ପିପିଇ ଦର ଚିକିତ୍ସା ଖର୍ଚର ୫୦%, ବିରକ୍ତ ହେଲେଣି ବୀମା କମ୍ପାନି

ନୂଆଦିଲ୍ଲୀ: ପିପିଇ କିଟ୍‌ ଓ ମାସ୍କ, ଯାହା ହସପିଟାଲ ବିଲ୍‌ର ଅତି ବେଶିରେ ୧୦% ହେବା କଥା, ତାହା ଏବେ ୫୦%କୁ ବଢ଼ିଯାଇଛି। ଏହା ଦେଶବ୍ୟାପୀ କୋଭିଡ୍‌-୧୯ ରୋଗୀଙ୍କୁ ଚିନ୍ତାରେ ପକାଇଛି। ଆଉ ସ୍ୱାସ୍ଥ୍ୟବୀମା କମ୍ପାନୀମାନେ ପିପିଇ ଖର୍ଚ ବହନ କରିବାକୁ ଅମଙ୍ଗ ହେଉଛନ୍ତି। ଦେଶରେ କୋଭିଡ୍‌-୧୯ ଚିକିତ୍ସା ଦାୟିତ୍ୱ ନେଇଥିବା ଘରୋଇ ହସପିଟାଲଗୁଡ଼ିକରେ ଏନ୍‌-୯୫ ମାସ୍କ ଓ ପିପିଇ କିଟ୍‌ ପିଛା ୧ ଲକ୍ଷ ଟଙ୍କା ଚାର୍ଜ କରୁଛନ୍ତି। ଯେତେବେଳେ କି ରୋଗୀଙ୍କର ଆଉ ସବୁ ଖର୍ଚବାର୍ଚ ମିଶିକି ପ୍ରାୟ ସେତିକି ହେଉଛି। ମୁମ୍ବାଇରେ ଏକ ସଂକ୍ରମିତ ପରିବାର ୧୯ ଦିନ ହସପିଟାଲରେ ରହିଥିଲେ। ତାଙ୍କର ହସପିଟାଲ ବିଲ୍‌ ୨.୮ ଲକ୍ଷ ଟଙ୍କା ହୋଇଥିବା ବେଳେ ପିପିଇ ଓ ମାସ୍କ ବାବଦ ଚାର୍ଜ ରହିଛି ୧.୪ ଲକ୍ଷ ଟଙ୍କା। କିନ୍ତୁ ତାଙ୍କ ବୀମା କମ୍ପାନୀ ଏହି ସମସ୍ତ ଖର୍ଚ ଭରଣା କରିବାକୁ ମନା କରିଦେବା ପରେ ସେଇ ପରିବାର ଏବେ ଚିନ୍ତାରେ ପଡ଼ିଯାଇଛନ୍ତି।

ଏହି ସମସ୍ୟା ଏବେ ସାରା ଦେଶକୁ ଗ୍ରାସ କରିଛି। ଦିଲ୍ଲୀରେ ବି ୯ ଦିନର ଚିକିତ୍ସା ପାଇଁ ୮୦ ହଜାର ଟଙ୍କା ବିଲ୍‌ ହେଉଛି। ଚେନ୍ନାଇରେ ଏକ ପରିବାରକୁ ପିପିଇ ଚାର୍ଜ ଆକାରେ ୩୩ ହଜାର ଟଙ୍କା ବିଲ୍‌ ହୋଇଥିବାରୁ ସେହି ପରିବାର ଅଭିଯୋଗ ଦେଇଛନ୍ତି ବିଲ୍‌କୁ କମ୍‌ କରିବା ପାଇଁ। ତେଣେ ସ୍ୱାସ୍ଥ୍ୟ ବୀମା ପଲିସିଗୁଡ଼ିକର ଭାଉ ୨୦ରୁ ୨୫% ବଢିଯାଇଛି। ଅର୍ଥାତ୍‌ ବୀମା କିସ୍ତି ରୂପରେ ବୀମାଧାରକଙ୍କୁ ଅଧିକ ଟଙ୍କା ଦେବାକୁ ପଡୁଛି। କରୋନାଭୂତାଣୁ ଚାପରେ ଏବେ ବୀମା କମ୍ପାନିଙ୍କ ପାଖରେ ଭିଡ଼ ହେଉଥିବାରୁ ବୀମା ବଜାରେ ଏଭଳି ପରିବର୍ତ୍ତନ ଦେଖାଦେଇଛି। ଏହା ସହ, ଆନୁଷଙ୍ଗିକ ସାମଗ୍ରୀଗୁଡ଼ିକ ବୀମା ସର୍ତ୍ତାବଳୀରେ ସାମିଲ ନୁହେଁ ବୋଲି ବୀମା ଉତ୍ପାଦର ନିୟମାବଳୀରେ ସାମିଲ ହେଲାଣି।

ସମ୍ବନ୍ଧିତ ଖବର