ପ୍ରଶାନ୍ତଙ୍କ ଡାଇରିରେ ୫୦ ବର୍ଷର ମାଓ ହିଂସା ବିବରଣୀ

ଓଡ଼ିଶାରେ ପୋଲିସଠାରୁ ଅସ୍ତ୍ରଶସ୍ତ୍ର ଲୁଟ୍‌ ସୂଚନା ବି ଲିପିବଦ୍ଧ

ନୂଆଦିଲ୍ଲୀ : ଗିରଫ କୁଖ୍ୟାତ ମାଓ ନେତା ପ୍ରଶାନ୍ତ ବୋଷଙ୍କ ନିକଟରୁ ଜବତ ନାଲି ରଙ୍ଗର ଏକ ଡାଇରିରେ ନକ୍ସଲ କାର୍ଯ୍ୟକଳାପର ୫୦ ବର୍ଷର ବିବରଣୀ ରହିଛି। ଏଥିରେ ଓଡ଼ିଶା ସମେତ ଦଣ୍ଡକାରଣ୍ୟ, କେରଳ, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଆସାମ ଓ ପଞ୍ଜାବ ଆଦି ରାଜ୍ୟମାନଙ୍କ‌ରେ ମାଓବାଦୀମ‌ାନଙ୍କ ହିଂସାତ୍ମକ କାର୍ଯ୍ୟକଳାପର ସଂପୂର୍ଣ୍ଣ ବିବରଣୀ ରହିଥିବା ତଦନ୍ତକାରୀ ସଂସ୍ଥା ସୂତ୍ରରୁ ଜଣାପଡ଼ିଛି। ଓଡ଼ିଶାରେ ନକ୍ସଲମାନେ କିଭଳି ପୋଲିସ ଠାରୁ ଅସ୍ତ୍ରଶସ୍ତ୍ର ଲୁଟ କରିଥିଲେ ତଥା ଅନ୍ୟ ବଡ଼ବଡ଼ ଘଟଣାରେ ସାମିଲ ଥିଲେ ସେ ସଂପର୍କରେ ମଧ୍ୟ ଉଲ୍ଲେଖ ରହିଛି। କେଉଁ ଘଟଣାକୁ କିଭଳି କାର୍ଯ୍ୟକାରୀ କରାଯାଇଥିଲା ସେ ସଂପର୍କରେ ମଧ୍ୟ ଏଥିରେ ତଥ୍ୟ ରହିଛି। କେବଳ ସେତିକି ନୁହେଁ, ଓଡ଼ିଶା ସମେତ ୯ଟି ରାଜ୍ୟରେ କିଏ କେଉଁଠ‌ାରେ ମାଓବାଦୀମାନଙ୍କ ନେତୃତ୍ବ ନେଉଥିଲା ତାହାର ବିବରଣୀ ମଧ୍ୟ ଏଥିରେ ରହିଛି।

ବର୍ତ୍ତମାନ ସୁଦ୍ଧା ନକ୍ସଲ ହିଂସାରେ କେତେ ଜଣ ପୋଲିସ ଓ ମାଓବାଦୀଙ୍କ କ୍ଷତି ଘଟିଛି ଉକ୍ତ ତଥ୍ୟ ଏଥିରୁ ମିଳିଥିବା ବେଳେ ଝାଡ଼ଖଣ୍ଡରୁ ଓଡ଼ିଶା ଏବଂ ପଶ୍ଚିମବଙ୍ଗରୁ ଦଣ୍ଡକାରଣ୍ୟ କ୍ଷେତ୍ରକୁ ସକ୍ରିୟ କରିବାର ଯୋଜନା ଏଥିରେ ଲିପିବଦ୍ଧ ହୋଇଛି। ଏହାକୁ ନେଇ ଶ୍ରୀ ବୋଷଙ୍କୁ ପୋଲିସ ଅଧିକ ଜେରା କରିବ ବୋଲି ସୂଚନା ମିଳିଛି। ଡାଇରିରେ ଥିବା କିଛି ତଥ୍ୟ ପଦାକୁ ଆସିଥିବା ବେଳେ ତଦନ୍ତ ପ୍ରଭ‌ାବିତ ହେବା ଆଶଙ୍କାକୁ ନେଇ ପୋଲିସ ଅନ୍ୟ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟକୁ ଗୋପନୀୟ ରଖିଛି।

ସମ୍ବନ୍ଧିତ ଖବର