ଦେଶରେ କୋଭିଡ୍‌ ଦୈନିକ ସଂକ୍ରମଣରେ ୫୦% ବୃଦ୍ଧି, ଅଣାୟତ୍ତ ହେଉଛି କେରଳ

୪୩ ହଜାର ନୂଆ ମାମଲା, ଓଡ଼ିଶା ସମେତ ୫ ରାଜ୍ୟରେ ସର୍ବାଧିକ

ନୂଆଦିଲ୍ଲୀ : ଦେଶରେ କୋଭିଡ୍‌ ସଂକ୍ରମଣ ପୁଣି ଉଦ୍‌ବେଗଜନକ ଭାବେ ବଢ଼ିଛି। ଗତ ୨୬ ତାରିଖରେ ୪୩ ହଜାର ୬୫୪ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ୬୪୦ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି। ପୂର୍ବଦିନ (୨୬,୬୮୯) ତୁଳନାରେ ଦୈନିକ ସଂକ୍ରମଣରେ ୫୦ ପ୍ରତିଶତ ବୃଦ୍ଧି ହୋଇଛି। ଓଡ଼ିଶା ସମେତ ୫ଟି ରାଜ୍ୟରେ ସର୍ବାଧିକ ମାମଲା ଚିହ୍ନଟ ହୋଇଛି। ଅନ୍ୟ ରାଜ୍ୟଗୁଡ଼ିକ ହେଲା କେରଳ, ମହାରାଷ୍ଟ୍ର, ମିଜୋରାମ ଏବଂ ତାମିଲନାଡ଼ୁ। ଏହି ସମୟରେ ଦେଶରେ ଯେତେ‌ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ସେଥିମଧ୍ୟରୁ ୭୭ ଭାଗରୁ ଅଧିକ କେବଳ ଏହି ୫ଟି ରାଜ୍ୟରେ ଚିହ୍ନଟ ହୋଇଛନ୍ତି। କେବଳ କେରଳରେ ୫୦.୬୯ ପ୍ରତିଶତ ନୂଆ ମାମଲା ରିପୋର୍ଟ କରାଯାଇଛି।

କେରଳରେ ସର୍ବାଧିକ ୨୨ ହଜାର ୧୨୯ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ୬,୨୫୮, ମିଜୋରାମରେ ୧୮୪୫ ତାମିଲନାଡ଼ୁରେ ୧୭୬୭ ଏବଂ ଓଡ଼ିଶାରେ ୧୬୨୯ ମାମଲା ଚିହ୍ନଟ ହୋଇଛି। ଦେଶରେ ସକ୍ରିୟ ମାମଲା ଏବେ ୩,୯୯,୪୩୬। ମହାରାଷ୍ଟ୍ରରେ ସର୍ବାଧିକ ୨୫୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ କେରଳରେ ୧୫୬ ଜଣଙ୍କ ମୃତ୍ୟୁ ହୋଇଛି। ଦେଶ‌ରେ ଆରୋଗ୍ୟ ହାର ୯୭.୩୯ ପ୍ରତିଶତ। ଗତ ୨୪ ଘଣ୍ଟାରେ ଦେଶରେ ୪୧,୬୭୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏଥିସହ ଦେଶରେ ମୋଟ୍‌ ୩,୦୬,୬୩,୧୪୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

କେରଳ ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଚାଲିଯିବାକୁ ବସିଲାଣି। ରାଜ୍ୟରେ ୨୨,୧୨୯ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ତେବେ ୫୦ ଦିନ ମଧ୍ୟରେ ଦେଶରେ ପ୍ରଥମ ରାଜ୍ୟ ଭାବେ କେରଳରେ ଦୈନିକ ସଂକ୍ରମଣ ୨୦ ହଜାର ଟପିଛି। ରାଜ୍ୟରେ ଟେଷ୍ଟ୍‌ ପଜିଟିଭ ହାର ୧୨ ପ୍ରତିଶତରୁ ଅଧିକ ରହିଛି। ରାଜ୍ୟରେ ମୋଟ୍‌ ସଂକ୍ରମଣ ମାମଲା ୩୩ ଲକ୍ଷ ଟପିଯାଇଛି। ଗତ ରବିବାର ଶେଷ ହୋଇଥିବା ସପ୍ତାହରେ କେରଳ ୧,୧୦,୫୯୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କେରଳରେ ଏଭଳି ଦ୍ରୁତ ସଂକ୍ରମଣ ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। କେରଳର ବରିଷ୍ଠ ଅଧିକାରୀମାନଙ୍କ ସହ କେନ୍ଦ୍ରର ଆଲୋଚନା ଚାଲିଥିବା ଜଣାପଡ଼ିଛି।

କେରଳରେ ଟିକାକରଣ ହାର ଅଧିକ ଥିଲେ ମଧ୍ୟ ସେରୋ ପଜିଟିଭ୍‌ ହାର କମ ଅଛି। ୧୮ ରୁ ଊର୍ଦ୍ଧ୍ବ ପ୍ରାୟ ୨୦.୯ ପ୍ରତିଶତ ଲୋକ ଉଭୟ ଡୋଜ୍‌ ଟିକା ନେଇସାରିଛନ୍ତି। ଜାତୀୟ ହାରାହାରୀ ୯.୯ ପ୍ରତିଶତ ଠାରୁ ଏହା ଅଧିକ। ତେବେ ଚତୁର୍ଥ ଆଇସିଏମ୍‌ଆର ସେରୋସର୍ଭେ କହୁଛି ଯେ ରାଜ୍ୟରେ କେବଳ ୪୨.୭ ପ୍ରତିଶତ ଲୋକଙ୍କ ଶରୀର‌ରେ ଆଣ୍ଟିବଡି ରହିଛି। ଅନ୍ୟପକ୍ଷେ ଜାତୀୟ ସ୍ତରରେ ୬୭.୬ ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡି ଅଛି।

ସମ୍ବନ୍ଧିତ ଖବର