ଚୀନ୍‌ରୁ ନିର୍ବାସିତ ବ୍ୟବସାୟୀଙ୍କ ଦାବି, କରୋନାରେ ମରିଛନ୍ତି ୫୦ହଜାର

ସିଟିଜେନ୍‌ ସାମ୍ବାଦିକ ନିଖୋଜ ପରେ ସନ୍ଦେହ ବଢ଼ିଲା

ବେଜିଂ : ଭୟଙ୍କର କରୋନା ଭାଇରସ୍‌ ଯୋଗୁଁ ଚୀନ୍‌ରେ ୯୧୦ ଜଣଙ୍କ ମୃତ୍ୟୁ ହୋଇଛି । ବିଶ୍ବବ୍ୟାପୀ ୪୦,୦୦୦ରୁ ଅଧିକ ଭାଇରସ୍ ଆକ୍ରାନ୍ତ ହୋଇଛନ୍ତି। ଗତକାଲି ଉହାନ୍‌ରେ କରୋନା ଯୋଗୁଁ ୯୭ ଜଣଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ଚୀନ୍‌ କରୋନ‌ା ଭାଇରସ୍‌ ସଂକ୍ରାନ୍ତ ପ୍ରକୃତ ତଥ୍ୟ ଲୁଚାଉଥିବା ନେଇ ଅଭିଯୋଗ ହୋଇଛି। ଚୀନ୍‌ରୁ ନିର୍ବାସିତ ହୋଇ ଏବେ ଆମେରିକାରେ ଥିବା ବ୍ୟବସାୟୀ ଜିଓ ୱେଙ୍ଗୁଇ ଦାବି କରିଛନ୍ତି ଯେ, ଚୀନ୍‌ରେ କରୋନା ଯୋଗୁଁ ପ୍ରାୟ ୫୦,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ପୂର୍ବତନ ହ୍ବାଇଟହାଉସ୍‌ ମୁଖ୍ୟ ରଣନୀତିକାର ଷ୍ଟିଭ୍‌ ବ୍ୟାନ୍ନନ୍‌ଙ୍କ ସହ ଏକ ସାକ୍ଷାତକାର ସମୟରେ ଜିଓ ଏଭଳି ବିସ୍ଫୋରକ ଅଭିଯୋଗ କରିଛନ୍ତି। ଚୀନ୍‌‌ରେ ୧.୫ ନିୟୁତ ଲୋକ ଭାଇରସ୍‌ ଆକ୍ରାନ୍ତ ଥିବା ସେ ଦାବି କରିଛନ୍ତି। ଉହାନ୍‌ରେ ସମୁଦାୟ ୪୯ଟି ସମାଧିସ୍ଥଳ ରହିଛି ଏବଂ ଏଠାରେ ୨୪ ଘଣ୍ଟା ଶବ ସଂସ୍କାର କରାଯାଉଛି ବୋଲି ସେ ଦାବି କରିଛନ୍ତି। ଦିନକୁ ପ୍ରାୟ ୧୦୦ ବଡି ବ୍ୟାଗ୍‌ ଦରକାର ହେଉଥିବା ସେ କହିଛନ୍ତି।

ଚୀନ ବ୍ୟବସାୟୀଙ୍କ ଏଭଳି ଅଭିଯୋଗ ‌ବେଳେ କରୋନାର କେନ୍ଦ୍ରସ୍ଥଳ ଉହାନ୍‌ରୁ ଖବର ସଂଗ୍ର‌ହ କରୁଥିବା ଜଣେ ସିଟିଜେନ୍‌ ସାମ୍ବାଦିକ ନିଖୋଜ ହୋଇଯିବା ଘଟଣା ଭାରରସ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟାକୁ ନେଇ ରହିଥିବା ସନ୍ଦେହକ ବଢ଼ାଇ ଦେଇଛି। ଚୀନ୍‌ରେ ପ୍ରକୃତରେ ଏଥିଯୋଗୁଁ କେତେଜଣଙ୍କ ମୃତ୍ୟୁ ହୋଇଛି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଚୀନ୍‌ର ସିଟିଜେନ୍‌ ସାମ୍ବାଦିକ ତଥା ମାନବିକ ଅଧିକାର ସାମାଜିକ କର୍ମୀ ଚେନ୍‌ କ୍ୟୁଶି ଉହାନ୍‌ରୁ ନିୟମିତ କରୋନା ସଂକ୍ରାନ୍ତରେ ଖବର ସଂଗ୍ରହ କରୁଥିବାବେଳେ ଗତ ଗୁରୁବାରଠାରୁ ସେ ନିଖୋଜ ଅଛନ୍ତି। ଚେନ୍‌ ଭାଇରସ୍‌ର କେନ୍ଦ୍ରସ୍ଥଳରୁ ଖବର ସଂଗ୍ରହ କରୁଥିଲେ। ଚୀନ୍‌ ସରକାର ଭାଇରସ୍‌ ସଂକ୍ରାନ୍ତ ଖବର ସଂଗ୍ରହ ଉପରେ ରୋକ୍‌ ଲଗାଇଥିଲେ ସୁଦ୍ଧା ଚେନ୍‌ ଏହାକୁ ଭ୍ରୁକ୍ଷେପ କରିନଥିଲେ। ସେ ତାଙ୍କ କାର୍ଯ୍ୟ ଜାରି ରଖିଥିଲେ। ବିଭିନ୍ନ ହସ୍ପିଟାଲ୍‌ ବୁଲିବା ସହ ସତ ଖବର ଲୋକଲୋଚନକୁ ଆଣୁଥିଲେ। ସେଥିପାଇଁ ତାଙ୍କୁ ଜୋରଜବରଦସ୍ତ ସ୍ବତନ୍ତ୍ର ବ୍ୟବସ୍ଥାରେ ରଖାଯାଇଛି ବୋଲି ଦାବି ହୋଇଛି। ଚେନ୍‌ଙ୍କ ପରିବାର ସଦସ୍ୟଙ୍କ ଦାବି ଅନୁଯାୟୀ ସେ ଗତ ଗୁରୁବାର ଦିନ ତାଙ୍କର ଜଣେ ବନ୍ଧୁଙ୍କ ସହ ହସ୍ପିଟାଲ୍‌ ଯାଇଥିଲେ, କିନ୍ତୁ ଆଉ ଫେରିନଥିଲେ। ଚେନ୍‌ଙ୍କ ମା’ ଟ୍ବିଟରରେ ଏକ ଭିଡିଓ ଜାରି କରି ତାଙ୍କ ପୁଅକୁ ଖୋଜିବାରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି। ଚେନ୍‌ଙ୍କୁ ବଳପୂର୍ବକ ଏକ ହସ୍ପିଟାଲ୍‌ରେ ସ୍ବତନ୍ତ୍ର ବ୍ୟବସ୍ଥାରେ ରଖାଯାଇଥିବା କୁହାଯାଉଛି। କିନ୍ତୁ ତାଙ୍କ ଫୋନ୍‌ ଲାଗୁନଥିବାରୁ ଏହାକୁ ନେଇ ପରିବାର ଲୋକଙ୍କ ସନ୍ଦେହ ବଢ଼ିଛି। ତେବେ ଚୀନ୍‌ରେ ଡାକ୍ତର ଲି’ଙ୍କ ମୃତ୍ୟୁ ଏବଂ ସାମ୍ବାଦିକ ଚେନ୍ ନିଖୋଜ ହେବାପରେ ସରକାର ବିରୋଧୀ ସ୍ବର ଉତ୍ତୋଳନ ହୋଇଛି। ଅନେକ ଏବେ ସରକାରଙ୍କ ବିରୋଧରେ ସ୍ବର ଉତ୍ତୋଳନ କରି ସ୍ବାଧୀନତା ଦାବି କରିଛନ୍ତି। ‌

ସମ୍ବନ୍ଧିତ ଖବର