ହାସନ୍: କର୍ଣ୍ଣାଟକର ଏସ୍ଏସ୍ଏଲ୍ସି ସରକାରୀ ଉଚ୍ଚ ବିଦ୍ୟାଳୟ। ୫୦ ବର୍ଷ ପୁରୁଣା। ଗତ ତିନି ବର୍ଷ ଧରି ୧୦୦% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଆସୁଛନ୍ତି। କିନ୍ତୁ ଦୁର୍ଭାଗ୍ୟପୂର୍ଣ୍ଣ ଯେ ଏଠାରେ ଛାତ୍ରଛାତ୍ରୀମାନେ ଶ୍ରେଣୀକକ୍ଷରେ ଛତା ଧରି ପାଠ ପଢୁଛନ୍ତି। ଛାତର ଅଧିକାଂଶ ଭାଗରେ ଲିକେଜ୍ ହୋଇ ପାଣି ଗଳୁଥିବାରୁ ପିଲାମାନଙ୍କୁ ଛତା ଧରି ପାଠ ପଢ଼ିବାକୁ ପଡୁଛି। ବର୍ଷାଦିନେ ବିଦ୍ୟାଳୟରେ ଏଭଳି ସମସ୍ୟା ଲାଗିରହୁଥିବା ବେଳେ ଏ ନେଇ କୌଣସି ପଦକ୍ଷେପ ନିଆ ନ ଯିବା ପରିତାପର ବିଷୟ ବୋଲି ସ୍ଥାନୀୟ ବାସିନ୍ଦା କ୍ଷୋଭର ସହ କହିଛନ୍ତି।
ବିଦ୍ୟାଳୟଟି କର୍ଣ୍ଣାଟକର ହାସନ୍ ଜିଲ୍ଲା ଅନ୍ତର୍ଗତ ମଲ୍ଲିପତନା ହୋବ୍ଲିଠାରେ ଅବସ୍ଥିତ। ଏଠାରେ ମୋଟ ୮ଟି କକ୍ଷ ରହିଥିବା ବେଳେ ୨ଟିକୁ ବିଦ୍ୟାଳୟ କାର୍ଯ୍ୟାଳୟ ଭାବେ ବ୍ୟବହାର କରାଯାଉଛି। ବାକି ୬ଟି କକ୍ଷରେ ପାଠ ପଢ଼ା ହେଉଛି। ତେବେ ଏହି ୬ଟି କକ୍ଷ ମଧ୍ୟରୁ ୩ଟିରେ ପାଣି ଗଳୁଛି। ବର୍ଷାଦିନେ ଏହି ସମସ୍ୟା ଏତେ ଖରାପ ହୋଇଯାଉଛି ଯେ ବିନା ଛତାରେ ଶ୍ରେଣୀ କକ୍ଷରେ ବସିହେଉ ନାହିଁ। ବର୍ଷାଦିନେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ସୁରକ୍ଷିତ ଭାବେ ପହଞ୍ଚିବା ପାଇଁ ଛତା ଓ ବର୍ଷାତି ବ୍ୟବହାର କରିଥାନ୍ତି। କିନ୍ତୁ କର୍ଣ୍ଣାଟକର ଏହି ଏସ୍ଏସ୍ଏଲ୍ସି ସରକାରୀ ବିଦ୍ୟାଳୟ କଥା ନିଆରା। ଏଠାରେ ସୁରକ୍ଷିତ ଭାବେ ପହଞ୍ଚିବା ପରେ ବି ଛତାର ଆବଶ୍ୟକତା ରହିଛି।
୫୦ ବର୍ଷ ପୁରୁଣା ହୋଇଥିବା ଦୃଷ୍ଟିରୁ ଏହି ବିଦ୍ୟାଳୟର ଅଧିକାଂଶ ସ୍ଥାନ ଭାଙ୍ଗିରୁଜି ଗଲାଣି। ତେବେ ଖରା ଓ ଶୀତଦିନେ କୌଣସି ଅସୁବିଧା ହେଉ ନ ଥିବା ବେଳେ ବର୍ଷାଦିନେ ପରିସ୍ଥିତି ଅସମ୍ଭାଳ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିବପ୍ରକାଶ କୁହନ୍ତି, ଆମ ପାଇଁ ଅଧିକ ଶ୍ରେଣୀ କକ୍ଷର ଆବଶ୍ୟକ ରହିଛି। କାରଣ ଏଠାରେ ମୋଟ ୧୬୮ ଛାତ୍ରଛାତ୍ରୀ ପାଠ ପଡୁଛନ୍ତି। ଏ ପ୍ରସଙ୍ଗରେ ଉପରିସ୍ଥ ଅଧିକାରୀଙ୍କୁ ବାରମ୍ବାର ଅନୁରୋଧ କରିଛୁ। କିନ୍ତୁ କୌଣସି ଫଳ ହୋଇନାହିଁ। ଗତବର୍ଷ ପଞ୍ଚାୟତ ସଦସ୍ୟ ୨ ଲକ୍ଷ ଟଙ୍କା ଦେଇଥିଲେ। ଏଥିରେ ଆମେ ଦୁଇଟି ଶ୍ରେଣୀ କକ୍ଷ ମରାମତି କରିଛୁ। କିନ୍ତୁ ବାକି ଶ୍ରେଣୀଗୃହ ଅବସ୍ଥା ଖରାପ। ପିଲାମାନେ ଏଠାରେ ବସି ପାଠ ପଢ଼ିବାକୁ ଭୟ କରୁଛନ୍ତି। କୌଣସି ମୁହୂର୍ତ୍ତରେ ଛାତ ଗଳିପଡ଼ିବା ଆଶଙ୍କା ବି ରହିଛି।
୫୦ ବର୍ଷର ପୁରୁଣା ସ୍କୁଲ୍, ୧୦୦% ରେଜଲ୍ଟ:ତଥାପି ଛତା ତଳେ ଚାଲିଛି ପାଠପଢ଼ା
/sambad/media/post_attachments/wp-content/uploads/2018/07/pic-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)