ ରୁ ୬୫ ଲକ୍ଷ ମୋତିଆବିନ୍ଦୁ ଅପରେସନ୍ କରାଯାଏ | କୋଭିଡ କାରଣରୁ ଦୁଇ ବର୍ଷ ଧରି ମୋତିଆବିନ୍ଦୁ ଅପରେସନ୍ ହୋଇନଥିଲା। ଏଥିପାଇଁ ୧୭ ରୁ ୩୧ ଜାନୁଆରୀ ପର୍ଯ୍ୟନ୍ତ ଏକ ଅଭିଯାନ କରାଯାଇ ୭୫ ଲକ୍ଷ ଅସ୍ତ୍ରୋପଚାର କରାଯାଇଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୮୩ ଲକ୍ଷ ୪୪ ହଜାର ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଯାଇଛି।

ସମ୍ବନ୍ଧିତ ଖବର