୫୦% ଭିଭିପିଏଟି ଯାଞ୍ଚ୍‌ ମାମଲା: ନିର୍ବାଚନ କମିସନ୍‌ଙ୍କ ବିରୋଧ

ସୁପ୍ରିମ୍‌ କୋର୍ଟରେ ସତ୍ୟପାଠ ଦାଖଲ, ଗଣତି ୬ ଦିନ ଲାଗିଯିବ

ନୂଆଦିଲ୍ଲୀ: ନିର୍ବାଚନ କମିସନ ଆଜି ସୁପ୍ରିମ୍‌ କୋର୍ଟରେ ସତ୍ୟପାଠ ଦାଖଲ କରି କହିଛନ୍ତି ଯେ ଯଦି ବିରୋଧୀ ଦଳମାନେ ୫୦ ପ୍ରତିଶତ ଭିଭିପିଏଟି ଭୋଟ୍‌ ଗଣତି ପାଇଁ ଯିଦ୍‌ ଧରିବେ ତା’ହେଲେ ଭୋଟ୍‌ ଗଣତି ସଂପୂର୍ଣ୍ଣ ୬ ଦିନ ଧରି ଚାଲିବ। ଭୋଟର ଫେରିଫାଏଡ୍‌ ପେପର୍‌ ଅଡିଟ୍‌ ଟ୍ରାଏଲ୍‌ (ଭିଭିପିଏଟି)ର ସ୍ଲିପ୍‌ ଏବଂ ଇଭିଏମ୍‌ର ସଂଖ୍ୟା ମଧ୍ୟରେ କୌଣସି ପାର୍ଥକ୍ୟ ରହୁ ନାହିଁ ଏବଂ ବ୍ୟାପକ ଯାଞ୍ଚ ପରେ ଏହା ୯୯.୯୯୬୩ ପ୍ରତିଶତ ସଠିକ୍‌ ପ୍ରମାଣିତ ହୋଇଛି। ଏଭଳି କ୍ଷେତ୍ରରେ ୨୧ଟି ବିରୋଧୀ ଦଳ ୫୦ ପ୍ରତିଶତ ଭିଭିପିଏଟି ସ୍ଲିପ୍‌ ଗଣତି ପାଇଁ ଯେଉଁ ଦାବି କରିଛନ୍ତି ତାହା ଅଯଥା ସମସ୍ୟା ବଢ଼ାଇବା ବ୍ୟତୀତ ଅନ୍ୟ କୌଣସି ଦିଗରୁ ସୁଫଳ ମିଳିବ ନାହିଁ ବୋଲି ନିର୍ବାଚନ କମିସନ କହିଛନ୍ତି। ଆଜି ନିର୍ବାଚନ କମିସନ ଏ ସଂକ୍ରାନ୍ତରେ ୫୦ ପୃଷ୍ଠାର ସତ୍ୟପାଠ ଦାଖଲ କରି କହିଛନ୍ତି ଯେ ବିରୋଧୀ ଦଳଙ୍କ ଦାବି କାର୍ଯ୍ୟକାରୀ ହେଲେ ଯେଉଁ ଉଦ୍ଦେଶ୍ୟରେ ଏହା କରାଯିବା ସେ ଦିଗରେ କିଛି ଅଧିକ ହାସଲ ହୋଇପାରିବ ନାହିଁ। ନିକଟରେ ସୁପ୍ରିମ୍‌ କୋର୍ଟ ଅଧିକ ଭିଭିପିଏଟି ସ୍ଲିପ୍‌ ଗଣତି ଉପରେ ଗୁରୁତ୍ବ ଦେଇ ଏ ସଂକ୍ରାନ୍ତରେ ବିସ୍ତୃତ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ଇଭିଏମ୍‌ ସହିତ ୫୦ ପ୍ରତିଶତ ଭିଭିପିଏଟି ସ୍ଲିପ୍‌ ଗଣତି ପାଇଁ ଯେଉଁ ବ୍ୟାପକ ତାଲିମ ଏବଂ ଅନ୍ୟ ପ୍ରସ୍ତୁତି ଆବଶ୍ୟକ ସେହି ଅନୁସାରେ ପ୍ରସ୍ତୁତି ହୋଇନାହିଁ। କେବଳ ଇଭିଏମ୍‌ଗୁଡ଼ିକର ବିଶ୍ବସନୀୟତା ପରୀକ୍ଷା ପାଇଁ ସୀମିତ ଭିଭିପିଏଟି ଯାଞ୍ଚ ପାଇଁ ନିଷ୍ପତ୍ତି ହୋଇଛି । ଆଗାମୀ ଲୋକସଭା ନିର୍ବାଚନରେ ୧.୬ ଲକ୍ଷ ଇଭିଏମ୍‌ ଏବଂ ଭିଭିପିଏଟି ଯାଞ୍ଚ ପାଇଁ ରହିବ ବୋଲି ସତ୍ୟପାଠରେ କୁହାଯାଇଛି।

ସମ୍ବନ୍ଧିତ ଖବର