ବଦାୟୁଁ: ଗତ ବର୍ଷ ହାଥରସ ଗଣଦୁଷ୍କର୍ମ ଘଟଣା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ଏବେ ଉତ୍ତରପ୍ରଦେଶରେ ସେଭଳି ଏକ ଛାତିଥରା ଘଟଣା ଘଟିଛି। ୫୦ବର୍ଷୀୟା ଅଙ୍ଗନବାଡ଼ି ଦିଦିଙ୍କୁ ଗଣଦୁଷ୍କର୍ମ ପରେ ନିର୍ମମ ଭାବେ ହତ୍ୟା କରାଯିବ ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ପୀଡ଼ିତାଙ୍କ ନିଖୋଜ ନେଇ ପରିବାର ଲୋକେ ପୁଲିସରେ ଏତଲା ଦେଇଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା। ପରେ ପୀଡ଼ିତାଙ୍କ ମୃତଦେହ ମିଳିଥିଲେ ମଧ୍ୟ ପୁଲିସ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏତଲା ଲେଖିଥିବା ଜଣାପଡ଼ିଛି। ଏବେ ଏହି ଘଟଣାକୁ ନେଇ ପୁଲିସ ୨ଜଣଙ୍କୁ ଗିରଫ କରିଥିବା ବେଳେ ଥାନା ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି ବରିଷ୍ଠ ଅଧିକାରୀ।
ପୁଲିସର କହିବା ମୁତାବକ, ରବିବାର ଦିନ ସନ୍ଧ୍ୟା ୬ଟା ସମୟରେ ପୀଡ଼ିତା ମନ୍ଦିର ଯିବାକୁ ଘରୁ ବାହାରିଥିଲେ। ୨-୩ଘଣ୍ଟା ପରେ ପୀଡ଼ିତା ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି ପରେ ନ ପାଇ ପୁଲିସ ଷ୍ଟେସନ ଯାଇଥିଲେ। ମାତ୍ର ସେମାନଙ୍କ ଅଭିଯୋଗ ଗ୍ରହଣ କରା ନଯାଇ ଫେରାଇ ଦିଆଯାଇଥିଲା। ଏ ମଧ୍ୟରେ ମନ୍ଦିରର ପୂଜାରୀ ନିଜ ଦୁଇ ସାଥୀଙ୍କ ସହ ମିଶି ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିବା ସହ ପରେ ପୀଡ଼ିତାଙ୍କୁ ଡାକ୍ତରଖାନା ନେଇ ପହଞ୍ଚିଥିଲେ। କିନ୍ତୁ ସେଠାରେ ଡାକ୍ତର ପୀଡ଼ିତାଙ୍କୁ ମୃତ ଘୋଷଣା କରିବା ପରେ ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଆଣି ରାତି ୧୧ଟାରେ ତାଙ୍କ ଘର ବାହାରେ ଫିଙ୍ଗି ଚାଲିଯାଇଥିଲେ। ପରିବାର ଲୋକଙ୍କୁ ମୃତଦେହ ମିଳିବା ପରେ ସେମାନେ ପୁଣି ଥରେ ପୁଲିସ ଷ୍ଟେସନ ଯାଇ ଅଭିଯୋଗ କରିଥିଲେ ମଧ୍ୟ ଥାନା ଅଧିକାରୀ କିଛି ନ ଶୁଣି ଫେରିଯିବାକୁ କହିଥିଲେ।

ପରେ ସୋମବାର ପୁଲିସ ଆସି ପୀଡ଼ିତାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଚ୍ଛେଦ ପରେ ପୀଡ଼ିତାଙ୍କ ସହ ଦୁଷ୍କର୍ମ ହୋଇଥିବା ସହ ତାଙ୍କ ଗୁପ୍ତାଙ୍ଗରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଥିଲା। ଘଟଣାର ୧୮ଘଣ୍ଟା ପରେ ବ୍ୟବଚ୍ଛେଦ ରିପୋର୍ଟ ଆସିବାରୁ ପୁଲିସ ଏତଲା ଲେଖିଥିଲା ବୋଲି ଜଣାପଡ଼ିଛି। ତେବେ ପରିବାର ଲୋକେ ଘଟଣା ପଛରେ ମନ୍ଦିରର ପୂଜାରୀ ସମେତ ତାଙ୍କ ଦୁଇ ସହଯୋଗୀଙ୍କ ହାତ ଥିବା ନେଇ ଅଭିଯୋଗ କରିଥିବାରୁ ପୁଲିସ ଏବେ ଦୁଇ ସହଯୋଗୀଙ୍କୁ ଗିରଫ କରିବାରେ ସଫଳ ହୋଇଛି। ମୁଖ୍ୟ ଅଭିଯୁକ୍ତ ପୂଜାରୀ ଏବେ ଫେରାର ଥିବା ବେଳେ ଖୋଜିବା ପାଇଁ ପୁଲିସ ଟିମ୍ ତିଆରି କରିଛି।