ଏତିକି ଲୋକଙ୍କୁ ନେଇ ହୋଇପାରିବ ବିବାହ ଓ ସଂସ୍କାର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ମେ ୩୧ ଯାଏଁ ସାରା ଦେଶରେ ଲକଡାଉନର ଅବଧି ବଢିଛି | ଆଉ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ପାଇଁ କିଛି ଗାଇଡଲାଇନ ଜାରି କରାଯାଇଛି | ଗାଇଡଲାଇନରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ରାଜ୍ୟ ସରକାର ଏଣିକି ରେଡ, ଗ୍ରୀନ ଓ ଅରେଞ୍ଜ ଜୋନ ନିର୍ଦ୍ଧାରଣ କରିବେ | ସେହିପରି ବର୍ତ୍ତମାନ ତିନିଟି ଜୋନ ବଦଳରେ ୫ଟି ଜୋନ ରହିବ | ରେଡ, ଗ୍ରୀନ ଓ ଅରେଞ୍ଜ ଜୋନ ସହ ବଫର ଓ କଣ୍ଟେନମେଣ୍ଟ ଜୋନ ମଧ୍ୟ ରାଜ୍ୟ ସରକାର ସ୍ଥିର କରିବେ | ତେବେ ଏଥରର ଗାଇଡଲାଇନରେ ଲୋକଙ୍କୁ କିଛି ସୁବିଧା ମଧ୍ୟ ଦିଆଯାଇଛି | ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଆଦେଶରେ କୁହାଯାଇଛି, ‘ସାମାଜିକ ଦୂରତା ଅନୁସରଣ କରି ବିବାହ ସମ୍ବନ୍ଧୀୟ ସମାରୋହ ଆୟୋଜନ କରାଯାଇପାରିବ। କିନ୍ତୁ ବିବାହ ସମାରୋହରେ ୫୦ ରୁ ଅଧିକ ଲୋକ ଯୋଗଦେଇପାରିବେ ନାହିଁ। ସେହିପରି ଶବ ସଂସ୍କାରରେ କେବଳ ୨୦ ଜଣ ଲୋକ ଉପସ୍ଥିତ ରହିପାରିବେ, ସମସ୍ତେ ସାମାଜିକ ଦୂରତାକୁ ପାଳନ କରିବେ ଓ ମାସ୍କ ପିନ୍ଧିବେ | ଏହା ସହ କାର୍ଯ୍ୟାଳୟ ଖୋଲିବା ପାଇଁ ଏହି ସବୁ ନିୟମ ଉପରେ ଗୁରୁତ୍ୱ ଦେବାକୁ ପଡିବ |

Image Source: India Today

୧.ଗୃହ ମନ୍ତ୍ରଣାଳୟ କହିଛି ଯେ ଯଥାସମ୍ଭବ କର୍ମଚାରୀମାନେ ଘରୁ କାମ କରିବା ଉଚିତ୍।
୨.ଅଫିସ୍ ର ପ୍ରବେଶ ପଥରେ ଥର୍ମାଲ୍ ସ୍କାନିଂ, ହ୍ୟାଣ୍ଡୱାସ୍, ସାନିଟାଇଜର ରଖିବା ବାଧ୍ୟତାମୂଳକ ହେବ |
୩.ପୂରା ଅଫିସକୁ ସାନିଟାଈଜ କରିବାକୁ ପଡିବ | ଅଫିସରେ ସମସ୍ତ ଲୋକ ବ୍ୟବହାର କରୁଥିବା ସାଧାରଣ ଜିନିଷ ଯଥା କବାଟ ହ୍ୟାଣ୍ଡେଲ, ଟେବୁଲ ଇତ୍ୟାଦି ପରିଷ୍କାର କରିବା ବାଧ୍ୟତାମୂଳକ ହେବ |
୪.ଅଫିସରେ କାର୍ଯ୍ୟ କରୁଥିବା ସମସ୍ତଙ୍କୁ କାର୍ଯ୍ୟ, ମଧ୍ୟାହ୍ନ ଭୋଜନ ସମୟ ଏବଂ ଅବଶିଷ୍ଟ ସମୟ ମଧ୍ୟରେ ସାମାଜିକ ଦୂରତା ଅନୁସରଣ କରିବାକୁ ପଡିବ | କମ୍ପାନୀ ଦ୍ୱାରା ପ୍ରଦାନ କରାଯାଇଥିବା ସ୍ୱତନ୍ତ୍ର ପରିବହନ ଯାନରେ ୩୦ ରୁ ୪୦ ପ୍ରତିଶତ ଯାତ୍ରୀ ପରିବହନ କରିବାକୁ ଅନୁମତି ଦିଆଯିବ | ।
୫.ଅଫିସରେ ଆୟୋଜିତ ବୈଠକ ଏବଂ ତାଲିମ ଅଧିବେଶନରେ କର୍ମଚାରୀମାନଙ୍କୁ ୬ ଫୁଟ ଦୂରରେ ବସିବାକୁ ପଡିବ |
୬. ଲିଫ୍ଟ ବଦଳରେ ସିଡ଼ି ବ୍ୟବହାର କରିବା ଆବଶ୍ୟକ | କେବଳ ୨ ଜଣଙ୍କୁ ଅଫିସରେ ଲିଫ୍ଟ ପ୍ରବେଶ କରିବାକୁ ଅନୁମତି ଦିଆଯିବ

ସମ୍ବନ୍ଧିତ ଖବର